Latest Odisha News

୧୦ ବର୍ଷ ପରେ ଫେରିବ କି ଚାମ୍ପିୟନ୍ସ ଲିଗ ଟି୨୦

ମୁମ୍ବାଇ: ଟି୨୦ ଲିଗର ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ ବିଭିନ୍ନ ଦେଶରେ ଆୟୋଜିତ ଟି୨୦ ଲିଗକୁ ନେଇ ଚାମ୍ପିୟନ ଲିଗର ଆୟୋଜନ କରାଯାଉଥିଲା । ୧୨ଟି ଟିମକୁ ନେଇ ଏହି ମୁକାବିଲା ହେଉଥିଲା । ଆଇପିଏଲ ବ୍ୟତୀତ ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲାଣ୍ଡା ଟି୨୦ ଟିମ ଅଂଶଗ୍ରହଣ କରୁଥିଲେ । ୨୦୧୪ ପରେ ଏହି ଲିଗକୁ ବନ୍ଦ କରି ଦିଆଯାଇଥିଲା । ଶେଷ ଥର ଏହି ମୁକାବିଲାରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗସ ଚାମ୍ପିୟନ ହୋଇଥିଲା । ଓଭରାଲ ୬ଟି ସିଜନ ଏହି ଲିଗ ଖେଳାଯାଇଛି । ଭାରତରେ ୪ଥର ଓ ଦକ୍ଷିଣ ଆଫ୍ରିକାରେ ୨ ଥର ଏହା ଆୟୋଜିତ ହୋଇଥିଲା ।

ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ୨ ଥର ଲେଖାଏଁ ଚାମ୍ପିୟନ ହୋଇଥିବା ବେଳେ ନ୍ୟୁ ସାଉଥ ୱେଲ୍ସ ଓ ସିଡନୀ ସିକ୍ସର୍ସ ଥରେ ଲେଖାଏଁ ଟାଇଟଲ ହାସଲ କରିଥିଲେ । ଏବେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବୋର୍ଡ ୧୦ ବର୍ଷ ପରେ ଚାମ୍ପିୟନ୍ସ ଲିଗ ଟି୨୦ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଯଦି ସବୁ କିଛି ଠିକଠାକ ଚାଲେ ତେବେ ବିଭିନ୍ନ ଦେଶର ଟପ ଟିମ ମଧ୍ୟରେ ମୁକାବିଲା ଦେଖିବା ପାଇଁ ଦର୍ଶକ ନିଶ୍ଚିତ ଭାବେ ଆକୃଷ୍ଟ ହେବେ ।

Comments are closed.