Latest Odisha News

ଇନ୍ଦୋରରେ ଭ୍ରମଣକାରୀ ଦଳକୁ ୯୯ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ରବିବାର ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ୯୯ ରନ୍ (ଡିଏଲଏସ ମେଥଡ)ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଗୋଟିଏ ମ୍ୟାଚ୍ ବାକି ଥାଇ ୨-୦ରେ ଶୃଙ୍ଖଳା ହାତେଇ ନେଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୫ ଓ୍ୱିକେଟ୍ ହରାଇ ୩୯୯ ରନ୍ କରିଥିଲା। ଶୁଭମନ ଗିଲ ଓ ଶ୍ରେୟସ ଆୟର ଶତକ ହାସଲ କରିଥିବା ବେଳେ ଲୋକେଶ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଥିଲେ।

ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରୁ କାମେରନ୍ ଗ୍ରୀନ୍ ଦୁଇଟି ଓ୍ୱିକେଟ୍ ନେଇଥିବା ବେଳେ ସେ ମଧ୍ୟ ୧୦୩ ରନ୍ ଦେଇ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ମାଥ୍ୟୁ ସର୍ଟ ଓ ଷ୍ଟିଭେନ୍ ସ୍ମିଥ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିଷ୍ଣାଙ୍କ ଶିକାର ହୋଇଥିଲେ। ୧୦ମ ଓଭରରେ ବର୍ଷା ବାଧାପ୍ରାପ୍ତ ହୋଇଥିଲା ଏବଂ ଯେତେବେଳେ ଏହା ପୁଣି ଆରମ୍ଭ ହେଲା, ଅଷ୍ଟ୍ରେଲିଆକୁ ୩୩ ଓଭରରେ ୩୧୭ ରନର ସଂଶୋଧିତ ଟାର୍ଗେଟ୍ ମିଳିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ଓ୍ୱାର୍ଣ୍ଣର ସର୍ବାଧିକ ୫୩ ରନ୍ କରିଥିଲେ ମଧ୍ୟ ଆର୍ ଅଶ୍ୱିନ୍ ତାଙ୍କୁ ଏଲ୍ବିଡବ୍ଲ୍ୟୁ ଆଉଟ୍ କରି ବିଜୟ ଲକ୍ଷ୍ୟରେ ବ୍ରେକ୍ ଲଗାଇଥିଲେ। ଅଶ୍ୱିନ୍ ମଧ୍ୟ ମାର୍ନସ ଓ ଜୋଶ ଇଙ୍ଗଲିସଙ୍କ ୱିକେଟ ନେଇଥିଲେ।

ନବମ ଓ୍ୱିକେଟ ପାଇଁ ସେନ୍ ଆବୋଟ୍ ଓ ଜୋସ୍ ହାଜେଲଉଡ୍ ୭୭ ରନର ଭାଗୀଦାରି କରି ଅଷ୍ଟ୍ରେଲିଆକୁ ଆଶାର ଆଲୋକ ଦେଖାଇଥିଲେ ହେଁ ବହୁତ ବିଳମ୍ବ ହୋଇ ଯାଇଥିଲା। ଶେଷରେ ଆବୋଟ୍ ୫୪ ରନ୍ କରି ଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ୩୨.୨ ଓଭରରେ ୨୧୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା।

ଏହି ବିଜୟ ସହ ଭାରତ ଦିନିକିଆରେ ଏକ ନମ୍ବର ଦଳ ଭାବେ ମାନ୍ୟତା ପାଇଛି। ଏବେ ସେମାନେ ସେପ୍ଟେମ୍ବର ୨୭ରେ ଦିଲ୍ଲୀରେ ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆରେ ଅଷ୍ଟ୍ରେଲିଆକୁ ହ୍ୱାଇଟ୍ ଓ୍ୱାଶ କରିବା ଲକ୍ଷ୍ୟରେ ରହିବେ।

Comments are closed.