ନୂଆଦିଲ୍ଲୀ: ଅଖିଳେଶ ଯାଦବ ହୁଅନ୍ତୁ କି ମମତା ବାନାର୍ଜୀ। ପୂରା ବିରୋଧୀ ଏକ ସ୍ବର। ଭୋଟ୍ ଚୋରି ଅସ୍ତ୍ର ଚଳାଇ ବିରୋଧୀଙ୍କୁ ଗୋଟିଏ ମଞ୍ଚକୁ ଆଣିଛନ୍ତି ରାହୁଲ ଗାନ୍ଧୀ। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଇଣ୍ଡିଆ ବ୍ଲକର ନେତାମାନେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ବିହାରରେ ଭୋଟର ତାଲିକା ସଂଶୋଧନ ନାଁରେ ଜାଲିଆତି ଅଭିଯୋଗରେ ସଂସଦ ଭବନରୁ ବିରୋଧୀ ସାଂସଦ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମାର୍ଚ୍ଚରେ ବାହାରିଥିଲେ। ପୋଲିସ ଅଟକାଇବାକୁ ଉଦ୍ୟମ କରିଥିବା ବେଳେ ବ୍ୟାରିକେଡ୍ ଉପରେ ଚଢି ଯାଇଥିଲେ ଅଖିଳେଶ ଯାଦବ।
ରାହୁଲଙ୍କ ଭୋଟ୍ ଚୋରି କ୍ୟାମ୍ପେନ୍
ଭୋଟ୍ ଚୋରି ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ରାହୁଲ ଗାନ୍ଧୀ। ଏହାପରେ କଂଗ୍ରେସ ଭୋଟ୍ ଚୋରି ଉପରେ ଏକ ଓ୍ବେବ ପେଜ ଆରମ୍ଭ କରିଛି। ଏଥିରେ ପଂଜୀକରଣ କରି ଡିଜିଟାଲ ଭୋଟର ତାଲିକା ଦାବି କରିପାରିବେ ଲୋକେ। କଂଗ୍ରେସ ଭୋଟ୍ ଚୋରିକୁ ରାଜନୈତିକ ପ୍ରସଙ୍ଗ କରିବା ସହ ଲୋକଙ୍କ ସମର୍ଥନ ହାସଲ କରିବାକୁ ଉଦ୍ୟମ କରୁଛି। ନିରପେକ୍ଷ ନିର୍ବାଚନ ପାଇଁ ସ୍ବଚ୍ଛ ଭୋଟର ତାଲିକା ଜରୁରୀ, ଏନେଇ ସନ୍ଦେଶ ଦେଇ ରାଜନୈତିକ ପ୍ରସଙ୍ଗକୁ ଲୋକଙ୍କ ପ୍ରସଙ୍ଗ କରିବାରେ ଲାଗିଛି କଂଗ୍ରେସ।
ଭୋଟ୍ ଚୋରି: ବିରୋଧୀ ଏକାଠି
ଭୋଟ୍ ଚୋରି ପ୍ରସଙ୍ଗରେ ସଡ଼କରୁ ସଂସଦ ପର୍ଯ୍ୟନ୍ତ ଜୋରଦାର ବିରୋଧ କରୁଛନ୍ତି ବିରୋଧୀ ଦଳ। ଗତ 7ତାରିଖରେ ରାହୁଲ ଗାନ୍ଧୀ ଇଣ୍ଡିଆ ବ୍ଲକର ନେତାଙ୍କୁ ନିଜ ବାସଭବନରେ ଡିନର ପାର୍ଟି ଦେଇଥିଲେ। ଏଥିରେ 25ଟି ବିରୋଧୀ ଦଳର ପ୍ରାୟ 50ଦଣ ନେତା ସାମିଲ ହୋଇଥିଲେ। ସେଠାରେ ହିଁ ବିହାରରେ ଏସଆଇଆର ଓ ତଥାକଥିତ ଭୋଟ ଚୋରି ବିରୋଧରେ ଲଢିବାକୁ ସଂକଳ୍ପ ନେଇଥିଲେ। ଦୀର୍ଘ ଦିନ ଧରି ପରସ୍ପର ବିରୋଧରେ ସ୍ବର ଉଠାଉଥିବା ଇଣ୍ଡିଆ ମେଣ୍ଟର ନେତା ଭୋଟ ଚୋରି ପ୍ରସଙ୍ଗରେ ଏକଜୁଟ୍ ହୋଇଛନ୍ତି।
ମମତାଙ୍କଠାରୁ ପାଓ୍ବାର…ବିରୋଧୀ ଏକସ୍ବର
ରାହୁଲ ଗାନ୍ଧୀ ଭୋଟ୍ ଚୋରି ପ୍ରସଙ୍ଗ ଉଠାଇଥିବା ବେଳେ ପୂରା ବିରୋଧୀ ତାଙ୍କ ସମର୍ଥନରେ ଠିଆ ହୋଇଛନ୍ତି। ଅଖିଳେଶ ଯାଦବ ହୁଅନ୍ତୁ କି ମମତା ବାନାର୍ଜୀ କିମ୍ବା ଶରଦ ପାଓ୍ବାର, ସମସ୍ତେ ସ୍ବର ମିଳାଇଛନ୍ତି। ଏସଆଇଆର ପ୍ରକ୍ରିୟା ବିହାରରେ ଆରମ୍ଭ ହୋଇଥିବା ବେଳେ ଏହା ପରେ ତାମିଲନାଡୁ ଓ ପଶ୍ଚିମବଙ୍ଗରେ ହୋଇପାରେ। ତେଣୁ ରାହୁଲଙ୍କ ସମର୍ଥନରେ ସବୁ ଦଳ ଠିଆ ହୋଇ ମୋଦି ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ରାହୁଲଙ୍କ ଭୋଟ ଚୋରି ପ୍ରସଙ୍ଗ ସହ ବିହାରରେ ଏସଆଇଆରକୁ ଯୋଡି ବିଜେପି ବିରୋଧରେ ବଡ଼ ରାଜନୈତିକ ହତିଆର ଭାବେ ବ୍ୟବହାର କରିବାକୁ ଯୋଜନା କରିଛନ୍ତି ଇଣ୍ଡିଆ ମେଣ୍ଟର ନେତା।
Comments are closed.