ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ବେଳେ ଭୋଟ ଚୋରି ହୋଇଥିବା ନେଇ ଅଭିଯୋଗ କରି ବିରୋଧୀ ଶାସକ ଦଳକୁ ବଡ଼ ଅଡୁଆରେ ପକାଇଛି। ଏହି ସମୟରେ ପୁଣି ଉପରାଷ୍ଟ୍ରପତି ନିର୍ବାଚନ। ଏପରି ସ୍ଥିତିରେ ନିର୍ବାଚନ ବେଳେ ଦେଖି ଚାହିଁ ମୈଦାନକୁ ସୁଚିନ୍ତିତ ଭାବେ ମୈଦାନକୁ ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କୁ ଆଣିିଛି ବିଜେପି-ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି। ରବିବାର ବିଜେପି ସଂସଦୀୟ ବୋର୍ଡର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ। ତେବେ ଏନଡିଏର ଏହି ଘୋଷଣା ବିରୋଧୀ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ଉଦ୍ଧବ ଠାକରେ ନେତୃତ୍ୱାଧୀନ ଦଳର ନେତା ରାଧାକୃଷ୍ଣନଙ୍କୁ ପ୍ରଶଂସା କରିଥିବା ବେଳେ କଂଗ୍ରେସ ଏହାକୁ ସମାଲୋଚନା କରିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଏକ ପୋଷ୍ଟ କରି ରାଧାକୃଷ୍ଣନଙ୍କ ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି। ସେ କହିଛନ୍ତି, “ସିପି ରାଧାକୃଷ୍ଣନ ଜଣେ ବରିଷ୍ଠ ନେତା। ତାଙ୍କର ବିଭିନ୍ନ ପଦବୀରେ ସେ ସବୁବେଳେ ସମାଜସେବା ଓ ଉପେକ୍ଷିତ ଲୋକଙ୍କ ଉନ୍ନତି ପାଇଁ କାମ କରିଛନ୍ତି। ତାମିଲନାଡୁରେ ସେ ତୃଣମୂଳ ସ୍ତରରେ କାମ କରିଛନ୍ତି।”
ମୋଦୀ ଆହୁରି କହିଛନ୍ତି, “ସାଂସଦ ଓ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ ତାଙ୍କର ଅଭିଜ୍ଞତା ରହିଛି। ତାଙ୍କର ସଂସଦୀୟ ହସ୍ତକ୍ଷେପ ସବୁବେଳେ ଗଭୀର ଓ ତୀକ୍ଷ୍ଣ ରହିଛି। ରାଜ୍ୟପାଳ ଥିବା ସମୟରେ ସେ ସାଧାରଣ ନାଗରିକଙ୍କ ସମସ୍ୟା ସମାଧାନ ଉପରେ ଧ୍ୟାନ ଦେଇଛନ୍ତି। ଏହି ଅଭିଜ୍ଞତା ତାଙ୍କୁ ସାମ୍ବିଧାନିକ ବିଷୟରେ ବିସ୍ତୃତ ଜ୍ଞାନ ଦେଇଛି। ମୁଁ ନିଶ୍ଚିତ ଯେ ସେ ଜଣେ ପ୍ରେରଣାଦାୟୀ ଉପରାଷ୍ଟ୍ରପତି ହେବେ।”
ଚନ୍ଦ୍ରପୁରମ ପୋନ୍ନୁସାମୀ ରାଧାକୃଷ୍ଣନ, ଯିଏ ସିପି ରାଧାକୃଷ୍ଣନ ନାମରେ ପରିଚିତ, ୨୦୨୪ ଜୁଲାଇ ୩୧ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ଏହା ପୂର୍ବରୁ ସେ ପ୍ରାୟ ୧୮ ମାସ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁର ତିରୁପ୍ପୁରରେ ଜନ୍ମଗ୍ରହଣ କରିଥିବା ରାଧାକୃଷ୍ଣନ ପ୍ରଶାସନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।
ତାଙ୍କର ରାଜନୈତିକ ଯାତ୍ରା ଅତି ଯୁବାବସ୍ଥାରୁ ଆରମ୍ଭ ହୋଇଥିଲା। ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହ ଜଡ଼ିତ ଥିଲେ ଓ ୧୯୭୪ରେ ଭାରତୀୟ ଜନସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହୋଇଥିଲେ। ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ସେ ତାମିଲନାଡୁ ବିଜେପିର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଛନ୍ତି।
ସିପି ରାଧାକୃଷ୍ଣନଙ୍କୁ ପ୍ରଶଂସା କଲେ ଉଦ୍ଧବ ଗୋଷ୍ଠୀର ନେତା
ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଶୁକ୍ରବାର ମହାରାଷ୍ଟ୍ର ରାଜ୍ୟପାଳ ତଥା ବିଜେପି ନେତା ସିପି ରାଧାକୃଷ୍ଣନଙ୍କୁ ପ୍ରଶଂସା କରିଛନ୍ତି। ରାଉତ କହିଛନ୍ତି, “ସିପି ରାଧାକୃଷ୍ଣନ ଜଣେ ଭଲ ବ୍ୟକ୍ତିତ୍ୱ। ସେ ବିବାଦରୁ ଦୂରରେ ରହିଛନ୍ତି। ତାଙ୍କର ଜନସେବାରେ ଅଭିଜ୍ଞତା ରହିଛି। ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି।”
ବିରୋଧୀ ଦଳର ସଦସ୍ୟ ଭାବେ ସଞ୍ଜୟଙ୍କ ଏହି ବୟାନ ସ୍ପଷ୍ଟ କରୁଛି ଯେ ଭୋଟିଂ ବେଳେ ତାଙ୍କ ଦଳ ସିପିଙ୍କ ସପକ୍ଷରେ ମତଦାନ କରିପାରନ୍ତି। ଯଦିଓ ବିଧିବଦ୍ଧ ଭାବେ ଘୋଷଣା କରିନାହାନ୍ତି। ତେବେ ଇଣ୍ଡିଆ ମେଣ୍ଟ ଏପର୍ଯ୍ୟନ୍ତ ତାଙ୍କର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିନାହିଁ। ଆଗାମୀ ସପ୍ତାହରେ ଏକ ବୈଠକରେ ମେଣ୍ଟ ତାଙ୍କର ପ୍ରାର୍ଥୀ ଚୟନ କରିବ ବୋଲି ସୂଚନା ରହିଛି।
ବଡ଼କଥା ହେଉଛି ଉପରାଷ୍ଟ୍ରପତି ନିର୍ବାଚନ ବେଳେ ଏନଡିଏର ସଂଖ୍ୟା ଅଧିକ ରହିଛି। ତେଣୁ ବିଜୟ ଏକ ପ୍ରକାର ସୁନିଶ୍ଚିତ। ଏପରି ସ୍ଥିତିରେ ବିରୋଧୀ କାହାକୁ କରିବେ ଉପରାଷ୍ଟ୍ରପତି ପ୍ରାର୍ଥୀ ତାହା ଉପରେ ରହିଛି ନଜର।
ଉଦିତ ରାଜଙ୍କ ସମାଲୋଚନା
କଂଗ୍ରେସ ନେତା ଉଦିତ ରାଜ ଏହି ଘୋଷଣାକୁ କଡ଼ା ସମାଲୋଚନା କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, “ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ତିନୋଟି ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି, ଆରଏସଏସକୁ ଖୁସି କରିବା, ତାମିଲନାଡୁରେ ବିଜେପିର ଆଧାର ମଜବୁତ କରିବା ଓ ରାଷ୍ଟ୍ରପତି ପଦକୁ ନିଜ କିମ୍ବା ନିଜ ସମର୍ଥକଙ୍କ ପାଇଁ ସଂରକ୍ଷଣ କରିବା।” ସେ ଅଭିଯୋଗ କରିଛନ୍ତି ଯେ ମୋଦୀ ସରକାର ଉପରାଷ୍ଟ୍ରପତି ପଦର ଗୁରୁତ୍ୱ ହ୍ରାସ କରିଛନ୍ତି।
କଂଗ୍ରେସ ନେତା ମନୀଷ ହିନ୍ଦଭି ମଧ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, “ସମସ୍ୟା କିଏ ଉପରାଷ୍ଟ୍ରପତି ହେବେ ତାହା ନୁହେଁ, ସମସ୍ୟା ହେଉଛି ସରକାର ଶାସନକୁ ନିଜ ଇଚ୍ଛାମୁତାବକ ଚଳାଉଛନ୍ତି। ଧନଖଡ଼ ବିଜେପିର ଭାଷାରେ କଥା ହେଉଥିବା ପର୍ଯ୍ୟନ୍ତ ସବୁ ଠିକ୍ ଥିଲା, କିନ୍ତୁ ଭିନ୍ନ କଥା କହିବା ମାତ୍ରେ ତାଙ୍କୁ ହଟାଇ ଦିଆଗଲା।”
ତେବେ ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ମିଡିଆ ଅଧ୍ୟକ୍ଷ ସତୀଶ ପଲ ମୁଞ୍ଜିନି ଏକ ସତର୍କ ମନ୍ତବ୍ୟ ଦେଇ କହିଛନ୍ତି, “ଏନଡିଏ ସିପି ରାଧାକୃଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି, ମୁଁ ଏହାକୁ ସ୍ୱାଗତ କରୁଛି। ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ସେ ଦାୟିତ୍ୱ ନିଭାଇଛନ୍ତି। ଆମେ ଆଶା କରୁଛୁ ସେ ସମ୍ବିଧାନର ରକ୍ଷା କରିବେ ଓ ଦେଶର ସ୍ୱାର୍ଥରେ କାମ କରିବେ।”
ଡିଏମକେ କରିବ ସମର୍ଥନ?
ଏନଡିଏ ଏଭଳି ପ୍ରାର୍ଥୀ ଦେଇଛି ଯେ ତାମିଲନାଡୁର ଶାସକ ଦଳ ଡିଏମକେ ପାଇଁଁ ଅଡୁଆ ବଢ଼ିଛି। କୁହାଯାଉଛି ଡିଏମକେର ସ୍ଥିତି ଏବେ ଜଗଦୀପ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ ହେବେ ବେଳେ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ଭଳି। କାରଣ ପଶ୍ଚିମବଙ୍ଗରେ ଉପରାଜ୍ୟପାଳ ଥିବା ବେଳେ ଧନଖଡ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦ ସମସ୍ତଙ୍କୁ ଜଣା। ଏପରି ସ୍ଥିତିରେ ଭୋଟ୍ ବେଳେ ଟିଏମସି ଭୋଟ ଦାନରୁ ବିରତି ରହି ପରୋକ୍ଷରେ ସମର୍ଥନ କରିଥିଲା। ତେଣୁ ଏବେ ଜଣେ ତାମିଲନାଡୁର ନେତାଙ୍କୁ ଡିଏମକେ ଭୋଟ୍ ଦେବ ନା ବିରୋଧ କରିବ ତାହା ଉପରେ ସମସ୍ତଙ୍କ ନଜର।
ତାମିଲନାଡୁ ନିର୍ବାଚନ ପାଇଁ ବିଜେପିର ରଣନୀତି?
ସିପି ରାଧାକୃଷ୍ଣନଙ୍କ ପ୍ରାର୍ଥୀତ୍ୱକୁ ବିଜେପିର ଏକ ରଣନୈତିକ ପଦକ୍ଷେପ ଭାବେ ଦେଖାଯାଉଛି। ଆଗାମୀ ବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ତାମିଲନାଡୁରେ ବିଜେପିର ପ୍ରଭାବ ବଢ଼ାଇବା ପାଇଁ ଦଳ ଏଆଇଏଡିଏମକେ ସହ ପୁଣି ମେଣ୍ଟ କରିଛି। ରାଧାକୃଷ୍ଣନଙ୍କ ନିଯୁକ୍ତି ରାଜ୍ୟରେ ଶାସକ ଦଳ ଡିଏମକେର ପ୍ରଭାବକୁ ମୁକାବିଲା କରିବାର ଏକ ପ୍ରୟାସ ହୋଇପାରେ।
ରାଧାକୃଷ୍ଣନଙ୍କ ରାଜନୈତିକ ଜୀବନ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଛି। ସେ କୋଇମ୍ବାଟୁରରୁ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ସଭାପତି ଥିବା ସମୟରେ ସେ ୧୯ ହଜାର କିଲୋମିଟରର ଏକ ରଥଯାତ୍ରା କରିଥିଲେ। ୯୩ ଦିନ ଧରି ଚାଲିଥିବା ଏହି ଯାତ୍ରାରେ ସେ ନଦୀ ସଂଯୋଗ, ଆତଙ୍କବାଦ ନିର୍ମୂଳ, ଏକସମାନ ନାଗରିକ ସଂହିତା, ଅସ୍ପୃଶ୍ୟତା ଦୂରୀକରଣ ଓ ମାଦକ ଦ୍ରବ୍ୟ ବିରୋଧୀ ପଦକ୍ଷେପ ପାଇଁ ଦାବି ଉଠାଇଥିଲେ। ଏହା ସହ ସେ ଦୁଇଟି ପଦଯାତ୍ରା ମଧ୍ୟ କରିଛନ୍ତି।
ନିର୍ବାଚନ ଆୟୋଗ ଅନୁସାରେ, ଉପରାଷ୍ଟ୍ରପତି ନିର୍ବାଚନ ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବ। ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ଏବଂ କାଗଜପତ୍ର ଯାଞ୍ଚ ଅଗଷ୍ଟ ୨୨ରେ ହେବ।
Comments are closed.