Ankush Panghal Makes History:ଭାରତୀୟ ବକ୍ସର ରଚିଲେ ଇତିହାସ; ତିନୋଟି ସ୍ୱର୍ଣ୍ଣ ପଦକ ହାସଲ, ୮ ବର୍ଷ ପରେ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ବକ୍ସିଂରେ ଭାରତର ନିଜର ଷଷ୍ଠ ପଦକ ଏବଂ ତୃତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଛି । ୮୦ କିଲୋଗ୍ରାମ ବର୍ଗର ଫାଇନାଲ୍ ମୁକାବିଲାରେ, ଭାରତୀୟ ବକ୍ସର ଅଙ୍କୁଶ ପାଙ୍ଗାଲ ଦକ୍ଷିଣ କୋରିଆର କିମ୍ ମ୍ୟୋନ୍ସାଙ୍ଗ୍ଙ୍କୁ ୪-୦ ବ୍ୟବଧାନରେ ଶୋଚନୀୟ ଭାବେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ଅଙ୍କୁଶଙ୍କ ପାଇଁ ଏସୀୟ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ ପଦକ ଏବଂ ଗତ ଆଠ ବର୍ଷ ମଧ୍ୟରେ ପୁରୁଷ ବକ୍ସିଂରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଅଟେ। ଅଙ୍କୁଶ ନିଜର ଉତ୍କୃଷ୍ଟ ଫର୍ମ ବଜାୟ ରଖିଛନ୍ତି; ପୂର୍ବରୁ ସେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୨୦୨୬ କମନୱେଲଥ୍ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଐତିହାସିକ ବିଜୟ ଯୋଗୁଁ ଭାରତ ବର୍ତ୍ତମାନ ପଦକ ତାଲିକାର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି।
ସୂଚନାଥାଉକି, ନିଜ ଜନ୍ମଦିନ ଅବସରରେ, ଲଭଲିନା ବୋରଗୋହାଇନ୍ (Lovlina Borgohain)ଏସୀୟ କ୍ରୀଡ଼ା ୨୦୨୬ର ମହିଳା ୭୫ କିଗ୍ରା ବକ୍ସିଂ ସ୍ୱର୍ଣ୍ଣ ପଦକ ମୁକାବିଲାରେ ଚୀନ୍ର ବାଓ ଜିୟିଙ୍କ ସହ ଲଢ଼ିଥିଲେ; ସେ ତିନୋଟିଯାକ ରାଉଣ୍ଡ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଥିଲେ। ଅନ୍ୟପକ୍ଷରେ, ମହିଳା ୬୫ କିଗ୍ରା ବର୍ଗର ସ୍ୱର୍ଣ୍ଣ ପଦକ ମୁକାବିଲାରେ ଭାରତୀୟ ବକ୍ସର ପରଭୀନ୍ ଚାଇନିଜ୍ ତାଇପେର ଚେନ୍ ନିଏନ୍-ଚିନ୍ଙ୍କ ସହ ମୁକାବିଲା କରିଥିଲେ ଏବଂ ଉକ୍ତ ମ୍ୟାଚ୍ ସହ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିବାରେ ସଫଳ ହୋଇଥିଲେ।
ଏହା ବ୍ୟତୀତ, ଅଙ୍କୁଶ ପାଙ୍ଗାଲ ପୁରୁଷଙ୍କ ୮୦ କିଲୋଗ୍ରାମ ବର୍ଗର ସ୍ୱର୍ଣ୍ଣ ପଦକ ମୁକାବିଲାରେ କିମ୍ ମ୍ୟୋନ୍ସାଙ୍ଗ୍ଙ୍କ ସହ ଲଢ଼ିଥିଲେ ଏବଂ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସଫଳ ହୋଇଥିଲେ।
ଏସୀୟ କ୍ରୀଡ଼ା ଇତିହାସରେ ସ୍ୱର୍ଣ୍ଣ ପଦକ ଦୃଷ୍ଟିରୁ ଏହା ଭାରତୀୟ ବକ୍ସିଂ ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଏଥର ଭାରତ ମୋଟ ଛଅଟି ପଦକ ହାସଲ କରିଛି, ଯେଉଁଥିରେ ତିନୋଟି ସ୍ୱର୍ଣ୍ଣ ଓ ତିନୋଟି ବ୍ରୋଞ୍ଜ ପଦକ ସାମିଲ ଅଛି। ଅଙ୍କୁଶ ପାଙ୍ଗାଲ ଇତିହାସ ସୃଷ୍ଟି କରି ଆଠ ବର୍ଷ ମଧ୍ୟରେ ଭାରତ ପାଇଁ ପୁରୁଷ ବକ୍ସିଂରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

