Latest Odisha News

BREAKING NEWS

ଭାରତ ଓ ବ୍ରାଜିଲ ମଧ୍ୟରେ ୩ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଶନିବାର ଭାରତ ଓ ବ୍ରାଜିଲ ମଧ୍ୟରେ ୩ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଏହି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ରେୟାର ଆର୍ଥ ମିନେରାଲ୍ସ ଠାରୁ ଆରମ୍ଭ କରି ଡିଜିଟାଲ ପାର୍ଟନର୍ସିପ୍ ଓ ଖଣି ସହଯୋଗ ସମେତ ଏକାଧିକ କ୍ଷେତ୍ରରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁଇ ଦେଶ ପାରସ୍ପରିକ ବାଣିଜ୍ୟକୁ ୨୦ ବିଲିଅନ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଏହି ଡିଲ୍ କରିଛନ୍ତି ।

ଉଭୟ ପକ୍ଷ ଶକ୍ତି, ବାଣିଜ୍ୟ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସେମାନଙ୍କର ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବାକୁ ସଂକଳ୍ପ ନେଇଥିଲେ । ମିଳିତ ଭାବରେ ଜାତିସଂଘ ସଂସ୍କାର ପାଇଁ ଗ୍ଲୋବାଲ୍ ସାଉଥ୍‌ର ସ୍ୱରକୁ ଆହୁରି ମଜବୁତ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ଏବଂ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ ଡଲାରରୁ ଅଧିକ ବୃଦ୍ଧି କରିବାର ଲକ୍ଷ୍ୟକୁ ପୁନଃନିର୍ଦ୍ଦିଷ୍ଟ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମିଳିତ ସମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଥିଲେ ଯେ, “ରାଷ୍ଟ୍ରପତି ଲୁଲା ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତରେ ସ୍ୱାଗତ କରି ମୁଁ ଆନନ୍ଦିତ । ଭାରତ-ବ୍ରାଜିଲ ସମ୍ପର୍କ ଦୀର୍ଘ ଦିନ ଧରି ରାଷ୍ଟ୍ରପତି ଲୁଲାଙ୍କ ଦୃଷ୍ଟିକୋଣ ଏବଂ ପ୍ରେରଣାଦାୟକ ନେତୃତ୍ୱରୁ ଲାଭବାନ ହୋଇଆସିଛି । ଆମେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ ଡଲାରରୁ ଅଧିକ ନେବାକୁ ପ୍ରତିବଦ୍ଧ ହୋଇଛୁ। ଆମର ବାଣିଜ୍ୟ କେବଳ ଏକ ସଂଖ୍ୟା ନୁହେଁ, ଏହା ବିଶ୍ୱାସର ପ୍ରତିଫଳନ।”

ରାଷ୍ଟ୍ରପତି ଲୁଲା ଏହି ବୈଠକକୁ ଗ୍ଲୋବାଲ୍ ସାଉଥର ଦୁଇଟି ପ୍ରମୁଖ ବିଶ୍ୱ ଶକ୍ତି ମଧ୍ୟରେ ଏକ ସହଭାଗୀତା ଭାବରେ ବର୍ଣ୍ଣନା କରିଥିଲେ । ଭାରତ-ବ୍ରାଜିଲ୍ ସମ୍ପର୍କର ରଣନୈତିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏନେଇ ସେ କହିଥିଲେ “ମୋର ପ୍ରିୟ ବନ୍ଧୁ ମୋଦି, ଷଷ୍ଠ ଥର ପାଇଁ ଏହି ଦେଶକୁ ଆସିବା ମୋ ପାଇଁ ଖୁସିର କାରଣ। ଭାରତ ଏବଂ ବ୍ରାଜିଲ ମଧ୍ୟରେ ଏହି ବୈଠକ ଏକ ଶ୍ରେଷ୍ଠ ବୈଠକ। ଆମେ କେବଳ ବିଶ୍ୱ ଦକ୍ଷିଣର ଦୁଇଟି ବୃହତ୍ ଗଣତନ୍ତ୍ର ନୁହେଁ। ଏହା ଏକ ନବୀକରଣୀୟ ଶକ୍ତି ମହାଶକ୍ତି ସହିତ ଏକ ଡିଜିଟାଲ୍ ମହାଶକ୍ତିର ବୈଠକ।”

ଲୁଲା ଆହୁରି କହିଛନ୍ତି “ଏକ ଅଶାନ୍ତ ବିଶ୍ୱ ପରିସ୍ଥିତି ପାଇଁ ଆମ ଦେଶଗୁଡ଼ିକୁ ରଣନୈତିକ ଆଲୋଚନାକୁ ମଜବୁତ ଏବଂ ଗଭୀର କରିବାକୁ ପଡିବ। ଭାରତ ଏବଂ ବ୍ରାଜିଲ ଜାତିସଂଘ, ବିଶ୍ୱ ବାଣିଜ୍ୟ ସଂଗଠନ ଏବଂ G20 ରେ ଗୁରୁତ୍ୱପୂର୍ଣ୍ଣ ସ୍ୱର ହୋଇପାରିଛନ୍ତି।”

Leave A Reply

Your email address will not be published.