Latest Odisha News

BREAKING NEWS

ଡେରାଡୁନରେ ଚିକିତ୍ସିତ ହେଉଥିବା ଋଷଭ ପନ୍ତଙ୍କୁ ମୁମ୍ବାଇ ଆଣିବ ବିସିସିଆଇ: ଉନ୍ନତ ଚିକିତ୍ସା ପାଇଁ ବିଦେଶ ପଠାଇ ପାରେ ବୋର୍ଡ

ମୁମ୍ବାଇ: କାର୍ ଦୁର୍ଘଟଣାରେ ଶିକାର ହୋଇ ଡେରାଡୁନରେ ଚିକିତ୍ସିତ ହେଉଥିବା ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କୁ ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇ ଅଣାଯିବ। ଏନେଇ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଲିଗାମେଣ୍ଟ ଛିଡ଼ିବା ସହିତ ଅନ୍ୟାନ୍ୟ ଆହତର ଚିକିତ୍ସା ଏହିଠାରେ କରାଯିବ ବୋଲି ସୂଚନା ମିଳିଛି। ନୂଆ ବର୍ଷରେ ମାଆକୁ ଉପହାର ଦେବା ପାଇଁ ପନ୍ତ ଡିସେମ୍ବର ୩୦ ତାରିଖରେ ଦିଲ୍ଲୀରୁ ଫେରୁଥିବାବେଳେ ରୁଡକୀ ଠାରେ ତାଙ୍କର ମର୍ସିଟିଜ୍ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ପନ୍ତ ନିଜେ ଗାଡ଼ି ଚଳାଇ ଆସୁଥିବା ବେଳେ ତାଙ୍କ ଆଖି ଲାଗିଯିବାରୁ ରୋଡ୍ ଡିଭାଇଡରରେ ପିଟି ହୋଇ କାର୍ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏଥିରେ ପନ୍ତ ଦୁରୁତର ଆହତ ହୋଇଥିଲେ। ତାଙ୍କର ମର୍ସିଟିଜ୍ କାର୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଗାଡ଼ିରେ ନିଆଁ ଲାଗିଯିବା ପରେ ପନ୍ତ କାର୍ କାଚ ଭାଙ୍ଗି ବାହାରକୁ ଚାଲିଆସିଥିଲେ। ରାସ୍ତାରେ ଯାଉଥିବା ଲୋକଙ୍କୁ ସହଯୋଗ ମାଗିଥିଲେ। ସେବେଠାରୁ ପନ୍ତ ଡେରାଡୁନର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ସେ ଧୀରେ ଧୀରେ ସୁସ୍ଥ ମଧ୍ୟ ହେଉଛନ୍ତି ବୋଲି ଜଣାପଡିଛି।

ହେଲେ ପନ୍ତ ମୁମ୍ବାଇ ସ୍ଥାନାନ୍ତର ହେବା ପରେ ବିସିସିଆଇ ଡାକ୍ତରୀ ଟିମ୍ ସମସ୍ତ ମେଡିକାଲ ରିପୋର୍ଟକୁ ଯାଞ୍ଚ କରିବ। ଭଲଭାବରେ ସ୍ଥିତି ପରଖିବା ପରେ ଉନ୍ନତ ଚିକିତ୍ସା ପାଇଁ ହୁଏତ ତାଙ୍କୁ ଲଣ୍ଡନ ପଠାଯାଇପାରେ ବୋଲି ସୂଚନା ମିଳିଛି। ଋଷଭଙ୍କର ଲିଗାମେଣ୍ଟ ଛିଡ଼ିବା ଚିକିତ୍ସା ଉପରେ ବିସିସିଆଇ ଗରୁତ୍ୱ ଦେଇଛି।କାରଣ ସେ ସୁସ୍ଥ ହୋଇ ଫେରିବା ଟିମ୍ ପାଇଁ ବେଶ ଦୁରୁତ୍ୱପୂର୍ଣ୍ଣ।

ଦୁର୍ଘଟଣାରେ ଶିକାର ହୋଇଥିବା ପନ୍ତଙ୍କର ଅନେକ ସ୍ଥାନରେ ଆଘାତ ଲାଗିଛି। କପାଳରେ ଦୁଇଟି ଖଣ୍ଡିଆ ହୋଇଥିବା ବେଳେ ଡାହାଣ ଗୋଡ଼ ଆଣ୍ଠୁରେ ଲିଗାମେଣ୍ଟ ଛିଡ଼ିଛି। ତା ସହ ଡାହାଣ ହାତ କଚଟିରେ ମାଡ଼ ହେବା ସହ ଗୋଇଠି ଓ ଗୋଡ଼ ଆଙ୍ଗୁଳି ଆଘାତ ଲାଗିଛି। ପିଠିରେ ଛାଲି ପଡ଼ିଯାଇଛି।

ତେବେ ସୂଚନା ଥାଉକି ସେଦିନ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଦୁଇ ସ୍ଥାନୀୟ ବ୍ୟକ୍ତି ପନ୍ତଙ୍କୁ ଜଳୁଥିବା କାର୍‌ରୁ ଉଦ୍ଧାର କରିଥିଲେ। ସେମାନେ ହେଲେ ରଜତ ଏବଂ ନିଶୁ। ସୋମବାର ପନ୍ତ ସେମାନଙ୍କୁ ହସ୍‌ପିଟାଲ୍‌ରେ ଭେଟି କୃତଜ୍ଞତା ଜ୍ଞାପନ କରିଥିଲେ। ଦୁର୍ଘଟଣା ସମୟରେ ଏହି ଦୁଇଜଣ ଉପସ୍ତିତ ରହିବା ସହିତ ତୁରନ୍ତ ଗାଡ଼ି ପାଖକୁ ଯାଇ ପନ୍ତଙ୍କୁ ବାହାରକୁ କାଢ଼ିଆଣିଥିଲେ। ଏହାପରେ ଜଣେ ବସ୍‌ ଡ୍ରାଇଭର ସୁଶୀଲ କୁମାର ସେଠାରେ ପହଞ୍ଚି ଆମ୍ବୁଲାନ୍ସ ବ୍ୟବସ୍ଥା କରି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ପୁଲିସକୁ ଖବର ଦେଇଥିଲେ।

 

Leave A Reply

Your email address will not be published.