କଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତ ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଦୃଢ଼ ସ୍ଥ୍ିତିରେ ରହିଛି । ୯ ୱିକେଟ ବିନିମୟରେ ୫୦୩ ରନ କରିବା ପରେ ଟିମ ଇଣ୍ଡିଆ ଇନିଂସ ଘୋଷଣା କରିଥିଲା । ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ମାତ୍ର ୮ ରନ୍ରେ ୨ଟି ୱିକେଟ୍ ହରାଇ ଚାପରେ ରହିଛି । ଟସ୍ ଜିତି ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଦିନରେ ଦେବଦତ୍ତ ପଡ଼ିକ୍କଲଙ୍କ ଶତକ (୧୧୭ ରନ୍) ଏବଂ ଅଧିନାୟକ ଶୁଭମନ ଗିଲଙ୍କ ଅର୍ଦ୍ଧଶତକ (୫୦ ରନ୍) ବଳରେ ୫ ୱିକେଟ୍ ହରାଇ ୩୦୦ ରନ୍ ସଂଗ୍ରହ କରିଥିଲା । କେ.ଏଲ. ରାହୁଲ ୧୮ ଓ ଯଶସ୍ୱୀ ଜୈସୱାଲ ୪୫ ରନ୍ କରି ଆଉଟ୍ ହୋଇଥିଲେ ।
ଆଘାତ ଲାଗି ୩ ରନ୍ରେ ରିଟାୟର୍ଡ ହର୍ଟ ହୋଇଥିବା ଋଷଭ ପନ୍ତ, ଦ୍ୱିତୀୟ ଦିନ ୬୩ ରନ୍ର ସାହସିକ ଇନିଂସ ଖେଳିଥିଲେ । ଧ୍ରୁବ ଜୁରେଲ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରି ୧୧୫ ରନ୍ରେ ଅପରାଜିତ ରହିଥିଲେ । ସେ ପନ୍ତଙ୍କ ସହ ୭ମ ୱିକେଟ୍ ପାଇଁ ୧୧୨ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ । ରବୀନ୍ଦ୍ର ଜାଡେଜା ୪୩ ରନ୍ ଏବଂ ମାନବ ସୁଥାର ୧୮ ରନ୍ର ଯୋଗଦାନ ଦେଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଅସିଥା ଫର୍ନାଣ୍ଡୋ ସବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ପ୍ରଭାତ ଜୟସୂର୍ୟ୍ୟା ଓ କେଶରା ନୁୱାନଥା ୨ଟି ଲେଖାଏଁ ଏବଂ ଲାହିରୁ କୁମାରା ୧ଟି ୱିକେଟ୍ ପାଇଥିଲେ । ୫୦୩ ରନ୍ର ଜବାବରେ ଓହ୍ଲାଇଥିବା ଶ୍ରୀଲଙ୍କା ଦଳ ମାତ୍ର ୩ ଓଭରର ଖେଳ ମଧ୍ୟରେ ୨ଟି ୱିକେଟ୍ ହରାଇ ଚାପରେ ରହିଛି ।

