Latest Odisha News

BREAKING NEWS

ନକଲି ପନିର ବିକିଲେ ବ୍ୟବସାୟୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆସିଲାଣି ପାର୍ବଣ ଋତୁ। ମିଠା ବଜାରର ଚାହିଦା ମଧ୍ୟ ବଢିଛ, କିନ୍ତୁ ଏହି ସମୟରେ ବଜାରରେ ବିକ୍ରି ହେଉଛି ନକଲି ପନିର ଓ ଛେନା। ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ବିଭିନ୍ନ ମିଠା ଦୋକାନରେ BMC ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ରାଖୀ ପୂର୍ଣ୍ଣିମା ପୂର୍ବରୁ ରାଜଧାନୀରେ ନକଲି ଛେନା ଓ ପନିର ବିରୋଧରେ ଜୋରଦାର ହୋଇଛି ଯାଞ୍ଚ। ଅନ୍ୟପଟେ ନକଲି ପନିର ବିକ୍ରି ଉପରେ ସରକାର କଡ଼ା ନଜର ରଖିଛନ୍ତି।

ବଜାରରେ ନକଲି ପନିର ବିକ୍ରି ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସିବା ପରେ ଏନେଇ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ। ନକଲି ପନିର ସହ ଅନ୍ୟ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ଉପରେ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ନକଲି ପନିର ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପାଖରେ ପୂର୍ବରୁ ସୂଚନା ଥିଲା। ଗତ ୭ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ବିଶେଷକରି ନକଲି ପନିର ଓ ଅନ୍ୟ ନକଲି ଖାଦ୍ୟ ସାମଗ୍ରୀର ଉତ୍ପାଦନ ଏବଂ ବିକ୍ରି ଉପରେ ନଜର ରଖାଯାଉଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି।

ସନ୍ଦେହଜନକ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଯାଉଛି। ନିୟମ ଉଲ୍ଲଂଘନ କରି ନକଲି କିମ୍ବା ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ନିୟମାନୁସାରେ କଠୋର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଆଗକୁ ପାର୍ବଣ ଋତୁ ଥିବାରୁ ବଜାରକୁ ବିଭିନ୍ନ ପ୍ରକାର ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଆସିବାର ଆଶଙ୍କା ରହିଛି । ତେଣୁ ଖାଦ୍ୟ କିଣିବା ସମୟରେ ଗ୍ରାହକମାନେ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଖାଦ୍ୟ ସାମଗ୍ରୀର ମାନ, ଉତ୍ପାଦନ ତାରିଖ, ମିଆଦ ତାରିଖ ଏବଂ ପ୍ୟାକେଟ୍‌ରେ ଥିବା ଲେବଲ୍‌ ଯାଞ୍ଚ କରିବା ପରେ ହିଁ ଖାଦ୍ୟ କିଣିବାକୁ କୁହାଯାଇଛି ।

Leave A Reply

Your email address will not be published.