ନୂଆଦିଲ୍ଲୀ: ଆମେରିକା ଇରାନର ରଣନୈତିକ ଚାବାହାର ବନ୍ଦର ଉପରେ ୨୦୧୮ ରେ ଦିଆଯାଇଥିବା ପ୍ରତିବନ୍ଧକ କୋହଳ (Sanctions Waiver)କୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ୨୯ ସେପ୍ଟେମ୍ବର, ୨୦୨୫ ରେ କାର୍ଯ୍ୟକାରୀ ହେବ ଏବଂ ଏହାକୁ ୱାଶିଂଟନର “ସର୍ବାଧିକ ଚାପ” ଅଭିଯାନ ରଣନୀତିର ଏକ ଅଂଶ ଭାବରେ ବର୍ଣ୍ଣନା କରାଯାଇଛି। ଏପଟେ ଇରାନର ଚାବାହାର ବନ୍ଦର ସମ୍ପର୍କରେ ଆମେରିକାର ନିଷ୍ପତ୍ତିକୁ ନେଇ ଭାରତ କହିଛି ଯେ ସମଗ୍ର ମାମଲାକୁ ଭଲଭାବେ ଅନୁଧ୍ୟାନ କରାଯାଉଛି।
ବୈଦେଶିକ ମନ୍ତ୍ରଣାଳୟ (MEA) ନିଜର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି। ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, “ଭାରତ ଚାବାହାର ଉପରେ ଆମେରିକାର ନିଷ୍ପତ୍ତି ଅଧ୍ୟୟନ କରୁଛି। ଏହା ଭାରତକୁ କିପରି ପ୍ରଭାବିତ କରିବ ତାହା ଆମେ ମୂଲ୍ୟାଙ୍କନ କରୁଛୁ।”
ସୂଚନାଥାଉକି,ଆମେରିକା ସରକାର ଇରାନର ଚାବାହାର ବନ୍ଦର ସହିତ ଜଡିତ କାର୍ଯ୍ୟକଳାପ ପାଇଁ ସ୍ୱତନ୍ତ୍ର ଛାଡ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି, ଯାହା ଭାରତକୁ ନିଶ୍ଚିତ ଭାବରେ ପ୍ରଭାବିତ କରିବ । ଆଫଗାନିସ୍ତାନର ପୁନଃନିର୍ମାଣ ଏବଂ ବାଣିଜ୍ୟ ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକ ପ୍ରଭାବିତ ନହେବ, ସେଥିପାଇଁ ପାଇଁ ୨୦୧୮ ମସିହାରେ ଏହି ଛାଡ଼ ଦିଆଯାଇଥିଲା। ଇରାନର ଓମାନ ଉପସାଗର ଉପକୂଳରେ ଅବସ୍ଥିତ ଏହି ବନ୍ଦର, ପାକିସ୍ତାନକୁ ବାଇପାସ କରି ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆକୁ ଏକ ବାଣିଜ୍ୟ ଏବଂ ପରିବହନ ପଥ ସ୍ଥାପନ କରିବା ପାଇଁ ଭାରତର ରଣନୀତିର କେନ୍ଦ୍ରବିନ୍ଦୁ ହୋଇଆସିଛି। ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର ମାଧ୍ୟମରେ ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଭାରତ ୨୦୦୩ ମସିହାରେ ଏହି ପ୍ରକଳ୍ପ ପ୍ରସ୍ତାବ ଦେଇଥିଲା।
ଭାରତ ଏହି ବନ୍ଦର ଦେଇ ଅନେକ ରଣନୈତିକ ଯୋଗାଣ ମଧ୍ୟ କରିଛି। ୨୦୨୩ ମସିହାରେ ଆଫଗାନିସ୍ତାନକୁ ୨୦,୦୦୦ ଟନ୍ ଗହମ ସହାୟତା ପଠାଯାଇଥିଲା ଏବଂ ୨୦୨୧ ମସିହାରେ ଇରାନକୁ ପରିବେଶ ଅନୁକୂଳ କୀଟନାଶକ ପଠାଯାଇଥିଲା ।
ଭାରତ ୧୩ ମେ ୨୦୨୪ରେ ଏହି ବନ୍ଦର ପରିଚାଳନା ପାଇଁ ୧୦ ବର୍ଷର ଚୁକ୍ତି ସ୍ୱାକ୍ଷର କରିଥିଲା। ଏହା ଭାରତକୁ ମଧ୍ୟ ଏସିଆ ସହିତ ବାଣିଜ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିବ।
ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଘୋଷଣା କରିଛି ଯେ ତେହେରାନର ସନ୍ଦିଗ୍ଧ ପରମାଣୁ କାର୍ଯ୍ୟକ୍ରମ ଉପରେ “ସର୍ବାଧିକ ଚାପ” ଅଭିଯାନର ଅଂଶ ସ୍ୱରୂପ, ସେପ୍ଟେମ୍ବର ୨୯ ରୁ ଛାଡ ପ୍ରତ୍ୟାହାର କରାଯିବ।ଏହି ଘୋଷଣା ଇରାନ ସେନା ପାଇଁ କୋଟି କୋଟି ଡଲାର ସୃଷ୍ଟି କରୁଥିବା ଏକ ଆର୍ଥିକ ନେଟୱାର୍କକୁ ଟାର୍ଗେଟ କରିବା ପାଇଁ ଆମେରିକାର ଏକ ବ୍ୟାପକ ପଦକ୍ଷେପ ନେଇଛି ।
ଏହା ପରେ ଭାରତ ସମ୍ମୁଖରେ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଯଦି କମ୍ପାନୀଗୁଡ଼ିକ ଚାବାହାର ବନ୍ଦର ସହିତ ଜଡିତ କାର୍ଯ୍ୟକଳାପରେ ସାମିଲ ହୁଅନ୍ତି, ତେବେ ସେମାନେ ଆମେରିକାର ପ୍ରତିବନ୍ଧକର ସମ୍ମୁଖୀନ ହେବେ ।
Comments are closed.