ନୂଆଦିଲ୍ଲୀ: ମନୁଷ୍ୟ ହିଁ ଏବେ ମନୁଷ୍ୟ ପାଇଁ ପ୍ରଳୟ ବିଭୀଷିକା ଟାଣି ଆଣୁଛି । ବିଭିନ୍ନ ମନୁଷ୍ୟକୃତ କାର୍ଯ୍ୟ ପାଇଁ ପରିବେଶ ପ୍ରଭାବିତ ହେଉଥିବା ବେଳେ ଜଳବାୟୁ ପରିବର୍ତ୍ତନ ଏବେ କାଳ ସାଜିଲାଣି । କେଉଁଠି ପ୍ରଦୂଷିତ ବାୟୁମଣ୍ଡଳ, ତ ଆଉ କେଉଁଠି ବରଫ ତରଳି ଲାଣି, ଆଉ କେଉଁଠି ମରୁଭୂମି ଧିରେ ଧିରେ ସବୁଜମୟ ହେବାକୁ ଲାଗିଲାଣି । ଆଉ ତା ଉପରେ ପୁଣି ଅଦିନରେ ବର୍ଷା, ଅଦିନରେ ବନ୍ୟା ତାଣ୍ଡବ ରଚୁଛି । ଆଉ କେଉଁଠି ମରୁଡି, ଘନ କୁହୁଡି ବିଭୀଷିକା ସାଜିଥିବା ବେଳେ ଶୀତ ଦିନ ଏବେ ଯେମିତି ହଜି ଗଲାଣି । ଏହାରି ଭିତରେ ଏବେ ଜଳବାୟୁ ପରିବର୍ତ୍ତନ ସିଧା ଦେଶର ଜିଡିପି ଉପରେ ପ୍ରଭାବ ପକାଇବା ବୋଲି ଡରାଇଲାଣି ଏଡିବି ରିପୋର୍ଟ ।
ଜଳବାୟୁ ପରିବର୍ତ୍ତନ ଦ୍ବାରା ୨୦୭୦ ସୁଦ୍ଧା ଏସିଆ ଏବଂ ପ୍ରଶାନ୍ତ ମହାସାଗରରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ୧୬.୯ ପ୍ରତିଶତ କ୍ଷତି ଘଟାଇପାରେ ଏବଂ ଭାରତ ଜିଡିପିର ୨୪.୭ ପ୍ରତିଶତ ହ୍ରାସ କରିବ ବୋଲି ଆକଳନ କରାଯାଇଛି । ଏନେଇ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ରିପୋର୍ଟରେ କୁହାଯାଇଛି ଯେ, ସମୁଦ୍ରର ଜଳସ୍ତର ବୃଦ୍ଧି ଏବଂ ଶ୍ରମ ଉତ୍ପାଦନ ହ୍ରାସ ହେବା ଦ୍ୱାରା ସର୍ବାଧିକ ପ୍ରଭାବ ଜିଡିପି ଉପରେ ପଡିବ । ଯାହାର ପ୍ରଭାବ ସିଧାସଳଖ ସ୍ୱଳ୍ପ ଆୟ ଏବଂ ଦୁର୍ବଳ ଅର୍ଥନୀତି ଉପରେ ପଡ଼ିବ । ଏଥିସହିତ ଏସିଆ-ପାସିଫିକ୍ ଜଳବାୟୁକୁ ନେଇ ଏଡିବି ରିପୋର୍ଟର ଉପସ୍ଥାପିତ ହୋଇଥିବା ନୂଆ ଅନୁସନ୍ଧାନ ଏହି ଅଞ୍ଚଳ ପ୍ରତି ବିପଦପୂର୍ଣ୍ଣ ଅନେକ ପ୍ରଭାବ ପକାଇଥାଏ ।
ଏଥିରେ କୁହାଯାଇଛି ଯେ ଯଦି ଜଳବାୟୁ ସଙ୍କଟ ତ୍ୱରାନ୍ୱିତ ହୁଏ, ତେବେ ଏହି ଅଞ୍ଚଳର ୩୦୦ ନିୟୁତ ଉପକୂଳ ଲୋକେ ଜଳମଗ୍ନ ହେବାର ଆଶଙ୍କା ରହିଛି । ଯେଉଁଥିରେ ୨୦୭୦ ସୁଦ୍ଧା ପ୍ରତିବର୍ଷ ଟ୍ରିଲିୟନ ଡଲାର ମୂଲ୍ୟର ଉପକୂଳ ସମ୍ପତ୍ତି ନଷ୍ଟ ହୋଇପାରେ। ୨୦୨୧ରେ ବିଶ୍ୱରେ ମୋଟ ଗ୍ରୀନ୍ହାଉସ୍ ଗ୍ୟାସ ନିର୍ଗମନରେ ଅଧା ଯୋଗଦାନ ରଖିଥିଲା ଏସିଆ-ପାସିଫିକ୍ । ଚୀନ୍, ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆ ଏଥିପାଇଁ ବଡ଼ ଆକାରରେ ଦାୟୀ ରହିଥିବା ଏଡିବି ଏହାର ‘ଏସିଆ- ପାସିଫିକ୍ କ୍ଲାଇମେଟ୍ ରିପୋର୍ଟ’ରେ ପ୍ରକାଶ କରିଛି ।
ଏହାକୁ ନେଇ ଏଡିବି ସଭାପତି ମସତ୍ସୁଗୁ ଅସାକାୱା କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଏହି ଅଞ୍ଚଳରେ ଟ୍ରପିକାଲ୍ ଷ୍ଟ୍ରମ୍, ଉତ୍ତାପ ତରଙ୍ଗ ଏବଂ ବନ୍ୟା ବିଭୀଷିକାକୁ ଆହୁରି ବୃଦ୍ଧି କରିଦେଇଛି । ଯାହାର ସିଧା ପ୍ରଭାବ ଅର୍ଥନୀତି ଉପରେ ପଡିବ । ଅଧିକ ବିଳମ୍ବ ହେବା ପୂର୍ବରୁ ଏହି ପ୍ରଭାବଗୁଡିକର ମୁକାବିଲା ପାଇଁ ଜରୁରୀ, ବ୍ୟବସ୍ଥିତ ଜଳବାୟୁ କାର୍ଯ୍ୟ କରିବା ଆବଶ୍ୟକ | ଯାହା ଆଗକୁ ସର୍ବନିମ୍ନ ମୂଲ୍ୟରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବାରେ ସାହାର୍ଯ୍ୟ କରିବ ।