Latest Odisha News

BREAKING NEWS

ବଲୁଚିସ୍ତାନକୁ ଭାରତ ଏକ ଦେଶ ଭାବେ ମାନ୍ୟତା ଦେଇ ପାରିବ କି ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: କିଛି ଦିନ ତଳେ ବଲୁଚିସ୍ତାନରେ ସେଠାକାର ସ୍ୱାଧୀନତା ସଂଗ୍ରାମୀ ନେତାମାନେ ସ୍ୱାଧୀନତା ଘୋଷଣା କରିଛନ୍ତି। ଏହା ସହିତ ସେମାନେ ବଲୁଚିସ୍ତାନକୁ ଏକ ଦେଶ ଭାବେ ମାନ୍ୟତା ଦେବା ପାଇଁ ଅନ୍ୟ ଦେଶମାନଙ୍କୁ ଅନୁରୋଧ କରୁଛନ୍ତି। ବଲୁଚିସ୍ତାନର ନେତାମାନେ ଭାରତ ଓ ଜାତିସଂଘକୁ ସେମାନଙ୍କୁ ଏକ ସ୍ୱାଧୀନ ଦେଶ ଭାବେ ମାନ୍ୟତା ଦେବାକୁ ଦାବି କରିଛନ୍ତି। ସେମାନେ ଭାରତକୁ ନିଜର ସବୁଠୁ ସହାନୁଭୂତିଶୀଳ ଦେଶ ବୋଲି ମନେ କରନ୍ତି। ପ୍ରଶ୍ନ ଉଠୁଛି, ଭାରତ କ’ଣ ବଲୁଚିସ୍ତାନକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ଦେଇପାରିବ? ଏହାର କ’ଣ ଅଡୁଆ ରହିଛି?

ଭାରତ ଦ୍ୱାରା ବଲୁଚିସ୍ତାନକୁ ଏକ ସ୍ୱାଧୀନ ଦେଶ ଭାବେ ମାନ୍ୟତା ଦେବାର ମୁଦ୍ଦା ଅତ୍ୟନ୍ତ ଜଟିଳ। ଏଥିରେ ଅନେକ ଭୂ-ରାଜନୈତିକ, କୂଟନୈତିକ ଏବଂ ଆଇନଗତ ଅଡୁଆ ରହିଛି। ତେଣୁ ଏପରି କୌଣସି ପଦକ୍ଷେପ ଭାରତ ନେବ ବୋଲି ମନେ ହେଉନାହିଁ। ଏହାର କାରଣଗୁଡ଼ିକ କ’ଣ, ଆସନ୍ତୁ ଜାଣିବା।

ଭାରତ ବଲୁଚିସ୍ତାନକୁ ମାନ୍ୟତା ଦେଇପାରିବ କି?

ତାତ୍ତ୍ୱିକ ଭାବେ ଭାରତ ଯେକୌଣସି ଅଞ୍ଚଳକୁ ସ୍ୱାଧୀନ ଦେଶ ଭାବେ ମାନ୍ୟତା ଦେଇପାରିବ, ଯେପରି ୧୯୭୧ରେ ବାଂଲାଦେଶ ମାମଲାରେ କରିଥିଲା। କିନ୍ତୁ ବଲୁଚିସ୍ତାନ ପ୍ରସଙ୍ଗରେ ଏହା ଏତେ ସହଜ ନୁହେଁ। ବଲୁଚ ନେତାମାନେ ଭାରତକୁ ବଲୁଚିସ୍ତାନକୁ ସ୍ୱାଧୀନ ଦେଶ ଭାବେ ମାନ୍ୟତା ଦେବାକୁ ଦାବି କରି ଏହାକୁ ଭାରତର “ନୈତିକ କର୍ତ୍ତବ୍ୟ” ବୋଲି କହିଛନ୍ତି। ତେବେ ଏ ପ୍ରସଙ୍ଗରେ ଭାରତ ଏ ପର୍ଯ୍ୟନ୍ତ କୌଣସି ଆଧିକାରିକ ବୟାନ ଦେଇନାହିଁ।

କୌଣସି ଅଞ୍ଚଳକୁ ସ୍ୱାଧୀନ ଦେଶ ଭାବେ ମାନ୍ୟତା ଦେବା ପାଇଁ ୧୯୩୩ର ମଣ୍ଟେଭିଡିଓ ସମ୍ମିଳନୀର ସର୍ତ୍ତଗୁଡ଼ିକ ପୂରଣ ହେବା ଆବଶ୍ୟକ, ଯେଉଁଥିରେ ସ୍ଥାୟୀ ଜନସଂଖ୍ୟା, ନିର୍ଦ୍ଦିଷ୍ଟ ସୀମା, ସରକାର ଏବଂ ଅନ୍ୟ ଦେଶ ସହ ସମ୍ପର୍କ ସ୍ଥାପନ କରିବାର କ୍ଷମତା ଅନ୍ତର୍ଭୁକ୍ତ। ବଲୁଚିସ୍ତାନ ସ୍ୱାଧୀନତା ଘୋଷଣା କରିଥିଲେ ମଧ୍ୟ, ଏପର୍ଯ୍ୟନ୍ତ କୌଣସି ଦେଶ କିମ୍ବା ଜାତିସଂଘଠାରୁ ଏହାକୁ ଔପଚାରିକ ମାନ୍ୟତା ମିଳିନାହିଁ। ପାକିସ୍ତାନ ବଲୁଚିସ୍ତାନକୁ ନିଜର ଅବିଚ୍ଛେଦ୍ୟ ଅଂଶ ମାନେ। ଏହାକୁ ସ୍ୱାଧୀନ ଦେଶ ଭାବେ ମାନ୍ୟତା ଦେବା ପାକିସ୍ତାନର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି ଗଣାଯିବ, ଯାହାର ଗମ୍ଭୀର କୂଟନୈତିକ ପରିଣାମ ହୋଇପାରେ। ଭାରତ କଶ୍ମୀର ମୁଦ୍ଦାରେ ପାକିସ୍ତାନର ହସ୍ତକ୍ଷେପର ବିରୋଧ କରେ, ତେଣୁ ନିଜେ ଅନ୍ୟ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବାକୁ ଚାହିଁବ ନାହିଁ।

୧୯୪୮ରେ ପାକିସ୍ତାନ ସାମରିକ କାର୍ଯ୍ୟାନୁଷ୍ଠାନ ଜରିଆରେ ବଲୁଚିସ୍ତାନକୁ ଜବରଦସ୍ତ ମିଶ୍ରଣ କରିଥିଲା। ସେବେଠୁ ବଲୁଚ ବିଚ୍ଛିନ୍ନତାବାଦୀ ଆନ୍ଦୋଳନକୁ ଦମନ କରିବାକୁ ଚେଷ୍ଟା ଜାରି ରହିଛି। ଭାରତ ବଲୁଚିସ୍ତାନକୁ ମାନ୍ୟତା ଦେଲେ ପାକିସ୍ତାନ ଏହାକୁ ଯୁଦ୍ଧ ଘୋଷଣା ସହ ସମାନ ମାନିପାରେ, ଯାହା ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇବ। ବିଶେଷକରି ସମ୍ପ୍ରତି ଆତଙ୍କବାଦୀ ହମଲା ଏବଂ “ଅପରେସନ ସିନ୍ଦୂର” ଭଳି ଘଟଣା ପରେ ଭାରତ ଏମିତି ରିସ୍କ ନେବାକୁ ଚାହିଁବନି ବୋଲି କୁହାଯାଉଛି।

ଅଡୁଆ ନମ୍ବର ୧ – ଆନ୍ତର୍ଜାତୀୟ ସମର୍ଥନର ଅଭାବ କୌଣସି ଅଞ୍ଚଳକୁ ସ୍ୱାଧୀନ ଦେଶ ଭାବେ ପ୍ରତିଷ୍ଠା ହେବା ପାଇଁ ପ୍ରମୁଖ ଶକ୍ତିଶାଳୀ ଦେଶ (ଯେପରି ଆମେରିକା, ଚୀନ, ରୁଷିଆ) ଏବଂ ଜାତିସଂଘର ସମର୍ଥନ ଆବଶ୍ୟକ। ଉଦାହରଣ ସ୍ୱରୂପ, ସୋମାଲିଲ୍ୟାଣ୍ଡ ୧୯୯୧ରେ ସ୍ୱାଧୀନତା ଘୋଷଣା କରିଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଦେଶଠାରୁ ମାନ୍ୟତା ପାଇନାହିଁ।

ବଲୁଚିସ୍ତାନ ମାମଲାରେ ଚୀନ ଭଳି ଦେଶ, ଯିଏ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର ଜରିଆରେ ବଲୁଚିସ୍ତାନରେ ବଡ଼ ନିବେଶ କରିଛି, ଏହାର ବିରୋଧ କରିବ। ଆମେରିକା ଓ ବ୍ରିଟେନ ଭଳି ଦେଶ ବଲୁଚ ଲିବରେସନ ଆର୍ମୀ (BLA)କୁ ଆତଙ୍କବାଦୀ ସଙ୍ଗଠନ ମାନୁଛନ୍ତି, ଯାହା ସେମାନଙ୍କଠୁ ସମର୍ଥନ ମିଳିବା ସମ୍ଭବ ନୁହେଁ।  ଯେହେତୁ ଏପର୍ଯ୍ୟନ୍ତ କୌଣସି ପ୍ରମୁଖ ଆନ୍ତର୍ଜାତୀୟ ଶକ୍ତି ବଲୁଚିସ୍ତାନକୁ ସ୍ୱାଧୀନ ଦେଶ ଭାବେ ମାନ୍ୟତା ଦେଇନାହିଁ, ତେଣୁ ଭାରତ ଏକାକୀ ଏପରି ପଦକ୍ଷେପ ନେବାଠାରୁ ଦୂରେଇ ରହିବ।

ଅଡୁଆ ନମ୍ବର ୨ – ଆନ୍ତର୍ଜାତୀୟ ସମ୍ପର୍କ ଉପରେ ପ୍ରଭାବ ବଲୁଚିସ୍ତାନକୁ ମାନ୍ୟତା ଦେଲେ ଭାରତର ଇରାନ ଓ ଆଫଗାନିସ୍ତାନ ଭଳି ପଡ଼ୋଶୀ ଦେଶ ସହ ସମ୍ପର୍କ ପ୍ରଭାବିତ ହୋଇପାରେ, କାରଣ ଏହି ଦେଶଗୁଡ଼ିକରେ ମଧ୍ୟ ବଲୁଚ ଜନସଂଖ୍ୟା ରହିଛି। ଏହି ପଦକ୍ଷେପ ଚୀନ ଏବଂ ଅନ୍ୟ ଦେଶମାନଙ୍କର ନକାରାତ୍ମକ ପ୍ରତିକ୍ରିୟା ମଧ୍ୟ ଆଣିପାରେ, କାରଣ ଚୀନ ପାକିସ୍ତାନ ସହ ମଜବୁତ ସମ୍ପର୍କ ରଖିଛି।

ଏହା ବ୍ୟତୀତ, ଭାରତର ଶକ୍ତି ସୁରକ୍ଷା ଏବଂ ଚାବାହାର ବନ୍ଦର ଭଳି ପ୍ରକଳ୍ପ ପାଇଁ ଇରାନ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ, ଯାହା ବଲୁଚିସ୍ତାନ ମୁଦ୍ଦା ଯୋଗୁ ପ୍ରଭାବିତ ହୋଇପାରେ।

ବଲୁଚିସ୍ତାନର ସ୍ୱାଧୀନତା ଘୋଷଣା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲେ ମଧ୍ୟ, ଭାରତ ପାଇଁ ଏହାକୁ ସ୍ୱାଧୀନ ଦେଶ ଭାବେ ମାନ୍ୟତା ଦେବା ଅତ୍ୟନ୍ତ ଜଟିଳ ଓ ବିପଦଜନକ। ଭୂ-ରାଜନୈତିକ ଜଟିଳତା, ଆନ୍ତର୍ଜାତୀୟ ସମର୍ଥନର ଅଭାବ ଏବଂ ଆଞ୍ଚଳିକ ସମ୍ପର୍କ ଉପରେ ପ୍ରଭାବ ଏହାର ପ୍ରମୁଖ ଅଡୁଆ। ତେଣୁ ଭାରତ ଏପରି ପଦକ୍ଷେପ ନେବାରୁ ବିରତ ରହିବାର ସମ୍ଭାବନା ଅଧିକ।

 

Comments are closed.