ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ମଙ୍ଗଳବାର ଭାରତୀୟ କ୍ରିକେଟ ଟିମର ଘୋଷଣା ହୋଇପାରେ । ଏଥିପାଇଁ ୨ଟି ଦଳ ଚୟନ କରାଯିବ । ରିପୋର୍ଟ ମୁତାବକ ଚୟନ କମିଟି କେତେକ ଖେଳାଳିଙ୍କୁ ଦଳରୁ ବାଦ ଦେବା ପାଇଁ ନିଷ୍ପତି ନେଇଛି । ଅନ୍ୟ କେତେଜଣ ଖେଳାଳିଙ୍କୁ ବିଶ୍ରାମ ଦିଆଯିବ । ଯୁବ ଖେଳାଳିଙ୍କୁ ଗୁରତ୍ୱ ଦେବା ପାଇଁ ଚୟନ କମିଟି ମନ ବଳାଇ ସାରିଛନ୍ତି । ଟେଷ୍ଟ ଟିମରେ ମହମ୍ମଦ ସିରାଜ ଏବଂ ଦିନିକିଆରେ ମହମ୍ମଦ ସିରାଜ ଓ ସଞ୍ଜୁ ସାମସନଙ୍କ ଦଳକୁ ପ୍ରତ୍ୟାବର୍ତନ କରିପାରନ୍ତି । ଟି୨୦ ବିଶ୍ୱକପରେ ସାମସନ ପ୍ରଭାବୀ ପ୍ରଦର୍ଶନ କରି ଚୟନ କମିଟିଙ୍କୁ ପ୍ରଭାବିତ କରି ପାରିଛନ୍ତି ।
ଏଥର ଦିିନିକିଆ ଦଳରେ ତାଙ୍କୁ ସୁଯୋଗ ମିଳିବା ଏକପ୍ରକାର ନିଶ୍ଚିତ ହୋଇଛି । ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇପାରେ । ଆକ୍ୱିବ ନବି ଓ ଗୂରନର ବରାଡଙ୍କୁ ଦଳରେ ସୁଯୋଗ ମିଳିବ ବୋଲି ପୂର୍ବରୁ ଆଲୋଚନା ଜୋର ଧରିଥିଲା । ଏବେ ଚୟନ କମିଟି ସେମାନଙ୍କୁ ଆଉ ଗୋଟିଏ କିମ୍ବା ୨ଟି ସିଜନ ପରଖିବାକୁ ଚାହୁଁଛନ୍ତି । ଶୁଭମନ ଗିଲଙ୍କ ପାଇଁ ଏହି ସିରିଜ ବେଶ ଗୁରତ୍ୱପୂର୍ଣ୍ଣ । ସେ ଭଲ ପ୍ରଦର୍ଶନ ମାଧ୍ୟମରେ ନିଜ ସ୍ଥାନ ଓ ଅଧିନାୟକ ପଦକୁ ମଜଭୁତ କରିବାକୁ ଚାହିଁବେ । ରିଭଷ ପନ୍ତଙ୍କୁ ଦଳରୁ ବାଦ ଦିଆଯିବା ନେଇ ଆଲୋଚନା ହୋଇଥିଲା ।