ଭୁବନେଶ୍ୱର: ଏବେ ଗାଁ ଲୋକଙ୍କ ସମସ୍ୟା ସହଜରେ ହେବ ସମାଧାନ। କାରଣ ଗାଁକୁ ଯିବ ତହସିଲ ଅଫିସ। ଲୋକଙ୍କ ସମସ୍ୟା ବୁଝିବେ ଅଧିକାରୀ। ରାଜସ୍ବ ବିଭାଗ ଆରମ୍ଭ କରିବ ନୂଆ ଯୋଜନା। ରାଜସ୍ବ ବିଭାଗ ପକ୍ଷରୁ ଆରମ୍ଭ ହେବ ‘ମୋ ଗାଁ ମୋ ତହସିଲ’ କାର୍ଯ୍ୟକ୍ରମ । ପ୍ରତି ବ୍ଲକରେ ମାସକୁ ୨୦୦ କ୍ୟାମ୍ପ ବସିବ। ରାଜସ୍ୱ ବିଭାଗ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗାଁରେ ପହଞ୍ଚିବେ ଅଧିକାରୀ।
୨ ବର୍ଷ ପୂର୍ତ୍ତି ଅବସରରେ ରାଜସ୍ୱ ବିଭାଗ ଆଣିବ ନୂଆ ଯୋଜନା ମୋ ଗାଁ ମୋ ତହସିଲ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏଥିପାଇଁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଉଛି। ଯେଉଁ ମାନେ ଜିଲ୍ଲା ବୁଲି ରାତିରେ ରହି ଲୋକଙ୍କ ପାଖରୁ ମତାମତ ନେବେ। ରାଜ୍ୟ ବିସ୍ଥାପନ ଓ ଥଇଥାନ ନୀତି ପୂରଣ ହୋଇଥିବାରୁ ନୂଆ ନୀତି ଆଣିବ ରାଜସ୍ୱ ବିଭାଗ।
ବିଭିନ୍ନ ରାଜ୍ୟର ଥିବା ବିସ୍ଥାପନ ଓ ଥଇଥାନ ନୀତିକୁ ଅନୁଧ୍ୟାନ କରି ନୂଆ ନୀତି ଅଣାଯିବ। ଏହାସହ ସହରାଞ୍ଚଳରେ ଥିବା ଚାଷ ଜମିର କିସମ ପରିବର୍ତ୍ତନ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।