ନୂଆଦିଲ୍ଲୀରେ କୂଟନୈତିକ ଝଡ଼: ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କୁ ନେଇ କଂଗ୍ରେସର ମନ୍ତବ୍ୟକୁ ନିନ୍ଦା କଲା ବିଦେଶ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ନେଇ ବରିଷ୍ଠ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତଙ୍କ ପକ୍ଷରୁ କରାଯାଇଥିବା ଆକ୍ଷେପମୂଳକ ଟିପ୍ପଣୀକୁ କେନ୍ଦ୍ର ସରକାର କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଭାରତ ଏବଂ ଇଟାଲୀ ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୃଷ୍ଟିରେ ରଖି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମନ୍ତବ୍ୟ ଦେବା ବେଳେ ନେତାମାନେ ସମ୍ମାନଜନକ ଶବ୍ଦ ବ୍ୟବହାର କରିବା ଉଚିତ୍ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।
ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଇଟାଲୀ ହେଉଛି ଭାରତର ଏକ ପ୍ରମୁଖ ତଥା ବିଶ୍ୱସ୍ତ ସହଯୋଗୀ ରାଷ୍ଟ୍ର। ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ଖୁବ୍ ସୁଦୃଢ଼ ବୁଝାମଣା ରହିଛି। ତେଣୁ ଘରୋଇ ରାଜନୈତିକ ଫାଇଦା କିମ୍ବା ଶସ୍ତା ଲୋକପ୍ରିୟତା ହାସଲ କରିବା ଉଦ୍ଦେଶ୍ୟରେ କୌଣସି ବନ୍ଧୁ ରାଷ୍ଟ୍ରର ମୁଖ୍ୟଙ୍କୁ ଟାର୍ଗେଟ୍ କରିବା କିମ୍ବା ତାଚ୍ଛଲ୍ୟ କରିବା ଆଦୌ ଗ୍ରହଣୀୟ ନୁହେଁ । ଏହାଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ଦେଶର ଭାବମୂର୍ତ୍ତି ଖରାପ ହେବାର ଆଶଙ୍କା ରହିଥାଏ ।
ସୂଚନାଯୋଗ୍ୟ, ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଯୋଡ଼ି କଂଗ୍ରେସ ନେତାଙ୍କ ପକ୍ଷରୁ ଏକ ବିବାଦୀୟ କଟାକ୍ଷ କରାଯାଇଥିଲା । ବିରୋଧୀ ଦଳର ଏଭଳି ଆଭିମୁଖ୍ୟକୁ ସରକାର ଅତ୍ୟନ୍ତ ଦାୟିତ୍ୱହୀନ ବୋଲି ଅଭିହିତ କରିଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିବାର ପୂର୍ଣ୍ଣ ଅଧିକାର ରହିଛି, ମାତ୍ର ଦେଶ ବାହାରର ପ୍ରସଙ୍ଗରେ ଏହା କୂଟନୈତିକ ମର୍ଯ୍ୟାଦା ଏବଂ ଶିଷ୍ଟାଚାରର ସୀମା ଲଙ୍ଘନ କରିବା ଉଚିତ୍ ନୁହେଁ ।
ବିଶ୍ୱ ମଞ୍ଚରେ ଭାରତର ବଢ଼ୁଥିବା ପ୍ରଭାବ ସମୟରେ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ପ୍ରତି ଦିଆଯାଉଥିବା ପ୍ରତ୍ୟେକଟି ମନ୍ତବ୍ୟର ବେଶ୍ ଗୁରୁତ୍ୱ ରହିଛି। ତେଣୁ ଆଗାମୀ ଦିନରେ ରାଜନୈତିକ ଦଳର ନେତାମାନେ ନିଜର ବୟାନବାଜି ବେଳେ ଦେଶର ସମ୍ମାନ ଓ କୂଟନୈତିକ ସମ୍ପର୍କକୁ ଆଖିଆଗରେ ରଖି ସଂଯମତା ଅବଲମ୍ବନ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ ମୋଦୀ ସରକାରଙ୍କ ବିଦେଶ ନୀତିକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଥିଲେ । ମୁଖ୍ୟତଃ ପ୍ରାଧାନମନ୍ତ୍ରୀ ବିଦେଶର ନେତାଙ୍କୁ ଭେଟିବାବେଳେ ଆଲିଙ୍ଗନ କରନ୍ତି ଯାହାକୁ ସମାଲୋଚନା କରିଛନ୍ତି ରାହୁଲ ଗାନ୍ଧୀ । ଏହା କହିବା ବେଳେ ସେ ମଂଚ ଉପରେ ଉପସ୍ଥିତ ଅନ୍ୟତମ ନେତା ସନ୍ଦୀପ ଦୀକ୍ଷିତ ମଞ୍ଚକୁ ଆସିଥିଲେ ଆଉ ରାହୁଲ ଗାନ୍ଧୀ ତାଙ୍କୁ ଆଲିଙ୍ଗନ କରିଥିଲେ । ଏହି ସମୟରେ ସନ୍ଦୀପ ଦୀକ୍ଷିତ କହିଥିଲେ ମେଲୋନୀ ଭାବି ଆଲିଙ୍ଗନ କଲେ କି । ଯାହାକୁ ସବୁ ମହଲରୁ ନିନ୍ଦା କରାଯିବା ସହ ସମାଲୋଚନା କରାଯାଇଛି‘।
