Latest Odisha News

ଯଶସ୍ୱୀଙ୍କ ଦ୍ୱିଶତକ ପରେ ବୁମରାହଙ୍କୁ ୬ ୱିକେଟ: ଭାରତ ୧୭୧ ରନରେ ଅଗ୍ରଣୀ

ବିଶାଖାପଟନମ: ଯଶସ୍ୱୀ ଜୈସୱାଲଙ୍କ ଦ୍ୱିଶତକ ପରେ ଯଶପ୍ରୀତ ବୁମରାହଙ୍କ ୬ ୱିକେଟ ସଫଳତା ଯୋଗୁ ଭାରତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ୧୭୧ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିନେଇଛି । ଭାରତ ୩୩୬/୬ରୁ ଇନିଂସ ଆରମ୍ଭ କରି ୩୯୬ ରନରେ ଅଲଆଉଟ ହୋଇ ଯାଇଥିଲା । ଜୈସୱାଲ ୨୦୯ ରନ କରି ଆଉଟ ହୋଇଥିଲେ । ଏହାର ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୫୩ ରନ କରିବାକୁ ସକ୍ଷମ ହୋଇଥିଲା । ଜ୍ୟାକ କ୍ରାଉଲେ ସର୍ବାଧିକ ୭୬ ରନ କରିଥିଲେ । ବେନ ଷ୍ଟୋକ୍ସ ୪୭ ଓ ଜନୀ ବେୟାରଷ୍ଟୋ ୨୫ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ ।

ଭାରତ ପକ୍ଷରୁ ବୁମରାହ ୬ଟି ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୩ଟି ଓ ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଥିଲେ । ଭାରତ ଦ୍ୱିତୀୟ ଇନିଂସରେ ଷ୍ଟମ୍ପସ ଅପସାରଣ ବେଳକୁ କୌଣସି ୱିକେଟ ନ ହରାଇ ୨୮ ରନ ସଂଗ୍ରହ କରିଛି । ଅଧିନାୟକ ରୋହିତ ଶର୍ମା ୧୩ ଓ ଯଶସ୍ୱୀ ୧୫ ରନ କରି ଅପରାଜିତ ରହିଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଅଗ୍ରଣୀ ରହିଛି ।

Comments are closed.