Latest Odisha News

BREAKING NEWS

ସବକା ସାଥ ସବକା ବିକାଶ ନୁହେଁ, ମୋଦି କରିଦେଲେ ସତ୍ୟାନାଶ: ଖଡଗେ 

ନୂଆଦିଲ୍ଲୀ: ସବକା ସାଥ ସବକା ବିକାଶ ନୁହେଁ, ମୋଦି କରିଦେଲେ ସତ୍ୟାନାଶ। ଏପରି କହି ଅଭିଭାଷଣ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ମୋଦି ସରକାରଙ୍କୁ ଟାର୍ଗେଟ କରି ଦେଶବାସୀଙ୍କୁ ଦେଇଛନ୍ତି ଚେତାବନୀ। ଦିଲ୍ଲୀରେ ଅନୁଷ୍ଠିତ ନ୍ୟାୟ ସଂକଳ୍ପ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି କଂଗ୍ରେସ ସଭାପତି କହିଛନ୍ତି ଏହି ସଂଗ୍ରାମ ହେଉଛି ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲଢ଼େଇ। ଯଦି ଆପଣ ଏଥିରେ ବିଫଳ ହୁଅନ୍ତି ତେବେ ଆପଣ ସବୁଦିନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଚାକର ହୋଇଯିବେ।

ମୋଦି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ନାହାନ୍ତି, ଏବଂ ବିଜେପି ଘୃଣା ରାଜନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ଖଡଗେ। ଭାଜପା ସରକାର ପ୍ରତିବର୍ଷ ଦୁଇ କୋଟି ଚାକିରି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ସେହି ଚାକିରି କୁଆଡେ଼ ଗଲା? କେଉଁଠାରେ ଅଛି? ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ ମୋଦି ଜଣେ ମିଛୁଆ ସର୍ଦ୍ଦାର। ଆଜି ମୋଦିଙ୍କ ଗ୍ୟାରେଣ୍ଟି ପ୍ରତ୍ୟେକ ଖବରକାଗଜରେ ଲେଖାଯାଉଛି। ତାଙ୍କର ଗ୍ୟାରେଣ୍ଟି ଥିଲା ପ୍ରତିବର୍ଷ ଦୁଇ କୋଟି ଚାକିରି, ଲୋକଙ୍କ ଆକାଉଣ୍ଟରେ ୧୫-୧୫ ଲକ୍ଷ ଟଙ୍କା, କିନ୍ତ ସେ କିଛି ଦେଇନାହାନ୍ତି।

ନିଜ ଦଳର ଆଭିମୁଖ୍ୟକୁ ଉପସ୍ଥାପନା କରି କଂଗ୍ରେସ ସଭାପତି କହିଛନ୍ତି, କଂଗ୍ରେସ ଯାହା ପ୍ରତିଶ୍ରୁତି ଦେଇଥିଲା, ତାହା ପୂରଣ କରିଥିଲା। ଶାସକ ଦଳ ଆମର କୃଷକମାନଙ୍କୁ ପ୍ରତାରଣା କରିଛନ୍ତି। କେବଳ ସେତିକି ନୁହେଁ ଯୁବବର୍ଗ, ମହିଳାମାନଙ୍କୁ ମଧ୍ଯ ପ୍ରତାରଣା କରିଛନ୍ତି। ସବକା ସାଥ, ସବକା ବିକାଶ ହାସ୍ୟାସ୍ପଦ ହୋଇ ରହି ଯାଇଛି। ମୋଦି ସମସ୍ତଙ୍କୁ ଧ୍ୱଂସ କରିଛନ୍ତି। ପ୍ରକୃତରେ ମୋଦୀ କରିଛନ୍ତି ସବୁର ସତ୍ୟନାଶ। ଏପରି କହି ଗର୍ଜିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।

Leave A Reply

Your email address will not be published.