Latest Odisha News

BREAKING NEWS

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୮୭ ବିଲିୟନ ଡଲାର କ୍ଷତି ସହିଛି ଭାରତ

ନୂଆଦିଲ୍ଲୀ: ବିଶ୍ୱ ପାଣିପାଗ ବିଭାଗ (WMO) ର ରିପୋର୍ଟ ଅନୁଯାୟୀ ଗତ ବର୍ଷ ବାତ୍ୟା, ବନ୍ୟା ଏବଂ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମଗ୍ର ବିଶ୍ବ ୬୫୩୫ ବିଲିୟନ ଟଙ୍କାର କ୍ଷତି ସହିଛି। ଚୀନ୍ ସର୍ବାଧିକ ୨୩୮ ବିଲିୟନ ଡ଼ଲାର କ୍ଷତି ସହିଥିବା ବେଳେ ଭାରତ ୮୭ ବିଲିୟନ ଡ଼ଲାର ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଜାପାନ ୮୩ ବିଲିୟନ ଡ଼ଲାର ସହିତ ତୃତୀୟ ସ୍ଥାନରେ ରହିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ ଏସିଆରେ ଗତ ବର୍ଷ ରେକର୍ଡ ସ୍ତରରେ ଉତ୍ତାପ ଦେଖାଯାଇଛି। ୧୯୮୧ରୁ ୨୦୧୦ ତୁଳନାରେ ଏସିଆର ହାରାହାରି ତାପମାତ୍ରା ୧.୩୯ ଡିଗ୍ରୀ ସେଲସିୟସ୍‌ ଅଧିକ ରହିଛି। ଦକ୍ଷିଣ ଏବଂ ପୂର୍ବ ଏସିଆ ଉପରେ ଅସ୍ୱାଭାବିକ ସକ୍ରିୟ ମୌସୁମୀ ଅନେକ ଦେଶରେ ବ୍ୟାପକ କ୍ଷତି ଘଟାଇଛି। ଆମ୍ଫାନ ଭଳି ବାତ୍ୟା ଯୋଗୁଁ ଭାରତରେ ୨୪ ଲକ୍ଷ ଏବଂ ବାଂଲାଦେଶରେ ୨୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ହେବାକୁ ପଡ଼ିଥିଲା।

ଘୂର୍ଣ୍ଣିବଳୟ, ମୌସୁମୀ ବର୍ଷା ଏବଂ ବନ୍ୟା ଦକ୍ଷିଣ ଏସିଆ ଏବଂ ପୂର୍ବ ଏସିଆର ଘଞ୍ଚ ଜନବହୁଳ ଅଞ୍ଚଳକୁ ବହୁଳ ପ୍ରଭାବିତ କରିଛି। ଗତ ବର୍ଷ ଭାରତ, ଚୀନ୍, ବାଂଲାଦେଶ, ଜାପାନ, ପାକିସ୍ଥାନ, ନେପାଳ ଏବଂ ଭିଏତନାମରେ ଲକ୍ଷ ଲକ୍ଷ ଲୋକ ସ୍ଥାନାନ୍ତର ହୋଇଛନ୍ତି।

WMO ଏହାର ରିପୋର୍ଟରେ ମଧ୍ୟ କହିଛି ଯେ ଏସିଆ ଏବଂ ଏହାର ଆଖପାଖରେ ସମୁଦ୍ର ପୃଷ୍ଠର ତାପମାତ୍ରା ବିଶ୍ବର ହାରାହାରି ତିନି ଗୁଣରୁ ଅଧିକ ବୃଦ୍ଧି ପାଉଛି। ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ଉପରେ ମଧ୍ୟ ଅଗ୍ରଗତି ମନ୍ଥର ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଗତ ବର୍ଷ ଦକ୍ଷିଣ ପୂର୍ବ ଏସିଆରେ ୪୮.୮ ନିୟୁତ ଲୋକ, ଦକ୍ଷିଣ ଏସିଆରେ ୩୦୫.୭ ନିୟୁତ ଏବଂ ପଶ୍ଚିମ ଏସିଆରେ ୪୨.୩ ନିୟୁତ ଲୋକ ପୁଷ୍ଟିହୀନର ଶିକାର ହୋଇଥିବା ଆକଳନ କରାଯାଇଛି।

Comments are closed.