Latest Odisha News

ଭାରତକୁ ବିଶ୍ୱର ଖାଦ୍ୟ ଟୋକେଇ ହେବାକୁ ପଡ଼ିବ: କେନ୍ଦ୍ର କୃଷିମନ୍ତ୍ରୀ

ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅନ୍ତର୍ଗତ ସତ୍ୟବାଦୀ ବ୍ଲକର ବୀରଗୋବିନ୍ଦପୁର ଠାରେ ଅବସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ବିକଶିତ କୃଷି ସଂକଳ୍ପ ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଅତିଥି ଭାବେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମର ଆରମ୍ଭ ପୂର୍ବରୁ ଅତିଥି ଗଣ ସ୍ଥାନୀୟ ବୀର ଗୋବିନ୍ଦପୁର ଠାରୁ କୃଷି ବିଜ୍ଞାନ କେନ୍ଦ୍ର ପର୍ଯ୍ୟନ୍ତ ଏକ ପଦଯାତ୍ରାରେ ଯାଇ କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚିଥିଲେ । ଏହା ପରେ “ଏକ ପେଡ୍ ମା’ କେ ନାମ୍” ଅଭିଯାନ ଅଧୀନରେ ବୃକ୍ଷରୋପଣ କରିବା ପରେ ବୃକ୍ଷରେ ଜଳଦାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।

ଏହି ଅବସରରେ, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଧାନ ଏମଏସପିରେ ବୋନସ୍ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ୨୩ ଶହ ଟଙ୍କା ଧାନକୁ ୩୧ ଶହ ଟଙ୍କାରେ ମୋହନ ମାଝୀଙ୍କ ସରକାର କିଣିଥିବାରୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଏବେ ଓଡ଼ିଶାର କୋରାପୁଟର ଚାଉଳ ବିଶ୍ୱ ବଜାରରେ ପହଞ୍ଚିବ ।

ସେ ଆହୁରି କହିଛନ୍ତି ଯେ, ”ଭାରତ ଚଳିତ ବର୍ଷ ୩୫୩୯.୫୯ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟ ଶସ୍ୟ ଉତ୍ପାଦନ କରିଛି। ଯାହା ଗତ ବର୍ଷ ତୁଳନାରେ ୨୧୬.୬୧ ଲକ୍ଷ ମେଟ୍ରିକ୍ ଟନ୍ ଅଧିକ । ତେବେ ଭାରତ କେବଳ ଭାରତୀୟଙ୍କୁ ଖାଦ୍ୟ ଯୋଗାଇବ ନାହିଁ ଆମକୁ ସାରା ବିଶ୍ବର ଲୋକଙ୍କୁ ଖାଦ୍ୟ ଯୋଗାଇବାକୁ ପଡ଼ିବ । ତେଣୁ ମୁଁ ଆଇସିଏଆରର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଉଛି ଯେଉଁମାନେ ପ୍ରୟୋଗଶାଳାରେ ନିରନ୍ତର ପରୀକ୍ଷଣ କରି ନୂତନ ବିହନ ପ୍ରସ୍ତୁତ କରୁଛନ୍ତି ।ସେମାନେ ଯାହା କରୁଛନ୍ତି ତାହା ଦେଶର ସେବା ସେମାନେ ବହୁତ ପୂର୍ଣ୍ଣ ଅର୍ଜନ କରୁଛନ୍ତି”।

ଗତକାଲି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, କେନ୍ଦ୍ର କ୍ୟାବିନେଟ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏଏସପି) ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ‘ବିକଶିତ କୃଷି ସଂକଳ୍ପ ଅଭିଯାନ’ର ଅର୍ଥ ହେଉଛି ବୈଜ୍ଞାନିକମାନେ ପ୍ରୟୋଗଶାଳାରୁ ବାହାରକୁ ଆସି ଚାଷ ଜମିକୁ ଚାଷୀଙ୍କ ସହ ଯିବେ । ଗାଁରେ ଆପଣଙ୍କ ସହିତ ବସିବେ । ମୁଁ ସାରା ଦେଶର ଚାଷୀମାନଙ୍କୁ ନିବେଦନ କରିବାକୁ ଚାହୁଁଛି ଯେ, ବୈଜ୍ଞାନିକମାନେ ଆପଣଙ୍କ ଗାଁକୁ ଆସୁଛନ୍ତି । କିଛି ସମୟ ବାହାର କରି ସେମାନଙ୍କ ସହିତ ବସି ଚାଷରେ ନୂତନ ପରୀକ୍ଷଣ ଶିଖନ୍ତୁ ଏବଂ ଉତ୍ପାଦନ ବୃଦ୍ଧି କରନ୍ତୁ ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ କେନ୍ଦ୍ର କୃଷିମନ୍ତ୍ରୀ ଭାବ ବିହ୍ବଳ ହୋଇ କହିଛନ୍ତି, ମୁଁ ବାରମ୍ବାର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦ ତଳେ ନତମସ୍ତକ ହୋଇ ପ୍ରାର୍ଥନା କରୁଛି, ହେ ଜଗନ୍ନାଥ, ଏହି ଅଭିଯାନ ଉପରେ ଆପଣଙ୍କର କୃପା ଏବଂ ଆଶୀର୍ବାଦ ବର୍ଷା କରନ୍ତୁ।

ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ଶିବରାଜ ସିଂ ଚୌହ୍ୱାନ ‘ଅପରେସନ ସିନ୍ଦୂର’ କଥା ମଧ୍ୟ ଉଠାଇଥିଲେ । ସେ କହିଥିଲେ, ମୋଦିଜୀଙ୍କ ‘ଅପରେସନ ସିନ୍ଦୂର’ ପାକିସ୍ତାନର ସମସ୍ତ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଦେଇଛି । ୩ ଦିନରେ ପାକିସ୍ତାନକୁ ଆଣ୍ଠେଇ ଦେଇଥିଲା ଭାରତ ।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସ୍ଥାନୀୟ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ କୁମାର ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ମହାନିର୍ଦ୍ଦେଶକ ଡଃ ଏମ୍. ଏଲ୍. ଜାଟ, କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିଂଦ କୁମାର ପାଢ଼ୀ, କୁଳପତି, ଓ.ୟୁ.ଏ.ଟି ଡଃ ପ୍ରଭାତ କୁମାର ରାଉଳ ଏବଂ କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ଉପ ମହାନିର୍ଦ୍ଦେଶକ ମତ୍ସ୍ୟବିଜ୍ଞାନ, ଡଃ ଜୟକୃଷ୍ଣ ଜେନା ତଥା ଉପ ମହାନିର୍ଦ୍ଦେଶକ, କୃଷି ସମ୍ପ୍ରସାରଣ, ଡଃ ରାଜବୀର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.