Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ କଡା ମନ୍ତବ୍ୟ; ଭାରତ କୌଣସି ଧର୍ମଶାଳା ନୁହେଁ

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ବହୁ ମାତ୍ରରେ ଦେଶ ବିଦେଶ ରୁ ଶରଣାର୍ଥୀ ଆସିଥାନ୍ତି। ସୋମବାର ଦିନ ଏହା ଉପରେ ସୁପ୍ରିମ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଭାରତ କୌଣସି ଧର୍ମଶାଳା ନୁହେଁ ଯେ ସମଗ୍ର ବିଶ୍ବରୁ ଶରଣାର୍ଥୀ ମାନଙ୍କୁ ସ୍ଥାନ ଦେବ।

ଏହି ନିଷ୍ପତ୍ତି ଶ୍ରୀଲଙ୍କା ନାଗରିକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ ପରେ ନିଆଯାଇଛି। ସୁପ୍ରିମ କୋର୍ଟ ଏପରି ଆବେଦନ କୁ ଶୁଣାଣି କରିବାରେ ଆଗ୍ରହ ନୁହନ୍ତି ବୋଲି ମଧ୍ୟ କହିଥିଲେ।ଏହାର ଶୁଣାଣି ବିଚାରପତି ଦୀପଙ୍କର ଦତ୍ତା ଏବଂ ବିଚାରପତି କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ କରିଥିଲେ।

ଶ୍ରୀଲଙ୍କାରେ ରହୁଥିବା ଜଣେ ତାମିଲ ବାସିନ୍ଦାଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ ଖଣ୍ଡପୀଠ ସମ୍ମୁଖରେ କହିଥିଲେ ଯେ  ସେ ଭିସାରେ ଭାରତ ଆସିଛନ୍ତି ଓ ଶ୍ରୀଲଙ୍କାରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହା ପରେ ଜଷ୍ଟିସ୍ ଦତ୍ତା କହିଥିଲେ ଭାରତ କ’ଣ ସାରା ବିଶ୍ୱର ଶରଣାର୍ଥୀ ମାନଙ୍କୁ ଆଶ୍ରୟ ଦେବ କି? ଭାରତରେ ପୂର୍ବରୁ ହିଁ  ୧୪୦ କୋଟି ଲୋକ ବସବାସ କରୁଛନ୍ତି। ଯେହେତୁ ଆବେଦନ କାରି ଜଣେ ବିଦେଶୀ ନାଗରିକ ସେ କେଉଁ ଅଧିକାରରେ ଏଠାରେ ରହିବେ ବୋଲି ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି। ତାଙ୍କ ପତ୍ନୀ ଏବଂ ପିଲାମାନେ ଭାରତରେ ରହୁଛନ୍ତି ଓ ସେ ମଧ୍ୟ ଗତ ତିନି ବର୍ଷରୁ ହେପାଜତରେ ଥିବା କଥା କୋର୍ଟକୁ କୁହାଯାଇଛି।

ଜଷ୍ଟିସ୍ ଦତ୍ତା ଆହୁରି ମଧ୍ୟ କହିଥିଲେ ଯେ ଆବେଦନକାରୀଙ୍କୁ ଆଇନ ଅନୁଯାୟୀ ଅଟକ ରଖାଯାଇଛି ଓ ଏହା ଧାରା ୨୧ କୁ କୌଣସି ପ୍ରକାରର ଉଲଂଘନ କରୁନାହିଁ।  ଧାରା ୧୯ କେବଳ ଭାରତୀୟ ନାଗରିକଙ୍କ ପାଇଁ ଉପଲବ୍ଧ ବୋଲି ମଧ୍ୟ ସେ କହିଥିଲେ। ଆବେଦନକାରୀଙ୍କ ଜୀବନ ପ୍ରତି ଶ୍ରୀଲଙ୍କାରେ ଥିବା  ବିପଦ କୁ ନେଇ ଖଣ୍ଡପୀଠ ଓକିଲଙ୍କୁ କହିଥିଲେ ଯେ ସେ ଅନ୍ୟ କୌଣସି ଦେଶକୁ ମଧ୍ୟ ଯାଇପାରିବେ।

ତେବେ ସେ ଶ୍ରୀଲଙ୍କାର ଏକ ଆତଙ୍କବାଦୀ ସଂଗଠନ ଲିବରେସନ ଟାଇଗର୍ସ ଅଫ୍ ତାମିଲ ଏଲମ୍ (LTTE) ସହ ଜଡିତ ଥିବା ସନ୍ଦେହରେ ୨୦୧୫ ମସିହାରେ ଗିରଫ ହୋଇଥିଲେ ଓ ସେହି  ଆବେଦନର ଶୁଣାଣି କରି କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

୨୦୧୮ ମସିହାରେ ଏକ ଟ୍ରାଏଲ୍ କୋର୍ଟ ତାଙ୍କୁ ବେଆଇନ କାର୍ଯ୍ୟକଳାପ ପାଇଁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ପରେ ୨୦୨୨ ମସିହାରେ ମାଡ୍ରାସ ହାଇକୋର୍ଟ ସେହି ଦଶ ବର୍ଷର ଦଣ୍ଡକୁ ସାତ ବର୍ଷ କରିଦେଇଥିଲେ। ଦଣ୍ଡର ଅବଧି ସମାପ୍ତ ହୋଇଗଲେ ତୁରନ୍ତ ଦେଶ ଛାଡି ଯିବାକୁ ନିର୍ଦ୍ଦେଶ ଦେବା ସହ ନିର୍ବାସନ ପୂର୍ବରୁ କୌଣସି ଶରଣାର୍ଥୀ ଶିବିରରେ ରହିବାକୁ କହିଥିଲେ।

 

Comments are closed.