ନୂଆଦିଲ୍ଲୀ: ଚୀନରେ ଅନୁଷ୍ଠିତ SCO ସମ୍ମିଳନୀ ଶେଷ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ମୋଦି ଚୀନରୁ ଭାରତ ଫେରିଛନ୍ତି । ଏହି ସମୟରେ, ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ଭାରତ ଉପରେ ଆଗରୁ ଖପ୍ପା ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଖାଲି ରକ୍ତର ଚାଉଲ ଚୋବାଉଛନ୍ତି । ଚୀନରେ ପ୍ରଧାନମନ୍ତ୍ରୀ ମୋଦି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତ ପରେ ଏବେ ଟ୍ରମ୍ପ ଭାରତ ସହିତ ଥିବା ସମ୍ପର୍କକୁ କୋଷିଛନ୍ତି । କହିଛନ୍ତି ଯେ ଭାରତ ସହିତ ବହୁତ ଦିନ ଧରି ଏକପାଖିଆ ସମ୍ପର୍କ ରହିଛି।
ଟ୍ରୁଥ ସୋସିଆଲରେ ଏକ ପୋଷ୍ଟର ଜାରି କରି ଟ୍ରମ୍ପ କହିଛନ୍ତି, ବହୁତ କମ୍ ଲୋକ ବୁଝନ୍ତି ଯେ ଆମେ ଭାରତ ସହିତ ବହୁତ କମ୍ ବାଣିଜ୍ୟ କରୁ, କିନ୍ତୁ ସେମାନେ ଆମ ସହିତ ବହୁତ ବାଣିଜ୍ୟ କରନ୍ତି। ଅନ୍ୟ ଶବ୍ଦରେ, ସେମାନେ ଆମକୁ ବିପୁଳ ପରିମାଣର ସାମଗ୍ରୀ ବିକ୍ରୟ କରନ୍ତି, ଯାହା ସେମାନଙ୍କର ସବୁଠାରୁ ବଡ଼ ଗ୍ରାହକ, କିନ୍ତୁ ଆମେ ସେମାନଙ୍କୁ ବହୁତ କମ୍ ବିକ୍ରି କରୁ। ଏପର୍ଯ୍ୟନ୍ତ ଏହା ଏକ ସମ୍ପୂର୍ଣ୍ଣ ଏକପାଖିଆ ସମ୍ପର୍କ ରହିଛି, ଏବଂ ଏହା ବହୁ ଦଶନ୍ଧି ଧରି ଚାଲିଛି। ଏହାର କାରଣ ହେଉଛି ଯେ ଭାରତ ଏପର୍ଯ୍ୟନ୍ତ ଆମ ଉପରେ ଏତେ ଉଚ୍ଚ ଟାରିଫ୍ ଲାଗୁ କରିଆସୁଛି, ଅନ୍ୟ କୌଣସି ଦେଶ ଅପେକ୍ଷା, ଆମର ବ୍ୟବସାୟ ଭାରତରେ ସାମଗ୍ରୀ ବିକ୍ରୟ କରିବାକୁ ସକ୍ଷମ ନୁହେଁ।
ଟ୍ରମ୍ପ କହିଛନ୍ତି, ଏହା ଏକ ସମ୍ପୂର୍ଣ୍ଣ ଏକପାଖିଆ ବିପର୍ଯ୍ୟୟ! ଏହା ସହିତ, ଭାରତ ଏହାର ଅଧିକାଂଶ ତୈଳ ଏବଂ ସାମରିକ ଉତ୍ପାଦ ରୁଷରୁ କିଣେ, ଆମେରିକାରୁ ବହୁତ କମ୍। ସେମାନେ ଏବେ ସେମାନଙ୍କର ଶୁଳ୍କକୁ ସମ୍ପୂର୍ଣ୍ଣ ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି, କିନ୍ତୁ ଏବେ ଡେରି ହେଉଛି। ସେମାନେ ଏହା ବର୍ଷ ବର୍ଷ ପୂର୍ବରୁ କରିବା ଉଚିତ ଥିଲା। ଲୋକଙ୍କ ବିଚାର ପାଇଁ କିଛି ସରଳ ତଥ୍ୟ !!!”
ଟ୍ରମ୍ପଙ୍କ ଏହି ବିବୃତ୍ତିକୁ ଦେଖି ଲାଗୁଛି ଯେ ସେ ଚୀନରେ ୩ ଟି ମହାଶକ୍ତି (ଭାରତ-ଚୀନ୍-ରୁଷ)ର ଏକତା ଦେଖି ଏବେ କ୍ରୋଧିତ । ସେଥିପାଇଁ ସେ ବିଶ୍ୱ ସମ୍ମୁଖରେ ତାଙ୍କର ସ୍ପଷ୍ଟୀକରଣ ଉପସ୍ଥାପନ କରୁଛନ୍ତି। ତଥାପି, ଟ୍ରମ୍ପଙ୍କ ଏହି ବିବୃତ୍ତିର ଭାରତ କିପରି ପ୍ରତିକ୍ରିୟା ଦିଏ ତାହା ଦେଖିବା ଆକର୍ଷଣୀୟ ହେବ।
Comments are closed.