Latest Odisha News

BREAKING NEWS

India–Oman Free Trade Agreement: ଭାରତ-ଓମାନ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ;ଏହି ସେକ୍ଟରକୁ ମିଳିବ ଲାଭ

ନୂଆଦିଲ୍ଲୀ:ଡିସେମ୍ବର ୧୮ ତାରିଖରେ ଭାରତ ଏବଂ ଓମାନ ମଧ୍ୟରେ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା(India–Oman free trade pact) ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହୋଇପାରେ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ(Piyush Goyal) ଶୁକ୍ରବାର କହିଛନ୍ତି ଯେ ଉଭୟ ଦେଶ ଆଗାମୀ ତିନି ମାସ ମଧ୍ୟରେ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ କାମ କରୁଛନ୍ତି।

ଏହି ଚୁକ୍ତିନାମା ଅନୁଯାୟୀ, ଓମାନ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛି। ଓମାନ ନିଜର ୯୮ ପ୍ରତିଶତ ଉତ୍ପାଦ କ୍ୟାଟେଗୋରୀ ଉପରେ ଶୂନ୍ୟ ଶୁଳ୍କ ପ୍ରଦାନ କରିବାକୁ ରାଜି ହୋଇଛି। ଏହାର ଅର୍ଥ ହେଉଛି ଭାରତର ପ୍ରାୟ ୯୯.୩୮ ପ୍ରତିଶତ ରପ୍ତାନି ଉପରେ କୌଣସି ଆମଦାନୀ ଶୁଳ୍କ ଲାଗୁ ହେବ ନାହିଁ।

ଏହି କ୍ଷେତ୍ରଗୁଡ଼ିକ ବାଣିଜ୍ୟ ଚୁକ୍ତିରୁ ଲାଭ ପାଇବେ…

ଏହି ଶୁଳ୍କମୁକ୍ତ ସୁବିଧା ବିଶେଷ ଭାବରେ ରତ୍ନ ଏବଂ ଅଳଙ୍କାର, ବୟନଶିଳ୍ପ, ଚମଡା,ଜୋତା ଚପଲ, ପ୍ଲାଷ୍ଟିକ୍, ଫର୍ଣ୍ଣିଚର, କ୍ରୀଡା ସାମଗ୍ରୀ, କୃଷି ଉତ୍ପାଦ, ଇଞ୍ଜିନିୟରିଂ ଏବଂ ଔଷଧ ଭଳି ଶ୍ରମ-କେନ୍ଦ୍ରିକ କ୍ଷେତ୍ରଗୁଡ଼ିକୁ ଲାଭଦାୟକ କରିବ। ଏଥିସହ ଭାରତ ଓମାନରୁ ଆମଦାନୀ ହେଉଥିବା ପ୍ରାୟ ୭୮ ପ୍ରତିଶତ ପ୍ରଡକ୍ଟ କ୍ୟାଟେଗୋରୀ ଉପରେ ଶୁଳ୍କ ରିହାତି ପ୍ରଦାନ କରିବ। ଏହା ଓମାନରୁ ଆମଦାନୀ ମୂଲ୍ୟର ପ୍ରାୟ ୯୫ ପ୍ରତିଶତକୁ କଭର କରିଥାଏ। ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ଆହୁରି ସନ୍ତୁଳିତ କରିବ।

ଗୋୟଲ କହିଛନ୍ତି ଯେ ଇସ୍ପାତ, ଶକ୍ତି, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରଗୁଡ଼ିକ ଓମାନରେ ଭାରତୀୟ କମ୍ପାନୀଗୁଡ଼ିକ ପାଇଁ ନିବେଶ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିବ। ସେ କହିଥିଲେ ଯେ ଏହା ଇସ୍ପାତ, ଗ୍ରୀନ ହାଇଡ୍ରୋଜେନ ଏବଂ ଏହା ଆମୋନିଆ ଭଳି କ୍ଷେତ୍ରରେ ଯଥେଷ୍ଟ ସମ୍ଭାବନା ରହିଛି। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଓମାନରେ ବୃହତ ଭୂମି ବ୍ୟାଙ୍କ ଉପଲବ୍ଧ, ଯାହା ସେଠାରେ ମିଳିତ ନିବେଶ ପ୍ରକଳ୍ପ ପ୍ରତିଷ୍ଠା କରିବା ସହଜ କରିବ। ମାର୍ବଲ ପ୍ରକ୍ରିୟାକରଣ, ବ୍ୟାଟେରୀ ଉତ୍ପାଦନ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ନିବେଶ ସୁଯୋଗ ସୃଷ୍ଟି ହେଉଛି।

ଓମାନ କମ୍ପାନୀଗୁଡ଼ିକ ମଧ୍ୟ ଭାରତ ସହ ସହଯୋଗ କରିବାକୁ ଆଗ୍ରହୀ। ଏକ ଓମାନ ଡାଏରୀ କମ୍ପାନୀ ଅମୂଲ ସହିତ ଏକ ମିଳିତ ଉଦ୍ୟମ ପାଇଁ ଆଗ୍ରହ ପ୍ରକାଶ କରିଛି। ଏହା ସହିତ, ଗୋୟଲ ଓମାନ କମ୍ପାନୀଗୁଡ଼ିକ ଏବଂ ସେମାନଙ୍କର ସାର୍ବଭୌମ ସମ୍ପତ୍ତି ପାଣ୍ଠିକୁ ଭାରତରେ ନିବେଶ କରିବାକୁ ଆମନ୍ତ୍ରଣ କରିଥିଲେ।

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ବାଣିଜ୍ୟ ଚୁକ୍ତି ଭାରତର ରପ୍ତାନି ଏବଂ ନିଯୁକ୍ତି ଉପରେ ସକାରାତ୍ମକ ପ୍ରଭାବ ପକାଇପାରେ ଏବଂ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ଆହୁରି ମଜବୁତ କରିବ।

ସୂଚନାଥାଉକି, ଭାରତ ଏବଂ ଓମାନ ଗୁରୁବାର ଦିନ ଏକ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ସ୍ୱାକ୍ଷର କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମାନର ସୁଲତାନ ହାଇଥାମ ବିନ୍ ତାରିକଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନା ସମୟରେ ଏହି ଚୁକ୍ତିର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ନିବେଶକୁ ବୃଦ୍ଧି କରିବ।

ଗତ କିଛି ବର୍ଷ ମଧ୍ୟରେ, ଭାରତ ଅନେକ ଦେଶ ଏବଂ ଗୋଷ୍ଠୀ ସହିତ FTA ସ୍ୱାକ୍ଷର କରିଛି। ଭାରତ ୟୁକେ, ଇଏଫଟିଏ, ଅଷ୍ଟ୍ରେଲିଆ, ୟୁଏଇ ଏବଂ ମରିସସ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ଗଲ୍ଫ ସହଯୋଗ ପରିଷଦ (GCC) ଦେଶଗୁଡ଼ିକ ମଧ୍ୟରେ ଓମାନ ହେଉଛି ଭାରତର ତୃତୀୟ ସର୍ବବୃହତ ରପ୍ତାନି ଗନ୍ତବ୍ୟସ୍ଥଳ।

୨୦୨୪-୨୫ ଆର୍ଥିକ ବର୍ଷରେ, ଭାରତ ଏବଂ ଓମାନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରାୟ ୧୦.୫ ବିଲିୟନ ଡଲାର ଥିଲା। ଏଥିରେ ଭାରତୀୟ ୪ ବିଲିୟନ ଡଲାରର ରପ୍ତାନି ଏବଂ ୬.୫୪ ବିଲିୟନ ଡଲାରର ଆମଦାନୀ ଅନ୍ତର୍ଭୁକ୍ତ।

ଭାରତରୁ ଓମାନକୁ ରପ୍ତାନି ହେଉଥିବା ପ୍ରମୁଖ ଉତ୍ପାଦଗୁଡ଼ିକ ମଧ୍ୟରେ ଖଣିଜ ଇନ୍ଧନ, ରାସାୟନିକ ପଦାର୍ଥ, ମୂଲ୍ୟବାନ ଧାତୁ, ଶସ୍ୟ, ଜାହାଜ ଏବଂ ଡଙ୍ଗା, ବୈଦ୍ୟୁତିକ ଯନ୍ତ୍ରପାତି, ବଏଲର, ଚା, କଫି, ମସଲା, ପୋଷାକ ଏବଂ ଖାଦ୍ୟ ଉତ୍ପାଦ ଅନ୍ତର୍ଭୁକ୍ତ।

Leave A Reply

Your email address will not be published.