ନୂଆଦିଲ୍ଲୀ: ଭାରତ ବନାମ ପାକିସ୍ତାନ ମ୍ୟାଚରେ ଦମଦାର ଖେଳ ଦେଖିବାକୁ ମିଳିଲା। ଶୁଭମାନ ଗିଲ ଓ ଶାହୀନ ଆଫ୍ରିଦିଙ୍କ ମଧ୍ୟରେ ପିଚ୍ରେ ଯୁକ୍ତିତର୍କ ପରେ ଝଗଡ଼ା ହୋଇଥିଲା। ଏହା ସତ୍ତ୍ୱେ ଗିଲ ଓ ଅଭିଷେକ ଶର୍ମା ପାକିସ୍ତାନୀ ବୋଲରଙ୍କୁ ଧୂଳିଚାଟଇଛନ୍ତି। ଶାହୀନଙ୍କ ବୋଲିଂକୁ ଗିଲ ଚୌକା ଓ ଅଭିଷେକ ଛକା ମାରି ଜବାବ ଦେଇଛନ୍ତି।
ଅଭିଷେକ ଶର୍ମା କ୍ରିଜ୍କୁ ଆସି ପ୍ରଥମ ବଲ୍ରେ ଛକା ମାରି ନିଜ ଫ୍ୟାନଙ୍କୁ ଚମକାଇ ଦେଇଥିଲେ। ଶାହୀନ ଆଫ୍ରିଦି ତାଙ୍କୁ ବାଉନ୍ସର ପକାଇଥିଲେ, କିନ୍ତୁ ଅଭିଷେକ ପୁଲ୍ ଶଟ୍ ଖେଳି ବଲ୍କୁ ବାଉଣ୍ଡ୍ରି ପାର ପଠାଇଦେଲେ। ଶାହୀନ ପ୍ରଥମ ଓଭରରେ ଉଇକେଟ୍ ନେବା ପାଇଁ ଜଣାଶୁଣା, କିନ୍ତୁ ଅଭିଷେକଙ୍କ ଏହି ଛକା ତାଙ୍କୁ ନିରୁତ୍ସାହିତ କରିଥିଲା।
ଅଭିଷେକଙ୍କ ଛକା ପରେ ଶାହୀନ ଆଫ୍ରିଦି ରାଗିଯାଇଥିଲେ। ସେ ପରବର୍ତ୍ତୀ ଓଭରରେ ଶୁଭମାନ ଗିଲଙ୍କୁ ଚାପ ସୃଷ୍ଟି କରିବାକୁ ଚେଷ୍ଟା କଲେ। କିନ୍ତୁ ଗିଲ ତାଙ୍କର ଚତୁର୍ଥ ଓ ଷଷ୍ଠ ବଲ୍ରେ ଚୌକା ମାରି ଶାହୀନଙ୍କୁ ଜବାବ ଦେଲେ। ରାଗରେ ଶାହୀନ ଗିଲଙ୍କୁ କିଛି କହିଥିଲେ, କିନ୍ତୁ ଗିଲ ବାଉଣ୍ଡ୍ରି ଆଡ଼କୁ ଇଙ୍ଗିତ କରି ଦେଖାଇଲେ ଯେ ତାଙ୍କ ବଲ୍ ଚୌକା ପାଇଁ ଚାଲିଯାଇଛି। ଏହା ୧୯୯୬ରେ ଆମିର ସୋହେଲଙ୍କ ବେଙ୍କଟେଶ ପ୍ରସାଦଙ୍କୁ ଇଙ୍ଗିତ କରିବା ଘଟଣାର ଏକ ପୁନରାବୃତ୍ତି ଥିଲା।
ଶୁଭମାନ ଗିଲ ଓ ଅଭିଷେକ ଶର୍ମା ପାକିସ୍ତାନୀ ବୋଲରଙ୍କ ଉପରେ ଆକ୍ରମଣାତ୍ମକ ଖେଳ ଖେଳିଲେ। ପାୱାରପ୍ଲେ’ରେ ଉଭୟ ଖୋଲାଖୋଲି ବ୍ୟାଟିଂ କରି ମାତ୍ର ୨୮ ବଲ୍ରେ ଦଳର ସ୍କୋରକୁ ୫୦ ଉପରେ ପହଞ୍ଚାଇଲେ। ଏହି ସମୟରେ ଅଭିଷେକ ଶର୍ମା ଏକ ବଡ଼ ରେକର୍ଡ ମଧ୍ୟ ନିଜ ନାମରେ କଲେ। ସେ ମାତ୍ର ୩୩୧ ବଲ୍ରେ ଟି୨୦ ଅନ୍ତର୍ଜାତୀୟରେ ୫୦ଟି ଛକା ମାରି ରେକର୍ଡ ସୃଷ୍ଟି କଲେ। ଏହା ପୂର୍ବରୁ ଏହି ରେକର୍ଡ ଓ୍ଵେଷ୍ଟଇଣ୍ଡିଜ୍ର ଓପନର ଏଭିନ ଲୁଇସ୍ଙ୍କ ନାମରେ ଥିଲା। ଭାରତ ପାଇଁ ଏହି ରେକର୍ଡ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ଥିଲା, ଯିଏ ୫୧୦ ବଲ୍ରେ ଏହା ହାସଲ କରିଥିଲେ।
Comments are closed.