ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପୁଣି ପାକିସ୍ତାନର ଅସଲ ଚେହେରା ଉପରୁ ପରଦା ହଟାଇଛି । ଆତଙ୍କବାଦୀଙ୍କ ଚରାଭୂମି ପାଲଟିଥିବା ପାକିସ୍ତାନ ବର୍ଷ ବର୍ଷ ଧରି କାଶ୍ମୀର ନାଁରେ ମାନବବାଦକୁ ରକ୍ତରଞ୍ଜିତ କରିଛି । ବିଭାଜନ ପରଠୁ ହିଁ କେତେବେଳେ ଯୁଦ୍ଧ ତ କେତେବେଳେ ଆତଙ୍କବାଦୀ ଆକ୍ରମଣକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ପାକିସ୍ତାନ । ସବୁବେଳେ ବିବାଦର କେନ୍ଦ୍ରରେ ରହିଛି କାଶ୍ମୀର । ଭାରତ-ପାକିସ୍ତାନ ମଧ୍ୟରେ ଅଶାନ୍ତି ଦକ୍ଷିଣ ଏସିଆ ରାଜନୈତିକ ମାହୋଲକୁ ଉତ୍ତେଜନାପୂର୍ଣ୍ଣ କରିଛି । ପହଲଗାମ ଆତଙ୍କବାଦୀ ହମଲା ସ୍ଥିତିକୁ ଆହୁରି ଖରାପ କରିଛି । ତେବେ ପ୍ରଶ୍ନ ଉଠୁଛି, କେବେଠୁ ଓ କେଉଁ କାରଣରୁ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି?
ଯୁଦ୍ଧ…ପାକିସ୍ତାନର ପରାଜୟ
ଜାମ୍ମୁ ଓ କାଶ୍ମୀର ଭାରତରେ ମିଶ୍ରଣକୁ ନେଇ ପ୍ରଥମ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା । ପାକ୍ ସମର୍ଥିତ ଆଦିବାସୀ ମିଲିସିଆ କାଶ୍ମୀର ଉପରେ ଆକ୍ରମଣ କରିବା ପରେ ମହାରାଜା ହରି ସିଂହ ଭାରତୀୟ ସେନାର ସହାୟତା ମାଗିଥିଲେ । ଭାରତୀୟ ସେନା ପାକିସ୍ତାନକୁ ମାତ୍ ଦେବା ପରେ ୧୯୪୯ରେ ଜାତିସଂଘର ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ନିୟନ୍ତ୍ରଣ ରେଖା କରାଯାଇଥିଲା । ଭାରତ କାଶ୍ମୀରର ଦୁଇ ତୃତୀୟାଂଶ ନିଜ ନିୟନ୍ତ୍ରଣରେ ରଖିଥିବା ବେଳେ ପାକିସ୍ତାନ ବାକି ଅଞ୍ଚଳ ଦଖଲ କରିଥିଲା । ୧୯୬୫ରେ ପୁଣି ଭାରତ ନିୟନ୍ତ୍ରିତ କାଶ୍ମୀରରେ ବିଦ୍ରୋହ ଉସୁକାଇବାକୁ ଉଦ୍ୟମ କରିଥିଲା ପାକିସ୍ତାନ । ହେଲେ ଏହାର ପ୍ରତିଶୋଧ ନେଇଥିଲା ଭାରତ ।
ପାକିସ୍ତାନର ଷଡ଼ଯନ୍ତ୍ର ଭାରତର ଜବାବ
୧୯୭୧ରେ ପୂର୍ବ ପାକିସ୍ତାନରେ ବାଂଲାଦେଶ ମୁକ୍ତି ଆନ୍ଦୋଳନ ସଂଘର୍ଷର ରୂପ ନେଇଥିଲା । ପାକିସ୍ତାନର ଆଗୁଆ ଆକ୍ରମଣର ଜବାବ ଦେଇଥିଲା ଭାରତ । ୯୦ହଜାର ପାକିସ୍ତାନୀ ଯବାନଙ୍କୁ ବନ୍ଦୀ କରିଥିଲା ଭାରତ । ପରେ ସିମଲା ରାଜିନାମା ସ୍ବାକ୍ଷର କରିବା ସହ ଶାନ୍ତି ସ୍ଥାପନ ଦୃଷ୍ଟିରୁ ପାକିସ୍ତାନର କବଜା କରିଥିବା ଅଞ୍ଚଳ ଫେରାଇଥିଲା । ବାରମ୍ବାର ଯୁଦ୍ଧ ହାରିଥିଲେ ବି ଭାରତ ବିରୋଧୀ ଷଡଯନ୍ତ୍ର ବନ୍ଦ କରିନଥିଲା ପାକିସ୍ତାନ । ୧୯୯୯ରେ ପାକିସ୍ତାନୀ ସେନା ଓ ଆତଙ୍କବାଦୀ ଭାରତର କାରଗିଲ ସେକ୍ଟରରେ ଅନୁପ୍ରବେଶ କରିଥିଲେ । ଅପରେସନ୍ ବିଜୟରେ ଜବାବ ଦେଇଥିଲା ଭାରତ । ପ୍ରବଳ କ୍ଷତି ସହିଥିଲା ପାକିସ୍ତାନ, ପରାଜୟ ବି ସ୍ବୀକାର କରିଥିଲା ।
ପାକିସ୍ତାନର ଆତଙ୍କୀ ଚେହେରା
ଯୁଦ୍ଧରେ ମାତ୍ ଖାଇଥିବା ପାକିସ୍ତାନ ଭାରତରେ ଆତଙ୍କ ଖେଳାଇବାକୁ ଅନେକ ସମୟରେ ରଚିଛି ଷଡ଼ଯନ୍ତ୍ର । ୨୬/୧୧ ଆତଙ୍କବାଦୀ ହମଲା ପଛରେ ପାକିସ୍ତାନର ହାତ ଥିଲା ତ ୨୦୧୬ରେ କାଶ୍ମୀରର ଉରି ଆର୍ମି ବେସ୍ ଉପରେ କରିଥିଲା ଆକ୍ରମଣ। ଜବାବରେ ଏଲଓସି ଆର ପାଖରେ ଆତଙ୍କୀ ଅଡ୍ଡାକୁ ଟାର୍ଗେଟ୍ କରିଥିଲା ଭାରତ । ୨୦୧୯ରେ ପୁଲଓ୍ବାମାରେ ଆତ୍ମଘାତୀ ଆକ୍ରମଣରେ ୪୦ଜଣ ସେନା ଯବାନ ସହିଦ ହୋଇଥିଲେ । ଏହାପରେ ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ । ପୁଣି ପହଲଗାମରେ ଆତଙ୍କୀ ଚେହେରା ଦେଖାଇଛି ପାକିସ୍ତାନ । ଏଥର ନିରୀହ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ ।
କାଶ୍ମୀରକୁ ନେଇ ଦେଶ ବିଭାଜନ ପରଠୁ ଭାରତ ସହ ମୁହାଁମୁହିଁ ହୋଇଛି ପାକିସ୍ତାନ । କାଶ୍ମୀର ସହ ଜଳ ବଣ୍ଟନ, ଆତଙ୍କବାଦ, ରାଜନୈତିକ ଅଶାନ୍ତି ପରି ପ୍ରସଙ୍ଗ ଦୁଇ ଦେଶର ସଂପର୍କକୁ ଆହୁରି ବିଗାଡିଛି । ଶିମଲା ରାଜିନାମା, ତାସକେଣ୍ଟ ଚୁକ୍ତି ପରି ରାଜିନାମା ବି ଦୁଇ ଦେଶ ମଧ୍ୟରେ ଲମ୍ବା ସମୟ ଧରି ଶାନ୍ତି ପ୍ରତିଷ୍ଠା କରିପାରିନି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ଆଶନ୍ତି ଚରମରେ ରହିଛି । ଏପରିକି ପୁଣି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
Comments are closed.