Latest Odisha News

ଭାରତ – ପାକିସ୍ତାନ ଅସ୍ତ୍ରବିରତ ପାଇଁ ରାଜି କିପରି ହେଲେ?

ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ମେ ୭ରେ ଭାରତୀୟ ସୈନ୍ୟ ବାହିନୀ ଦ୍ୱାରା ଅପରେସନ ସିନ୍ଦୂରର ଆରମ୍ଭ ହୋଇଥିଲା। ଯେଉଁଥିରେ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଥିଲା । ଅପରେସନ ସିନ୍ଦୂର ପାକିସ୍ତାନ ସେନା ଭୟଭୀତ ହୋଇଥିଲା । ତେଣୁ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ପାକ୍ ସେନା ପାଲଟା ଆକ୍ରମଣ କରିଥିଲା । ଭାରତର ସୀମାବର୍ତ୍ତୀ ଅଞ୍ଚଳ ଓ ବାୟୁସେନା ଆଡ୍ଡାକୁ ଟାର୍ଗେଟ୍ କରିବାକୁ ପ୍ରୟାସ କରିଥିଲା । ହେଲେ ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହି ସବୁ ପ୍ରୟାସକୁ ବିଫଳ କରିଦେଇଥିଲା ।

ରବିବାର ଏୟାର ମାର୍ଶାଲ ଏ କେ ଭାରତୀ, ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ମେଜର ଜେନେରାଲ ଏସଏସ ଶର୍ମା ଏବଂ ଭାଇସ୍ ଆଡମିରାଲ ଏଏନ ପ୍ରମୋଦ ଅପରେସନ ସିନ୍ଦୂର ଏବଂ ଏହାର ପ୍ରଭାବ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଆଜିର ଡିଜିଏମଓ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ଅନୁସାରେ, ମେ ୭ ରୁ ମେ ୧୦ ମଧ୍ୟରେ ନିୟନ୍ତ୍ରଣ ରେଖାରେ ହୋଇଥିବା ଗୁଳିମାଡ଼ରେ ପ୍ରାୟ ୩୫ ରୁ ୪୦ ଜଣ ପାକିସ୍ତାନୀ ସେନା ସୈନିକଙ୍କ ମୃତ୍ୟୁ ହୋଇଥିଲା।

ସୂଚନାଥାଉକି, ଗତକାଲି ଅର୍ଥାତ୍ ୧୦ମେରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। ତଥାପି, ଏହା ପରେ ମଧ୍ୟ, ପାକିସ୍ତାନ ସୁଧୁରୁନଥିଲା। ସେ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଭାରତ ତାଙ୍କର ଏହି ଘୃଣ୍ୟ ପ୍ରୟାସକୁ ବିଫଳ କରିଥିଲା। କିନ୍ତୁ ଏହି ଖବରରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଏପରି ଘଟଣା କଣ ଘଟିଲା, ଯାହା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ?

ସୂଚନାନୁସାରେ, ୯ ମେ ରେ ଭାରତ ପାକିସ୍ତାନ ଉପରେ ପ୍ରତିଶୋଧମୂଳକ ଆକାଶ ଆକ୍ରମଣ କରିଥିଲା ​​ଏବଂ ୧୦ ମେ ସକାଳେ ଗୁଳିବର୍ଷଣ କରି ପ୍ରତିଶୋଧ ନେଇଥିଲା। ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ କଥା ହୋଇଥିଲେ। ମୁନିରଙ୍କ ସହ କଥା ହେବା ପରେ, ରୁବିଓ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କୁ ଫୋନ୍ କରି କହିଥିଲେ ଯେ ପାକିସ୍ତାନ ଆଲୋଚନା ପାଇଁ ପ୍ରସ୍ତୁତ।

ତଥାପି, ଏହି ସମୟ ମଧ୍ୟରେ ଭାରତ ସ୍ପଷ୍ଟ କରିଦେଇଥିଲା ଯେ ଆଲୋଚନା କେବଳ ଡିଜିଏମଓଙ୍କ ମଧ୍ୟରେ ହେବା ଉଚିତ, ଅନ୍ୟ କାହା ମଧ୍ୟରେ ନୁହେଁ। ପାକିସ୍ତାନର ଡିଜିଏମଓ ୧୦ମେ ଦିନ ୧ଟାରେ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କଠାରୁ ସମୟ ମାଗିଥିଲେ। ପୂର୍ବରୁ ମେ ୭ତାରିଖରେ ଭାରତ ପାକିସ୍ତାନର ଡିଜିଏମଓଙ୍କୁ ଜଣାଇଥିଲା ଯେ ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି, କିନ୍ତୁ ସେମାନେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ଭାରତ ବାୟୁସେନା ଘାଟି ଉପରେ ଆକ୍ରମଣ କରିବା ପରେ ସେ ସମୟ ମାଗିଥିଲେ।

ତିନି ସେନାର ଆଜିର ସାମ୍ବାଦିକ ସମ୍ମିଳନୀରେ ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି ଯେ, ୧୦ ମେ ଦିନ ଅପରାହ୍ନ ୩.୩୫ ରେ ମୁଁ ପାକିସ୍ତାନୀ ଡିଜିଏମଓଙ୍କ ସହ କଥାବାର୍ତ୍ତା କରିଥିଲି ଏବଂ ଏହା ପରେ ସନ୍ଧ୍ୟା ୫ ଟାରୁ ଉଭୟ ପାର୍ଶ୍ୱରୁ ସୀମା ପାରରୁ ଗୁଳିମାଡ଼ ଏବଂ ବିମାନ ଅନୁପ୍ରବେଶ ବନ୍ଦ ହୋଇଗଲା।ଏହି ଚୁକ୍ତିନାମାକୁ ଦୀର୍ଘକାଳୀନ ଭାବରେ ବଜାୟ ରଖିବାର ଉପାୟଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ ଆମେ ୧୨ ମେ ଦିନ ୧୨ଟାରେ ଆହୁରି ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛୁ।

ରାଜୀବ ଘାଇ ଆହୁରି କହିଛନ୍ତି ଯେ ଅସ୍ତ୍ରବିରତିର କିଛି ଘଣ୍ଟା ପରେ ପାକିସ୍ତାନ ଏହାକୁ ଉଲ୍ଲଂଘନ କରିଥିଲା। ସୀମା ଆରପାରି ଏବଂ ନିୟନ୍ତ୍ରଣ ରେଖା ଆରପାରିରୁ ଗୁଳିଚାଳନା ହୋଇଥିଲା। ଆମେ ଏହାର କଡ଼ା ଜବାବ ଦେଇଥିଲୁ। ଆମେ ଆଜି ସକାଳେ ପାକିସ୍ତାନର DGMOଙ୍କୁ ଆଉ ଏକ ହଟଲାଇନ୍ ବାର୍ତ୍ତା ପଠାଇଛୁ, ଯେଉଁଥିରେ ୧୦ ମେରେ DGMO ମଧ୍ୟରେ ହୋଇଥିବା ଚୁକ୍ତିର ଉଲ୍ଲଂଘନ ହୋଇଥିବା ସୂଚନା ଦିଆଯାଇଛି ଏବଂ କୁହାଯାଇଛି ଯେ ଯଦି ଆଜି ରାତିରେ କିମ୍ବା ଏହାପର ପୁନରାବୃତ୍ତି ହୁଏ, ତେବେ ଆମେ କଡ଼ା ଜବାବ ଦେବୁ। ସେନା ମୁଖ୍ୟ ଆମକୁ ପ୍ରତିଶୋଧ ନେବା ପାଇଁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି।

Comments are closed.