ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତଜେନା ଜାରି ରହିଛି । ଗୁରୁବାର ରାତିରେ ପାକିସ୍ତାନ ଜମ୍ମୁ ସମେତ ଅନେକ ସୀମାନ୍ତ ଅଞ୍ଚଳରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତୀୟ ସେନା ଏହାକୁ ବିଫଳ କରିଥିଲା । ଏହା ପରେ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ ଏବଂ ବିହାରରେ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନୋଟିସରେ କୁହାଯାଇଛି ଯେ, ବର୍ତ୍ତମାନର ପରିସ୍ଥିତି ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦିଲ୍ଲୀ ସରକାରଙ୍କ କୌଣସି ଅଧିକାରୀ/କର୍ମଚାରୀଙ୍କୁ ଛୁଟି ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି, ରାଜସ୍ଥାନର ଭଜନଲାଲ ସରକାର ମଧ୍ୟ ପୋଲିସ କର୍ମଚାରୀ ଏବଂ ଡାକ୍ତରୀ କର୍ମଚାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି । ଏହା ବ୍ୟତୀତ, ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ପାକିସ୍ତାନ ସୀମାବର୍ତ୍ତୀ 6ଟି ଜିଲ୍ଲା – ଯୋଧପୁର, ଫଲୋଦି, ଜୈସଲମେର, ବାଡମେର, ଶ୍ରୀଗଙ୍ଗାନଗର ଏବଂ ବିକାନେରରେ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ କରିଦେଇଛନ୍ତି । ସରକାରୀ, ବେସରକାରୀ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଏବଂ ମଦ୍ରାସାଗୁଡ଼ିକରେ ପାଠପଢ଼ା ବନ୍ଦ । ସେହି ସମୟରେ, ଯୋଧପୁରରେ କଲେଜ ଏବଂ ପରୀକ୍ଷା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ନିର୍ଦ୍ଦେଶଗୁଡ଼ିକ ମେ 8 ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି, ବିହାରରେ ପ୍ରଶାସନିକ, ପୋଲିସ ଏବଂ ଡାକ୍ତରୀ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏହା ବ୍ୟତୀତ ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ସୈନିକମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.