ନୂଆଦିଲ୍ଲୀ: କେବେ ଆକ୍ରମଣ କରିବ ଭାରତ? ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ଭୟରେ ପାକିସ୍ତାନ । ଭାରତର ଜବାବୀ ଆକ୍ରମଣ ନେଇ ପାକିସ୍ତାନୀ ନେତା, ଡିପ୍ଲୋମାଟ ଓ ପତ୍ରକାର ଭିନ୍ନ ଭିନ୍ନ ତାରିଖ ଦେଉଛନ୍ତି । ଦିଲ୍ଲୀରେ ଉଚ୍ଚାୟୁକ୍ତ ରହିଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବ୍ଦୁଲ ବାସିତ୍ ଏବେ ଭାରତର ସମ୍ଭାବ୍ୟ ଆକ୍ରମଣକୁ ନେଇ ଦେଇଛନ୍ତି ନୂଆ ତାରିଖ । ଭାରତ ପାକିସ୍ତାନ ଉପରେ ମେ ୧୦ କିମ୍ବା ୧୧ତାରିଖରେ ସୀମିତ ସାମରିକ ଆକ୍ସନ୍ ନେଇପାରେ ବୋଲି ସେ ଆକଳନ କରିଛନ୍ତି । ଏହାପୂର୍ବରୁ ପାକିସ୍ତାନର ବିଦେଶ ମନ୍ତ୍ରୀ ଇସାକ ଡାର ଓ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ମଧ୍ୟ ଗତ ସପ୍ତାହରେ ଭାରତର ଆକ୍ରମଣ ନେଇ ଆକଳନ କରିଥିଲେ ।
ଅବ୍ଦୁଲ ବାସିତଙ୍କ ଆକଳନ କ’ଣ?
ପୂର୍ବତନ ରାଷ୍ଟ୍ରଦୂତ ଅବ୍ଦୁଲ ବାସିତଙ୍କ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଋଷର ବିଜୟ ଉତ୍ସବ ପରେ ଭାରତ ଆସନ୍ତା ୧୦ କିମ୍ବା ୧୧ତାରିଖରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ ବୋଲି ସେ ଆକଳନ କରିଛନ୍ତି। ତେବେ ଭାରତ ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ଋଷର ବିଜୟ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ତେବେ ପହଲଗାମ ଆକ୍ରମଣ ପରେ ଗସ୍ତ ବାତିଲ୍ କରିଥିଲେ ମୋଦି । ଉଭୟ ଭାରତ ଓ ପାକିସ୍ତାନ ସାମରିକ ପ୍ରସ୍ତୁତି ଜୋରଦାର କରିଛନ୍ତି ।
ଆକଳନ ନା ଅପପ୍ରଚାର!
ଅବ୍ଦୁଲ ବାସିତଙ୍କ ଆକଳନ ବି ପାକିସ୍ତାନର ଅପପ୍ରଚାରର ଅଂଶବିଶେଷ । ଭାରତ ଜବାବୀ ଆକ୍ରମଣ କେବେ କରିବ? କେଉଁ ତାରିଖରେ ଆକ୍ସନ୍ ନେବ? ସେନେଇ ଅଳ୍ପ କେତେଜଣ ହାତଗଣତି ଲୋକଙ୍କ ଛଡା କାହା ପାଖରେ ସୂଚନା ନାହିଁ । ତେବେ ମିଛ ଆକଳନ କରି ଅନ୍ତର୍ଜାତୀୟସ୍ତରରେ ସହାନୁଭୁତି ସାଉଁଟିବାକୁ ଚାହୁଁଛି ପାକିସ୍ତାନ । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ୟୁକ୍ରେନ୍ ବି ସମାନ ରଣନୀତି ଆପଣାଇଥିଲା । କେବେ ଯୁଦ୍ଧ ହେବ, ସେନେଇ ୟୁକ୍ରେନ୍ ରାଷ୍ଟ୍ରପତି ବାରମ୍ବାର ଘୋଷଣା କରୁଥିଲେ । ୟୁକ୍ରେନ୍ ପରି ଏହି ରଣନୀତି ନିଜକୁ ପୀଡିତ ପ୍ରମାଣିତ କରିବା ସହ ସହାନୁଭୁତି ହାସଲ କରିବାକୁ କରୁଛି ପାକିସ୍ତାନ । ପଶ୍ଚିମ ଗଣମାଧ୍ୟମର ଏକ ବଡ଼ ଅଂଶ ପାକିସ୍ତାନକୁ ସମର୍ଥନ କରିଆସୁଛି । ତେଣୁ ପ୍ରୋପାଗଣ୍ଡା ଓ୍ବାରରେ ଆଗରେ ରହିଛି ପାକିସ୍ତାନ ।
ଚିନ୍ତାରେ ଜେନେରାଲ୍ ମୁନିର !
ରାଷ୍ଟ୍ରୀୟ ସମ୍ମାନ ରକ୍ଷା ତଥା ଲୋକଙ୍କ ହିତ ପାଇଁ ପାକିସ୍ତାନୀ ସେନା ପୂରା ଶକ୍ତିର ସହ ଭାରତକୁ ଜବାବ ଦେବ ବୋଲି ସେନା ମୁଖ୍ୟ ଅସିମ ମୁନିର କହିଛନ୍ତି । ପାକିସ୍ତାନ ନିଜ ଦେଶରେ ତଥା ବାହାରେ ଶାନ୍ତି ଚାହେଁ। ତେବେ ପାକିସ୍ତାନର ସଂପ୍ରଭୁତା ବା କ୍ଷତ୍ରିୟ ଅଖଣ୍ଡତାର ଉଲ୍ଲଂଘନ ହେଲେ ପାକିସ୍ତାନୀ ସେନା ପୂର୍ଣ୍ଣ ଶକ୍ତିରେ ଜବାବ ଦେବ ବୋଲି ମୁନିର କହିଛନ୍ତି । ପହଲଗାମ ଆକ୍ରମଣର କିଛି ଦିନ ତଳେ ଇସଲାମାବାଦରେ ପ୍ରବାସୀ ପାକିସ୍ତାନୀ ସମ୍ମିଳନୀରେ ଦେଶର ସେନା ମୁଖ୍ୟ ଅସିମ ମୁନିର କାଶ୍ମୀରକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହାପରେ ବୈସରନ ଘାଟିରେ ନରସଂହାର କରିଥିଲେ ଆତଙ୍କବାଦୀ । କିଛି ଦିନ ଗାଏବ ହେବା ନେଇ ଚର୍ଚ୍ଚା ପରେ ମୁନିର ସାମନାକୁ ଆସି ଦମ୍ଭ ଦେଖାଇଛନ୍ତି, ହେଲେ ଭାରତକୁ ନେଇ ତାଙ୍କ ମନର ଭୟ ସ୍ପଷ୍ଟ ବାରି ହେଉଛି ।
Comments are closed.