Latest Odisha News

BREAKING NEWS

୨୦୩୫ ସୁଦ୍ଧା ମଡ୍ୟୁଲାର ଅନ୍ତରୀକ୍ଷ କେନ୍ଦ୍ର ସ୍ଥାପନ ପାଇଁ ଭାରତର ଯୋଜନା: ଇସ୍ରୋ ଅଧ୍ୟକ୍ଷ

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶରେ ୨୦୩୫ ସୁଦ୍ଧା ଏକ ମଡ୍ୟୁଲାର ମହାକାଶ କେନ୍ଦ୍ର ସ୍ଥାପନ କରିବାର ଯୋଜନା ରଖିଥିବା ନେଇ ଇସ୍ରୋର ଅଧ୍ୟକ୍ଷ ତଥା ମହାକାଶ ବିଭାଗର ସଚିବ ଡକ୍ଟର ଭି. ନାରାୟଣନ୍ କହିଛନ୍ତି।

ବିଏଏସ୍‌ର ସ୍ଥାପନା ମହାକାଶ ଗବେଷଣା ଏବଂ ତତ୍‌ସମ୍ପର୍କିତ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ, ଗବେଷକ ଏବଂ ଫ୍ୟାକଲ୍ଟିମାନଙ୍କ ସହିତ ଆଲୋଚନା ପରିପ୍ରେକ୍ଷୀରେ ଏହି ସୂଚନା ଦେଇଛନ୍ତି ଇସ୍ରୋର ଅଧ୍ୟକ୍ଷ।

ଭାରତର ପ୍ରଥମ ମାନବ ମହାକାଶ ମିଶନ, ‘ଗଗନାୟନ’ ୨୦୨୭ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବା ନିମନ୍ତେ ପ୍ରଚେଷ୍ଟା ଚାଲିଥିବା ବେଳେ ଏଥି ନିମନ୍ତେ ୪ ଜଣ ଟେଷ୍ଟ ପାଇଲଟଙ୍କୁ ମହାକାଶଚାରୀ ଭାବେ ପ୍ରଶିକ୍ଷଣ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ମନୁଷ୍ୟ ନ ଥାଇ ଏହି ପରୀକ୍ଷା କରାଯିବ।

ସେହିପରି ୨୦୪୭ ସୁଦ୍ଧା ଭାରତ ବିଶ୍ୱରେ ଏକ ମହାକାଶ ଶକ୍ତି ଭାବେ ନିଜକୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି । ଏପର୍ଯ୍ୟନ୍ତ ଋଷିଆ, ଯୁକ୍ତରାଷ୍ଟ ଆମେରିକା ଏବଂ ଚୀନ୍ ହିଁ ମହାକାଶକୁ ମାନବ ପଠାଇବାରେ ସଫଳ ହୋଇପାରିଛନ୍ତି ବୋଲି ସେ କହିଥିଲେ। ଜଣେ ରକେଟ ବିଶେଷଜ୍ଞଭାବେ ପରିଚିତ ଡକ୍ଟର ନାରାୟଣନ କହିଥିଲେ ଯେ ଯଦିଓ ଭାରତର ମହାକାଶ ଅଭିଯାନ ୧୯୬୨ରେ ଆରମ୍ଭ ହୋଇଥିଲା ଏହି ଯାତ୍ରା ଖୁବ୍ ଲମ୍ବା ଥିଲା। ଦେଶ ଏବେ ଜଣେ ଭାରତୀୟଙ୍କୁ ନିରାପଦ ଭାବେ ଚନ୍ଦ୍ରକୁ ପଠାଇ ପୁଣି ସଫଳତାର ସହ ଫେରାଇ ଆଣିବା ନିମନ୍ତେ ଲକ୍ଷ୍ୟ ରଖିଛି ।

୧୯୬୯ ମସିହାରେ ଯେତେବେଳେ ଇସ୍ରୋ ପ୍ରତିଷ୍ଠା ହୋଇଥିଲା ସେତେବେଳକୁ ଯୁକ୍ତରାଷ୍ଟ୍ର ଆମେରିକା ସଫଳତାର ସହ ନିଲ ଆର୍ମଷ୍ଟ୍ରଙ୍ଗଙ୍କୁ ଚନ୍ଦ୍ରକୁ ପଠାଇସାରିଥିଲା । ତେବେ ବିଳମ୍ବରେ ଆରମ୍ଭ ହେବା ସତ୍ୱେ ଇସ୍ରୋ ଖୁବ୍ ଦୃଷ୍ଟାନ୍ତମୂଳକ ବିକାଶ କରିପାରିଛି । ୧୯୮୦ ମସିହାରେ ପ୍ରଥମ ଥର ପାଇଁ ଭାରତ ମହାକାଶକୁ ୩୫ କେଜିର ସାଟେଲାଇଟ୍ ପଠାଇବାରେ ସଫଳ ହୋଇପାରିଥିଲା। ପରବର୍ତୀ ସମୟରେ ଭାରତ ୬ଟି ପିଢ଼ିର ଲଂଚ ଭେହିକଲ ନିର୍ମାଣ କରିବାକୁ ସକ୍ଷମ ହୋଇଛି । ମାତ୍ର ୨୭ ଦିନ ମଧ୍ୟରେ ଏକ ୪୦ ମହଲା ଉଚ୍ଚର ରକେଟ ପ୍ରସ୍ତୁତ କରିବା ଭାରତ ନିମନ୍ତେ ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଥିଲେ ।

 

Comments are closed.