Latest Odisha News

BREAKING NEWS

ପାକିସ୍ତାନକୁ ଡବଲ୍ ଆର୍ଥିକ ଝଟକା ଦେବ ଭାରତ !

ନୂଆଦିଲ୍ଲୀ: ପାକିସ୍ତାନକୁ ଚାରିଆଡୁ ଘେରିବାକୁ ପ୍ଲାନ୍ । ସାମରିକ ଆକ୍ସନ୍ ଆଗରୁ ଶତ୍ରୁ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ କରିବାକୁ ଯୋଜନା । ପାକିସ୍ତାନକୁ ମିଳୁଥିବା ଫଣ୍ଡ ରୋକିବାକୁ ଉଦ୍ୟମ । ପାକିସ୍ତାନର ଅଣ୍ଟା ଭାଙ୍ଗିବ ଡବଲ୍ ଝଟକା ! ପହଲଗାମ ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଛି ଭାରତ । କୁଟନୈତିକ ପଦକ୍ଷେପ ପରେ ପାକିସ୍ତାନକୁ ଆର୍ଥିକ ସହାୟତା ରୋକିବା ଦିଗରେ ବଡ଼ ପଦକ୍ଷେପ ନେବାକୁ ଯାଉଛି । ପାକିସ୍ତାନକୁ ପୁଣି ଫାଇନାନସିଆଲ୍ ଆକ୍ସନ ଟାସ୍କଫୋର୍ସ ବା ଏଫଏଟିଏଫର ଗ୍ରେ ଲିଷ୍ଟରେ ରଖିବାକୁ ଉଦ୍ୟମ କରିବ ଭାରତ । ଏହାସହ ଅନ୍ତର୍ଜାତୀୟ ମୁଦ୍ରାକୋଷ ବା ଆଇଏମଏଫରୁ ପାକିସ୍ତାନକୁ ମିଳିବାକୁ ଥିବା ୭ବିଲିୟନ ଡଲାର ସହାୟତାକୁ ବିରୋଧ କରିବ ।

ଏଫଏଟିଏଫର ଗ୍ରେ ଲିଷ୍ଟକୁ ଯିବ ପାକିସ୍ତାନ !

ଭାରତର ଉଦ୍ୟମ ଯୋଗୁଁ ୨୦୧୮ ଜୁନରେ ପାକିସ୍ତାନକୁ ଏଫଏଟିଏଫର ଗ୍ରେ ଲିଷ୍ଟରେ ରଖାଯାଇଥିଲା । ଏହାପରେ ଆତଙ୍କବାଦ ଉପରେ ଅଙ୍କୁଶ ଲଗାଇବା ଦିଗରେ କିଛି ପଦକ୍ଷେପ ନେଇଥିଲା ପାକିସ୍ତାନ । ଫଳରେ ୨୦୨୨ ଅକ୍ଟୋବରରେ ତାଲିକାରୁ ପାକିସ୍ତାନକୁ ବାଦ୍ ଦିଆଯାଇଥିଲା । ଗ୍ରେ ଲିଷ୍ଟରେ ରହିଥିବା ଦେଶରେ ଆର୍ଥିକ ସଂକଟ ବଢିଯାଏ । କାରଣ ସେଠାରେ ବିଦେଶୀ ନିବେଶ କମ୍ ହୋଇଯାଏ । ବ୍ୟବସାୟ କ୍ଷେତ୍ରରେ ଅଧିକ ସାବଧାନ ହେବାକୁ ପଡେ । ସେତେବେଳେ ପାକିସ୍ତାନରୁ ଭାରତ ତଥା ବିଶେଷ ଭାବେ ଜାମ୍ମୁ କାଶ୍ମୀର ଆସୁଥିବା ଅର୍ଥ ପ୍ରବାହ ଉପରେ ରୋକ୍ ଲାଗିଥିବା କୁହାଯାଉଛି । ତେଣୁ ପୁଣି ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିବାକୁ ଦାବି କରିପାରେ ଭାରତ ।

ପାକିସ୍ତାନକୁ ଆର୍ଥିକ ଝଟକା !

ପାକିସ୍ତାନକୁ ଗ୍ରେ ଲିଷ୍ଟରେ ପୁଣି ରଖିବାକୁ ହେଲେ ଭାରତକୁ ଏଫଏଟିଏଫ ସଦସ୍ୟ ଦେଶଙ୍କ ସମର୍ଥନ ଆବଶ୍ୟକ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତକୁ ବ୍ରିଟେନ, ଆମେରିକା, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ୟୁରୋପୀୟ ସଂଘ, ସାଉଦି ଆରବ ପରି ଏଫଏଟିଏଫର ୨୦ରୁ ଅଧିକ ସଦସ୍ୟ ଦେଶ ସନ୍ଦେଶ ପଠାଇଛନ୍ତି । ଏବେ ଏଫଏଟିଏଫରେ ମୋଟ୍ ୪୦ ସଦସ୍ୟ ରହିଛନ୍ତି। ତେବେ ୨ଶହରୁ ଅଧିକ ଦେଶ ଏଫଏଟିଏଫ ସୁପାରିସ ପାଳନ କରୁଛନ୍ତି । ଏଫଏଟିଏଫର ଅଧିବେଶନ ବର୍ଷକୁ ତିନିଥର ଆୟୋଜନ କରାଯାଏ । ପାକିସ୍ତାନ ବିରୋଧରେ ଏହି ମଞ୍ଚରେ ସ୍ବର ଉଠାଇପାରେ ଭାରତ । ଏହାପରେ ଅଭିଯୋଗ ଆସିଥିବା ଦେଶ ଆର୍ଥିକ ହେରାଫେରି, ଆତଙ୍କବାଦ ଓ ହତିଆରର ପ୍ରସାର ରୋକିବା ଦିଗରେ କେଉଁ ପଦକ୍ଷେପ ନେଉଛି, ସେନେଇ ଏଫଏଟିଏଫ ଟିମ୍ ଯାଞ୍ଚ କରିବ ।

ଡବଲ୍ ଝଟକା ଦେବାକୁ ପ୍ଲାନ୍ !

ପାକିସ୍ତାନକୁ ଆଇଏମଏଫରୁ ମିଳିବାକୁ ଥିବା ଆର୍ଥିକ ସହାୟତା ଉପରେ ରୋକ୍ ଲଗାଇବାକୁ ଉଦ୍ୟମ କରୁଛି ଭାରତ । ପାକିସ୍ତାନକୁ ସହାୟତା ନେଇ ଆସନ୍ତା ୯ତାରିଖରେ ବୈଠକ ବସିବାକୁ ଯାଉଛି । ଏଥିରେ ଭାରତ ପାକିସ୍ତାନକୁ ବିରୋଧ କରିବ । ୨୦୨୪ ଜୁଲାଇରେ ପାକିସ୍ତାନକୁ ୭ବିଲିୟନ ଡଲାର ସହାୟତା ଦେବାକୁ ବୁଝାମଣା କରିଥିଲା ଆଇଏମଏଫ । ତେବେ ସହାୟତା ଦେବା ପୂର୍ବରୁ ପାକିସ୍ତାନର ପ୍ରଦର୍ଶନ ନେଇ ସମୀକ୍ଷା କରିବ ଆଇଏମଏଫ । ପାକିସ୍ତାନ ଆର୍ଥିକ ସହାୟତାକୁ ଆତଙ୍କବାଦୀ ଆକ୍ରମଣ ପାଇଁ ବିନିଯୋଗ କରୁଥିବା ଭାରତ ଅଭିଯୋଗ କରିବ। ଆଇଏମଏଫ୍ ଦେଶର ଆର୍ଥିକ ସ୍ଥିତି ସୁଧାରିବାକୁ ପାକିସ୍ତାନକୁ ଆର୍ଥିକ ସହାୟତା ଦେବାକୁ ଯାଉଛି । ତେବେ ସହାୟତା ମିଳିଲେ ପାକିସ୍ତାନ ଅର୍ଥକୁ ଭାରତ ବିରୋଧରେ ସାମରିକ ଶକ୍ତି ବୃଦ୍ଧି ସହ ଯୁଦ୍ଧ ପ୍ରସ୍ତୁତିରେ ଲଗାଇବ ବୋଲି କହିବ । ପାକିସ୍ତାନକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ଚାହୁଁଛି ଭାରତ । ଯାହାଦ୍ବାରା ଆତଙ୍କବାଦ ଉପରେ ଅଙ୍କୁଶ ଲଗାଇବାକୁ ବାଧ୍ୟ ହେବ ପାକିସ୍ତାନ ।

Comments are closed.