Latest Odisha News

BREAKING NEWS

India Qualify for AFC U17 Asian Cup 2026: ଭାରତୀୟ U17 ଫୁଟବଲ୍ ଦଳ ରଚିଲେ ଇତିହାସ; ୧୯୫୯ ପରେ ପ୍ରଥମ ଥର ପାଇଁ ଇରାନକୁ ଦେଲେ ମାତ୍

ଅହମ୍ମଦାବାଦ:ଭାରତୀୟ ୧୭ ବର୍ଷରୁ କମ୍ ଫୁଟବଲ୍ ଦଳ ରବିବାର( ନଭେମ୍ବର ୩୦ ତାରିଖ) ଅହମ୍ମଦାବାଦରେ ଇତିହାସ ରଚିଛି। ଟମ୍ ଇଣ୍ଡିଆ ଇରାନ ବିପକ୍ଷରେ ଐତିହାସିକ ୨-୧ ବିଜୟ ସହିତ ଆସନ୍ତା ବର୍ଷ ସାଉଦି ଆରବରେ ହେବାକୁ ଥିବା AFC ୧୭ ବର୍ଷରୁ କମ୍ ଏସୀୟ କପ୍ ( AFC U17 Asian Cup Saudi Arabia 2026)ପାଇଁ ଯୋଗ୍ୟତା ଅର୍ଜନ କରିଛି।

ଘରୋଇ ଦର୍ଶକଙ୍କ ସମ୍ମୁଖରେ, ଭାରତୀୟ ଯୁବ ଖେଳାଳିମାନେ ଏକ କଠିନ ମ୍ୟାଚ୍‌ରେ ଏକ କଠିନ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ବିଜୟ ମଧ୍ୟ ସ୍ୱତନ୍ତ୍ର କାରଣ ଏହା ୧୯୫୯ ପରଠାରୁ କୌଣସି ବୟସ ଗୋଷ୍ଠୀରେ ଇରାନ ବିପକ୍ଷରେ ଭାରତର ପ୍ରଥମ ବିଜୟ।

 

ମହାଦେଶୀୟ ଟୁର୍ଣ୍ଣାମେଣ୍ଟରେ ଭାରତର ଦଶମ ପ୍ରବେଶ । ଏହା ପୂର୍ବରୁ ୧୯୯୦, ୧୯୯୬, ୨୦୦୨, ୨୦୦୪, ୨୦୦୮, ୨୦୧୨, ୨୦୧୬, ୨୦୧୮ ଏବଂ ୨୦୨୩ରେ ଖେଳିଛି। ପ୍ରତିଯୋଗିତାରେ ସର୍ବୋତ୍ତମ ଫଳାଫଳ ୨୦୦୨ ଏବଂ ୨୦୧୮ରେ କ୍ୱାର୍ଟରଫାଇନାଲରେ ପହଞ୍ଚିବା ପର୍ଯ୍ୟନ୍ତ ରହିଛି।

ସୂଚନାଥାଉକି, ଇରାନ ଦୁଇଟି ବିଜୟ ଏବଂ ଗୋଟିଏ ଡ୍ର ସହିତ ଅପରାଜିତ ରହିଥିଲା । ଯୋଗ୍ୟତା ହାସଲ କରିବା ପାଇଁ ଏକ ଡ୍ର ସେମାନଙ୍କ ପାଇଁ ଯଥେଷ୍ଟ ହୋଇଥାନ୍ତା ଯେତେବେଳେ କି ଭାରତକୁ ଏକ ବିଜୟ ଆବଶ୍ୟକ ଥିଲା।

 

ପାଲେଷ୍ଟାଇନ ବିପକ୍ଷରେ ୧-୧ ଗୋଲରେ ଡ୍ର, ଚାଇନିଜ୍ ତାଇପେ ବିପକ୍ଷରେ ୩-୧ ବିଜୟ ଏବଂ ଲେବାନନ୍ ବିପକ୍ଷରେ ୨-୦ ପରାଜୟ ପରେ, ଚାରି ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଥିଲା ଭାରତ ।

ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜିତ ଥିବା ଇରାନ ଖେଳ ଆରମ୍ଭରୁ ଆୟୋଜକ ଭାରତ ଉପରେ ଚାପ ବଜାୟ ରଖିଥିଲା, ଯାହା ଫଳରେ ଭାରତୀୟ ଗୋଲକିପର ରାଜରୂପ ସରକାରଙ୍କୁ ଅନେକ ସେଭ୍ କରିବାକୁ ପଡିଥିଲା। ଇରାନ ୧୮ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରି ୧-୦ରେ ଆଗୁଆ ହୋଇଥିଲା। ଭାରତୀୟ ଅଧିନାୟକ ଡାଲାମୁଅନ୍ ଗାଙ୍ଗଟେ ପେନାଲ୍ଟି ଗୋଲକୁ ଗୋଲରେ ପରିଣତ କରି ହାଫ୍ ଟାଇମ୍ ସୁଦ୍ଧା ସ୍କୋରକୁ ୧-୧ରେ ସମାନ କରିଥିଲେ। ଏହାପରେ ୫୨ତମ ମିନିଟରେ ଭାରତ ପକ୍ଷରୁ ଗୁନଲେଇବା ୱାଙ୍ଗଖେଇରକପାମ ବିଜୟୀ ଗୋଲ ଦେଇଥିଲେ । ଏହାପରେ ଭାରତ ମ୍ୟାଚ୍ ର ବାକି ସମୟ ପାଇଁ ଅଗ୍ରଣୀ ବଜାୟ ରଖିଥିଲା । ଇରାନ ଅତି କମରେ ସ ଡ୍ର କରିବାକୁ ସର୍ବୋତ୍ତମ ଚେଷ୍ଟା କରିଥିଲା କିନ୍ତୁ ତାହା ହୋଇପାରିଲା ନାହିଁ ଏବଂ ଭାରତୀୟ ଦଳ ବିଜୟ ହାସଲ କରି AFC ୧୭ ବର୍ଷରୁ କମ୍ ଏସୀୟ କପ୍ ପାଇଁ ସ୍ଥାନ ପକ୍କା କରିଛି ।

 

ଆସନ୍ତା ବର୍ଷ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ୧୬ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି । ଯେଉଁଥିରେ ସାଉଦି ଆରବ, ଇଣ୍ଡୋନେସିଆ, ଜାପାନ, ଉତ୍ତର କୋରିଆ, କତାର, ଦକ୍ଷିଣ କୋରିଆ, ତାଜିକିସ୍ତାନ, ୟୁଏଇ, ଉଜବେକିସ୍ତାନ, ଚୀନ, ୟମନ, ଭିଏତନାମ, ଭାରତ, ଅଷ୍ଟ୍ରେଲିଆ ଏବଂ ଥାଇଲ୍ୟାଣ୍ଡ ମିଆଁମାର ଅନ୍ତର୍ଭୁକ୍ତ।

ଗତ ଚାରୋଟି ସଂସ୍କରଣରେ ଭାରତ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ନଅ ଥର ଅଂଶଗ୍ରହଣ କରିଛି, କିନ୍ତୁ କେବେବି ଟ୍ରଫି ଜିତିନାହିଁ।

Leave A Reply

Your email address will not be published.