ନୂଆଦିଲ୍ଲୀ: ଭାରତ ଦୀର୍ଘ ଦିନରୁ ଦୁର୍ନୀତି ବିରୋଧରେ ଲଢ଼େଇ କରୁଛି। ଦୁନିଆର ଦୁର୍ନୀତିଗ୍ରସ୍ତ ଦେଶ ମଧ୍ୟରେ ଭାରତର ସ୍ଥାନ କେଉଁଠି ଅଛି। ଏ ସମ୍ପର୍କିତ ଏକ ରିପୋର୍ଟ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲରେ ପ୍ରକାଶ ପାଇଛି।
ଏହି ରିପୋର୍ଟ ଅନୁସାରେ ଭାରତ ୧୮୦ଟି ଦେଶ ମଧ୍ୟରେ ୯୬ତମ ସ୍ଥାନରେ ରହିଛି। ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ରିପୋର୍ଟ ୨୦୨୪ର ଦୁର୍ନୀତି ପରସେପ୍ସନ ଇଣ୍ଡେକ୍ସ (ସିପିଆଇ) ଅନୁଯାୟୀ ଭାରତର ସ୍କୋର ଗୋଟିଏ ପଏଣ୍ଟ ହ୍ରାସ ପାଇ ୩୮କୁ ଆସିଛି। ୨୦୨୩ ମସିହାରେ ଭାରତର ସ୍କୋର ୩୯ ଥିଲା ଏବଂ ୨୦୨୨ ମସିହାରେ ଭାରତକୁ ୪୦ ପଏଣ୍ଟ ଦିଆଯାଇଥିଲା। ୨୦୨୩ ମସିହାରେ ଭାରତର ରାଙ୍କିଂ ୯୩ ଥିଲା। ଏହାର ଅର୍ଥ ହେଉଛି ଭାରତରେ ଦିନକୁ ଦିନ ଦୁର୍ନୀତି ବଢିବାରେ ଲାଗିଛି। ଯାହା ଏକ ଚିନ୍ତାର ବିଷୟ।
ସେହିପରି ଏହି ରିପୋର୍ଟରେ ଚୀନ ୭୬ତମ ସ୍ଥାନରେ ରହିଛି। ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ ପାକିସ୍ତାନ ୧୩୫ ତମ ସ୍ଥାନ ଏବଂ ଶ୍ରୀଲଙ୍କା ୧୨୧ ତମ ସ୍ଥାନରେ ରହିଛି।
ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ରିପୋର୍ଟରେ ଦର୍ଶାଯାଇଛି ଯେ ଡେନମାର୍କରେ ଦୁର୍ନୀତି ବହୁତ କମ୍। ଏହି ରାଙ୍କିଂରେ ଡେନମାର୍କକୁ ନମ୍ବର ୧ରେ ରଖାଯାଇଛି। ଡେନମାର୍କ ପରେ, ଫିନଲ୍ୟାଣ୍ଡ ଏବଂ ତା’ପରେ ସିଙ୍ଗାପୁରକୁ ସ୍ଥାନ ଦିଆଯାଇଛି। ବିଶେଷଜ୍ଞ ଏବଂ ବ୍ୟବସାୟୀଙ୍କ ଦ୍ବାରା ତିଆରି ହେଉଥିବା ଏହି ସିପିଆଇ ସୂଚକାଙ୍କରେ ୧୮୦ଟି ଦେଶକୁ ସାମିଲ କରାଯାଇଛି।
ଏହାର ସ୍କେଲ୍ ଶୂନ୍ୟରୁ ୧୦୦ ମଧ୍ୟରେ ରହିଥାଏ। ଶୂନ୍ୟକୁ ସବୁଠାରୁ ଦୁର୍ନୀତିଗ୍ରସ୍ତ କୁହାଯାଉଥିଲା ବେଳେ ୧୦୦କୁ ସବୁଠାରୁ ସ୍ବଚ୍ଛ ଦେଶ ଭାବେ ବିବେଚନା କରାଯାଏ।
ପାକିସ୍ତାନ ଏବଂ ବାଂଲାଦେଶ ଭଳି ଦେଶର ଅବସ୍ଥା ଭାରତ ଅପେକ୍ଷା ଖରାପ। ବାଂଲାଦେଶ ୧୪୯ତମ ସ୍ଥାନରେ ରହିଛି। ଏହାର ଅର୍ଥ ହେଉଛି ବାଂଲାଦେଶରେ ଦୁର୍ନୀତିର ଶୀର୍ଷରେ। ଅପରପକ୍ଷରେ ଦକ୍ଷିଣ ଏସିଆରେ ଦୁର୍ନୀତି ଏକ ପ୍ରମୁଖ ସମସ୍ୟା ପାଲଟିଥିବା ରିପୋର୍ଟରୁ ଜଣାପଡୁଛି।
ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଆମେରିକା ଭଳି ଦେଶରେ ଦୁର୍ନୀତି ମଧ୍ଯ ବୃଦ୍ଧି ପାଇଛି। ଆମେରିକାର ସ୍କୋର ପୂର୍ବରୁ ୬୯ ପଏଣ୍ଟ ଥିଲା ବେଳେ ଏବେ ଏହାକୁ ୬୫ ପଏଣ୍ଟ ଦିଆଯାଇଛି। ସୂଚକାଙ୍କରେ ଆମେରିକାର ସ୍ଥାନ ପୂର୍ବରୁ ୨୪ ତମ ସ୍ଥାନରେ ଥିଲା କିନ୍ତୁ ଏବେ ୨୮ ତମ ସ୍ଥାନକୁ ଖସି ଆସିଛି।
ସେହିପରି ଋଷ ୨୨ ନମ୍ବରରେ ଥିଲାବେଳେ ୟୁକ୍ରେନ୍ ୩୫ ନମ୍ବରରେ ରହିଛି।
Comments are closed.