ନୂଆଦିଲ୍ଲୀ: ରୁଷିଆରୁ ଭାରତର ତୈଳ ଆମଦାନୀକୁ ନେଇ ଆମେରିକା ଓ ୟୁରୋପ ପକ୍ଷରୁ ଲଗାତାର ଭାବେ ସମାଲୋଚନା କରାଯାଉଥିବା ବେଳେ, ଏହାର କଡା ଜବାବ ଦେଇଛି ଭାରତ । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଅଭିଯୋଗ କରୁଥିବା ଦେଶମାନେ ପ୍ରଥମେ ନିଜକୁ ଦେଖିବା ଉଚିତ । ଭାରତକୁ ଟାର୍ଗେଟ କରିବା କେବଳ ଭୁଲ ନୁହେଁ, ବରଂ ଏହି ଦେଶଗୁଡ଼ିକର କଥା ଏବଂ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟକୁ ମଧ୍ୟ ସାମନାକୁ ଆଣିଛି ।
ଅନ୍ୟ ପ୍ରମୁଖ ଦେଶଗୁଡ଼ିକ ଭଳି ଭାରତ ମଧ୍ୟ ନିଜ ଜାତୀୟ ସ୍ବାର୍ଥ ରକ୍ଷା ଓ ଅର୍ଥନୈତିକ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ।
ବିଦେଶ ମନ୍ତ୍ରଣାଳୟ କହିଛି ଯେ, ରୁଷରୁ ତେଲ ଆମଦାନୀ କରିବା ଯୋଗୁଁ ଭାରତ ଆମେରିକା ଏବଂ ୟୁରୋପୀୟ ସଂଘର ରାଡାରରେ ଅଛି । ପ୍ରକୃତରେ, ଯୁଦ୍ଧ ଆରମ୍ଭ ହେବା ପରେ ୟୁରୋପକୁ ତୈଳ ଯୋଗାଣ ବନ୍ଦ ହୋଇଯିବାରୁ ଭାରତ ରୁଷରୁ ଆମଦାନୀ କରିବା ଆରମ୍ଭ କରିଥିଲା । ସେହି ସମୟରେ, ବିଶ୍ୱ ଶକ୍ତି ବଜାରର ସ୍ଥିରତାକୁ ସୁଦୃଢ଼ କରିବା ପାଇଁ ଆମେରିକା ଭାରତ ଦ୍ୱାରା ଏପରି ଆମଦାନୀକୁ ସକ୍ରିୟ ଭାବରେ ଉତ୍ସାହିତ କରିଥିଲା ।
ନିଜ ଗ୍ରାହକଙ୍କ ନିକଟରେ ସୁଲଭ ଦରରେ ଇନ୍ଧନ ଓ ଶକ୍ତି ପହଞ୍ଚାଇବା ଉଦ୍ଦେଶ୍ୟରେ ଭାରତ ତେଲ କିଣୁଛି। କିନ୍ତୁ ସେହି ଦେଶଗୁଡ଼ିକ ନିଜେ ରୁଷ୍ ସହ ବେପାର କରୁଥିବା ବେଳେ ଭାରତକୁ ସମାଲୋଚନା କରୁଛନ୍ତି । ସେମାନଙ୍କ ପାଇଁ ରୁଷ୍ ସହ ବେପାର ଭାରତ ଭଳି ଏକ ଜାତୀୟ ଆବଶ୍ୟକତା ମଧ୍ୟ ନୁହେଁ ।
Statement by Official Spokesperson⬇️
🔗 https://t.co/O2hJTOZBby pic.twitter.com/RTQ2beJC0W— Randhir Jaiswal (@MEAIndia) August 4, 2025
ସେହିପରି, ରୁଷ୍ ସହ ଆମେରିକା ଓ ୟୁରୋପ କାରବାର କରୁଛନ୍ତି ତାହା ସାମ୍ନାକୁ ଆଣିବା ଲାଗି ମନ୍ତ୍ରଣାଳୟ କହିଛି ଯେ, ୨୦୨୪, ୟୁରୋପୀୟ ସଂଘ ଏବଂ ରୁଷିଆ ମଧ୍ୟରେ ସାମଗ୍ରୀର ଦ୍ୱିପାକ୍ଷିକ ବାଣିଜ୍ୟ ୬୭.୫ ବିଲିୟନ ୟୁରୋରେ ପହଞ୍ଚିଥିଲା। ଏହା ବ୍ୟତୀତ, ୨୦୨୩ ମସିହାରେ ସେବା ବାଣିଜ୍ୟ ୧୭.୨ ବିଲିୟନ ୟୁରୋ ଆକଳନ କରାଯାଇଥିଲା । ଏହା ଭାରତ-ରୁଷିଆ ବାଣିଜ୍ୟ ଅପେକ୍ଷା ଅନେକ ଗୁଣ ଅଧିକ। ୨୦୨୪ ମସିହାରେ, ୟୁରୋପ ରୁଷିଆରୁ ୧୬.୫ ନିୟୁତ ଟନ ଏଲଏନଜି (ତରଳ ପ୍ରାକୃତିକ ଗ୍ୟାସ) ଆମଦାନୀ କରିଥିଲା, ଯାହା ୨୦୨୨ ମସିହାରେ ୧୫.୨୧ ନିୟୁତ ଟନ ପୂର୍ବ ରେକର୍ଡକୁ ଅତିକ୍ରମ କରିଥିଲା। ଶକ୍ତି ବ୍ୟତୀତ, ୟୁରୋପୀୟ ବାଣିଜ୍ୟରେ ସାର, ଖଣି ଉତ୍ପାଦ, ରାସାୟନିକ ପଦାର୍ଥ, ଲୁହା-ଇସ୍ପାତ ଏବଂ ଯନ୍ତ୍ରପାତି ମଧ୍ୟ ଅନ୍ତର୍ଭୁକ୍ତ ।
ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହାକୁ ନେଇ କହିଛି ଯେ, ୟୁରୋପ ଏବଂ ରୁଷ ମଧ୍ୟରେ ବାଣିଜ୍ୟ କେବଳ ଉର୍ଜା ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏଥିରେ ସାର, ଖଣିଜ ଉତ୍ପାଦ, ରାସାୟନିକ ପଦାର୍ଥ, ଲୁହା ଏବଂ ଇସ୍ପାତ, ଯନ୍ତ୍ରପାତି ଏବଂ ପରିବହନ ଉପକରଣ ମଧ୍ୟ ସାମିଲ । ଆମେରିକା ମଧ୍ୟ ରୁଷିଆ ସହିତ ନିରନ୍ତର ବାଣିଜ୍ୟ କରୁଛି । ସେ ପରମାଣୁ ଶକ୍ତି ପାଇଁ ୟୁରାନିୟମ ହେକ୍ସାଫ୍ଲୋରାଇଡ, ଇଭି ଶିଳ୍ପ ପାଇଁ ପାଲାଡିୟମ୍, ସାର ଏବଂ ରୁଷରୁ ରାସାୟନିକ ପଦାର୍ଥ ମଧ୍ୟ ଆମଦାନୀ କରେ ।
ଭାରତ ଏକ ବଡ଼ ଅର୍ଥନୀତି ଏବଂ ଏହା ତାର ଜାତୀୟ ସ୍ବାାର୍ଥ ଏବଂ ଆର୍ଥିକ ସୁରକ୍ଷା ପାଇଁ ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେବ । ଭାରତକୁ ଟାର୍ଗେଟ କରୁଥିବା ଦେଶମାନେ ପ୍ରଥମେ ସେମାନଙ୍କର ନିଜସ୍ବ ନୀତି ଏବଂ ତଥ୍ୟ ଦେଖିବା ଉଚିତ୍ ।
Comments are closed.