Latest Odisha News

ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ପୁଟିନଙ୍କ ଭାରତ ଗସ୍ତର ଦ୍ୱିତୀୟ ଦିନ। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଦ୍ବିପାକ୍ଷିକ ଆଲୋଚନା ପରେ ମୋଦି-ପୁଟିନ୍‌ଙ୍କ ମିଳିତ ପ୍ରେସ୍‌ ବିବୃତି ଜାରି କରିଛନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ MOU ନେଇ ସୂଚନା ଜାରି ହୋଇଛି। ୨୩ତମ ଶିଖର ସମ୍ମିଳନୀ ନେଇ ମୋଦି ଦେଇଛନ୍ତି ବଡ଼ ସୂଚନା।

ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୩ତମ ଭାରତ-ରୁଷ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ପାଇଁ ରାଷ୍ଟ୍ରପତି ପୁଟିନଙ୍କୁ ସ୍ୱାଗତ କରି ଆନନ୍ଦିତ। ପଚିଶ ବର୍ଷ ପୂର୍ବେ, ରାଷ୍ଟ୍ରପତି ପୁଟିନ ଆମର ରଣନୈତିକ ସହଭାଗୀତାର ମୂଳଦୁଆ ସ୍ଥାପନ କରିଥିଲେ। ଭାରତ ଏବଂ ରୁଷ ଆମର ଅର୍ଥନୀତିର ରଣନୈତିକ କ୍ଷେତ୍ରରେ ସହଯୋଗ ବିସ୍ତାର କରିବା ପାଇଁ ଯୋଜନା ଚୂଡ଼ାନ୍ତ କରିଛନ୍ତି। ଭାରତ ପ୍ରତି ପୁଟିନଙ୍କ ମିତ୍ରତା ନେଇ ବଧେଇ ଜଣାଇଲେ ମୋଦି। ମୋଦି କହିଛନ୍ତି, ୨୫ ବର୍ଷ ତଳେ ଷ୍ଟ୍ରାଟେଜିକ ପାର୍ଟନର ପୁଟିନ୍‌ ଆରମ୍ଭ କରିଥିଲେ। ଭାରତ-ରୁଷିଆ ସମ୍ପର୍କ ଧ୍ରୁବ ତାରା ସଦୃଶ। ସବୁ ପରିସ୍ଥିତିରେ ତାଙ୍କର ନେତୃତ୍ୱ ଆମର ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇଛି। ଗଭୀର ବନ୍ଧୁତ୍ୱ ଓ ଭାରତ ପ୍ରତି ଅବିଚଳ ପ୍ରତିବଦ୍ଧତା ପାଇଁ କୃତଜ୍ଞତା ଜଣାଇଛନ୍ତି ମୋଦି। ଆର୍ଥିକ ସହଭାଗିତା ନେଇ ସହମତି ହୋଇଛି ବୋଲି କହିଲେ ମୋଦି।

ସେହିପରି ୨୦୩୦ ପର୍ଯ୍ୟନ୍ତ ଇକୋନ୍‌ମିକ୍‌ କୋପରେସନ୍‌ ପାର୍ଟନର ନେଇ ସହମତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଭାରତ ଏବଂ ରୁଷ ଦୀର୍ଘଦିନ ଧରି ଆତଙ୍କବାଦ ବିରୁଦ୍ଧରେ କାନ୍ଧରେ କାନ୍ଧ ମିଳାଇ ଠିଆ ହୋଇଛନ୍ତି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ହେଉ କିମ୍ବା କ୍ରୋକସ୍ ସିଟି ହଲ୍ ଉପରେ କାପୁରୁଷୋଚିତ ଆକ୍ରମଣ, ଏହି ସମସ୍ତ ଘଟଣାର ମୂଳ ସମାନ। ଆତଙ୍କବାଦ ବିରୋଧରେ ମିଳିତ ଲଢ଼େଇ ଜାରି ରହିବ। ୟୁକ୍ରେନକୁ ନେଇ ଆମର ଶାନ୍ତି ଉଦ୍ୟମ ପୂର୍ବପରି ଜାରି ରହିବ। ଭାରତ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଆତଙ୍କବାଦ ମାନବତାର ମୂଲ୍ୟବୋଧ ଉପରେ ସିଧାସଳଖ ଆକ୍ରମଣ। ଏହା ବିରୁଦ୍ଧରେ ବିଶ୍ୱ ସଂହତି ଆମର ସବୁଠାରୁ ବଡ଼ ଶକ୍ତି।”

କାଲମିକିଆ ବୌଦ୍ଧ ସମ୍ମିଳନୀରେ ଲକ୍ଷାଧିକ ଭକ୍ତ ଆଶୀର୍ବାଦ ନେଇଥିଲେ। ଭଗବାନ ବୁଦ୍ଧଙ୍କ ପବିତ୍ର ଆଶୀର୍ବାଦ ଲାଭ କରିଥିଲେ ଭକ୍ତ। ରୁଷିଆ ନାଗରିକଙ୍କ ପାଇଁ ଏକ ମାଗଣା ୩୦ ଦିନିଆ ଇ-ଟୁରିଷ୍ଟ ଭିସା କରିବୁ ବୋଲି ମୋଦି ଘୋଷଣା କରିଛନ୍ତି। ୩୦ ଦିନିଆ ଗ୍ରୁପ୍ ଟୁରିଷ୍ଟ ଭିସା ଆରମ୍ଭ କରିବାକୁ ଯାଉଛି ଭାରତ। ଯୁରେସିଆନ ଅର୍ଥନୈତିକ ସଂଘ ସହିତ FTA ସମାପ୍ତ ପାଇଁ କାର୍ଯ୍ୟ କରୁଛୁ। ଆମର ବନ୍ଧୁତା ବିଶ୍ୱବ୍ୟାପୀ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାକୁ ଶକ୍ତି ଦେବ। ଏହି ବିଶ୍ୱାସ ଆମର ସାଧାରଣ ଭବିଷ୍ୟତକୁ ଆହୁରି ସମୃଦ୍ଧ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଅନ୍ୟପଟେ ଆତିଥ୍ୟପୂର୍ଣ୍ଣ ସ୍ୱାଗତ ପାଇଁ ଧନ୍ୟବାଦ ଜଣାଇଲେ ରାଷ୍ଟ୍ରପତି ପୁଟିନ। ଭାରତୀୟ ଅର୍ଥନୀତି ପାଇଁ ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ଜାରି ରଖିବୁ ବୋଲି କିହଛନ୍ତି ପୁଟିନ। ସେ କହିଛନ୍ତି, ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଉଭୟ ଦେଶ। ବାଣିଜ୍ୟିକ ନେଣଦେଶ ବର୍ତ୍ତମାନ ପ୍ରାୟ ୯୬ ପ୍ରତିଶତ ହୋଇସାରିଛି। ଗତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ପରିମାଣ ୧୨% ବୃଦ୍ଧି ପାଇ ନୂଆ ରେକର୍ଡ କରିଛି। ୨ ଦେଶ ମିଶି ସ୍ୱାଧୀନ ଓ ଆତ୍ମନିର୍ଭରଶୀଳ ବୈଦେଶିକ ନୀତି ପାଳନ କରୁଛୁ। ସମାନ ଚିନ୍ତାଧାରା ଥିବା ଦେଶମାନଙ୍କ ସହିତ ଏହି ନୀତି ଆଗେଇ ନେଇଯାଉଛୁ। ଜାତିସଂଘରେ ଲିପିବଦ୍ଧ ଅନ୍ତର୍ଜାତୀୟ ଆଇନର ମୌଳିକ ନୀତିକୁ ସୁରକ୍ଷା ଦେଉଛୁ। BRICSର ପ୍ରତିଷ୍ଠାତା ଦେଶ ଭାବେ ସଂଗଠନର ପ୍ରତିପତ୍ତି କାମ କରୁଛୁ। ଆସନ୍ତା ବର୍ଷ ଭାରତ BRICSର ଅଧ୍ୟକ୍ଷତା ଗ୍ରହଣ କରିବ ବୋଲି କହିଛନ୍ତି ପୁଟିନ୍‌। ଭାରତୀୟ ବନ୍ଧୁମାନଙ୍କୁ ସବୁ ପ୍ରକାରର ଆବଶ୍ୟକ ସହଯୋଗ ଦେବୁ। ଭାରତୀୟ ସୈନ୍ୟବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ୫୦ ବର୍ଷ ହେଲା ଚାଲିଛି। ରୁଷିଆ-ଭାରତ ଭାଗିଦାରୀ ଆହୁରି ମଜଭୁତ ହେବ ବୋଲି କହିଲେ ପୁଟିନ୍‌।

Leave A Reply

Your email address will not be published.