ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରି ପହିଲାରୁ ୪ ବର୍ଷ ପାଇଁ ଭାରତ ଜାତିସଙ୍ଘର ଷ୍ଟାଟିସକାଲ କମିସନ (UN Statistical Commission)କୁ ନିର୍ବାଚିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବୁଧବାର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି।ଦେଶର ବିବିଧତା ଓ ଜନସଂଖ୍ୟା କ୍ଷେତ୍ରରେ ଭାରତର ଦକ୍ଷତା ଯୋଗୁଁ ଜାତିସଙ୍ଘ ଷ୍ଟାଟିସକାଲ କମିସନ ବା ପରିସଂଖ୍ୟାନ ଆୟୋଗରେ ସ୍ଥାନ ପାଇଛି ବୋଲି ଜୟଶଙ୍କର କହିଛନ୍ତି।
ଜୟଶଙ୍କର ଟ୍ବିଟ୍ କରି କହିଛନ୍ତି, ଏହି ନିର୍ବାଚନ ବହୁତ ଚ୍ୟାଲେଞ୍ଜ ଥିଲା। ହେଲେ ଭାରତ ପୁଣିଥରେ ବିଜୟୀ ହୋଇଛି। ଏହି ସଫଳତା ହାସଲ କରିଥିବାରୁ ମିଳିତ ଜାତିସଙ୍ଘରେ ଭାରତର ସ୍ଥାୟୀ ମିଶନ୍ ଟିମ୍କୁ ଅଭିନନ୍ଦନ।
India elected to the highest UN 🇺🇳 statistical body for a 4-year term beginning on 1 January 2024!
Congrats Team @IndiaUNNewYork for coming through so strongly in a competitive election.
— Dr. S. Jaishankar (@DrSJaishankar) April 5, 2023
ଏହି ନିର୍ବାଚନରେ ଭାରତ ୫୩ଟି ଭୋଟ୍ ମଧ୍ୟରୁ ୪୬ଟି ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ ଏହାର ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ କୋରିଆ (୨୩), ଚୀନ୍ (୧୯) ଓ ୟୁଏଇ (୧୫) ଭୋଟ୍ ପାଇଥିଲେ। ମୋଟ ଦୁଇଟି ଆସନ ପାଇଁ ଚାରିଟି ଦେଶ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ।
୧୯୪୭ରେ ପ୍ରତିଷ୍ଠିତ ଜାତିସଙ୍ଘ ପରିସଂଖ୍ୟାନ ଆୟୋଗ (ୟୁଏନଏସସି) ବିଶ୍ୱ ପରିସଂଖ୍ୟାନ ବ୍ୟବସ୍ଥାର ସର୍ବୋଚ୍ଚ ସଂସ୍ଥା, ଯାହାକି ବିଶ୍ୱର ବିଭିନ୍ନ ସଦସ୍ୟ ରାଷ୍ଟ୍ରର ମୁଖ୍ୟ ପରିସଂଖ୍ୟାନକୁ ଏକାଠି କରିଥାଏ।
ଏହି କମିସନରେ ଜାତିସଙ୍ଘର ୨୪ଟି ସଦସ୍ୟ ରାଷ୍ଟ୍ର ରହିଛନ୍ତି। ଏକ ସମାନ ଭୌଗଳିକ ବଣ୍ଟନ ଆଧାରରେ ଜାତିସଙ୍ଘର ଅର୍ଥନୈତିକ ଓ ସାମାଜିକ ପରିଷଦ ସେମାନଙ୍କୁ ନିର୍ବାଚିତ କରିଥାଏ। ସଦସ୍ୟଙ୍କ କାର୍ଯ୍ୟକାଳ ୪ ବର୍ଷ ରହିଛି।
ଗତ ସପ୍ତାହରେ ଜୟଶଙ୍କର କହିଥିଲେ ଯେ କିଛି ଦେଶ ଭାରତକୁ ଜାତିସଙ୍ଘ ସୁରକ୍ଷା ପରିଷଦର ସଦସ୍ୟତା ଦେବାକୁ ଚାହୁଁନାହାନ୍ତି। ସେ କହିଥିଲେ ଯେ ଭାରତ ପାଇଁ ଅଧିକ ସମୟ ଯାଏ ଏହି ବାଟ ବନ୍ଦ ରଖାଯାଇପାରିବ ନାହିଁ। ୟୁଏନଏସସିରେ ସ୍ଥାନ ପାଇବା ପାଇଁ ଦେଶ କୌଣସି ପ୍ରୟାସକୁ ଛାଡିବ ନାହିଁ। ଆମେ ବିଶ୍ୱର ଶୀର୍ଷ ଅର୍ଥବ୍ୟବସ୍ଥା ମଧ୍ୟରେ ସାମିଲ ହୋଇଛୁ ଏବଂ ଆମେ ଏକ ବଡ଼ ପରିବର୍ତ୍ତନ ଆଣିଛୁ। ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି, ଆମେ ଏହାକୁ ଆଗକୁ ବଢ଼ାଇବୁ।
Comments are closed.