Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ମଧ୍ୟରେ ଏପରି କିଛି ସେବକ ଅଛନ୍ତି। ଯେଉଁମାନେ ପ୍ରକୃତ ପକ୍ଷେ ସେବକ ସମ୍ପ୍ରଦାୟର ନୁହଁନ୍ତି। କିନ୍ତୁ ନିଜର ଅନନ୍ୟ ସେବା କାର୍ଯ୍ୟ ପାଇଁ ନିଜକୁ ଶ୍ରୀଜଗନ୍ନାଥଙ୍କ ପରମ ସେବକ ଭାବରେ ପ୍ରତିପାଦିତ କରିପାରିଛନ୍ତି। ଆଜି ଜାଣିବା ସେହିପରି ଜଣେ ଅନନ୍ୟ ସେବକ “ସୁନା ଗୋସ୍ୱାମୀ “ଙ୍କ ବିଷୟରେ। ଶ୍ରୀକ୍ଷେତ୍ରରେ ଏହାଙ୍କର ଦୁଇଟି ମଠ ଅଛି ୧ . ଦର୍ପଣୀ ବା ଦର୍ପନାରାୟଣ
୨ . ସୁନାଗୋସେଇଁ ମଠ। କୁହାଯାଏ ଏହି ମଠର ମହନ୍ତ ସୁନା ଗୋସ୍ୱାମୀ ନାମରେ ପରିଚିତ ଓ ଅନେକ ସେବକ ଙ୍କ ଦୀକ୍ଷା ଗୁରୁ ମଧ୍ୟ ଅଟନ୍ତି। ବିଶେଷ ସେବା ମଧ୍ୟରେ ଅକ୍ଷୟ ତୃତୀୟା ଠାରୁ ସ୍ନାନ ପୁର୍ଣିମା ପର୍ଯ୍ୟନ୍ତ ନିଜ ମଠରୁ ଅଳକା ଯୋଗାଇବା, ଚନ୍ଦନଲାଗି ବେଳେ ଆଲଟ କରିବା, ପହଣ୍ଡିରେ ଡୋରି ଧରିବା, ବନକ ଲାଗି ସମୟରେ ରତ୍ନସିଂହାସନ ତଳ ମାର୍ଜନା, ବିଶେଷ ଭାବରେ ସ୍ନାନ ପୂର୍ଣ୍ଣିମା ପାଇଁ ମୁଦିରଥଙ୍କ ସହ ମିଶି ସୁନାକୁଅ ରୁ ୧୦୮ ଗରା ଜଳ ସଂଗ୍ରହ କରି ଅଧିବାସ କରିବା। କଥିତ ଅଛି ଏହି କୂପଟି ସୁନା ଗୋସ୍ୱାମୀଙ୍କ ତତ୍ୱାବଧାନରେ ଥିବାରୁ ଏହାର ନାମ ସୁନା କୂଅ। ପ୍ରତିଦିନ ବଡ଼ ସିଂହାର ବେଶ ପାଇଁ ମହାପ୍ରଭୁଙ୍କ ବାଡ଼କୁ ଶ୍ରୀପୟର ମାଳ ଯୋଗାଇଥାନ୍ତି। ସେହିପରି ଅଣସର ବେଳେ ମଇଲମ ଭୋଗ ଓ ଶୁକ୍ଳ ଫୁଲ ଗଭାମାଳ ଯୋଗାଇବା, ବାମନ ଜନ୍ମରେ କୁଶ ବିଡ଼ାଏ ଯୋଗାଇବା, ମକର ସଂକ୍ରାନ୍ତି ଦିନ ଅଁଳା ବେଢା ରଙ୍ଗ ପାଇଁ ଗେରୁ ଯୋଗାଇବା, ଦିଅଁ ବିଜେ ପୂର୍ବରୁ ରତ୍ନସିଂହାସନ ରେ ଚୁଆ, ଚନ୍ଦନ, କର୍ପୁର ଆଦି ଲାଗି କରିବା, ଗୁଣ୍ଡିଚା ଘରକୁ ଠାକୁର ବିଜେ ପୂର୍ବରୁ ସିଂହାସନ ଧୋଇ ଚୁଆ, ଚନ୍ଦନ ବୋଳିବା କାର୍ଯ୍ୟ କରିଥାନ୍ତି। ଏହି ସେବା ପୀଢ଼ି ପରେପୀଢ଼ି କରିଥାନ୍ତି । ଠିକ ବଂଶାନୁକ୍ରମିକ ସେବା ଭାବରେ ଏହି ସେବା କରିବା ପାଇଁ ଗଜପତି ମହାରାଜଙ୍କଠାରୁ ସ୍ୱୀକୃତି ରୂପକ ଶାଢ଼ୀ ପାଇ ସେବାରେ ନିଜକୁ ନିୟୋଜିତ କରନ୍ତି। ଆସନ୍ତୁ ଆମେ ନିଜକୁ ନିୟୋଜିତ କରିବା ଆରାଧନା ଓ ଭାଗବତ ପଠନ ।

“ବଞ୍ଚିବ ସର୍ବଲୋକ ହିତେ
ଉଦବେଗ ନ ଦେବ ଯୁକତେ ।
କନ୍ଦଳେ ପର ଅପମାନେ
ବିବାଦ ନ ଚିନ୍ତିବ ମନେ ।
ପଶୁଙ୍କ ପ୍ରାୟେ ରିପୁ ଭାବ
କେବେହେଁ କାହିଁ ନ କରିବ ।
ଏକଇ ଆତ୍ମା ସର୍ବ ଭୁତେ
ଦେହ ବିକାର ନାନା ମତେ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.