Latest Odisha News

ମେ’ରେ ମହାମାରୀ ଦେଖାଇଛି ମହାରୂପ: ୮୮ ଲକ୍ଷ ପଜିଟିଭ୍, ୧ ଲକ୍ଷ ୧୭ହଜାର ମୃତ

ନୂଆଦିଲ୍ଲୀ: ମେ ମାସରେ ଦେଶରେ କରୋନା ସଂକ୍ରମଣ ପିକ୍ ଛୁଇଁଥିଲା । ମହାରୂପ ଦେଖାଇଥିଲା ମହାମାରୀ । ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଲକ୍ଷେରୁ ଅଧିକ ଜୀବନ ବି ନେଇଚି କରୋନା । ମେ ମାସରେ ଦୈନିକ ସଂକ୍ରମଣ ରେକର୍ଡ ୪ ଲକ୍ଷ ପାର କରିଥିଲା । ମୃତ୍ୟୁସଂଖ୍ୟା ବି ପାଖାପାଖି ୫ହଜାର ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ କହୁଛି କେବଳ ମେ’ ମାସରେ ଦେଶରେ ସଂକ୍ରମିତ ହୋଇଛନ୍ତି ୮୮ଲକ୍ଷ ୮୨ହଜାର ୫୬୫ ।

ଗତ ମେ’ ୧ ତାରିଖରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧କୋଟି ୯୧ଲକ୍ଷ ୬୪ହଜାର ୯୬୯ । ଆଜି ସୁଦ୍ଧା ଏହି ସଂଖ୍ୟା ୨କୋଟି ୮୦ ଲକ୍ଷ ୪୭ହଜାର ୫୩୪କୁ ବୃଦ୍ଧି ପାଇଛି ।

ସେହିପରି ମେ’ ମାସରେ ମୃତ୍ୟୁସଂଖ୍ୟା ବି ରେକର୍ଡ ସ୍ତର ଛୁଇଁଛି । ମାସେ ଭିତରେ ଦେଶରେ କରୋନା ନେଇଛି ୧ଲକ୍ଷ ୧୭ହଜାର ୨୪୭ ଜୀବନ । ଗତ ମେ’ ୧ ତାରିଖରେ ମୃତ୍ୟୁସଂଖ୍ୟା ଥିଲା ୨ଲକ୍ଷ ୧୧ହଜାର ୮୫୩ । ଆଜି ଏହି ସଂଖ୍ୟା ୩ଲକ୍ଷ ୨୯ହଜାର ୧୦୦ ରହିଛି ।

କରୋନାର ଏହି ଟ୍ରେଣ୍ଡ କହୁଛି, ଦେଶରେ ମେ’ ମାସରେ କେତେ ଭୟାବହ ରହିଛି କରୋନା ସ୍ଥିତି । ଏବେ ଗୋଟିଏ ସପ୍ତାହ ହେବ ଦୈନିକ ସଂକ୍ରମଣ ହ୍ରାସ ପାଉଛି । ଦୁଇ ଲକ୍ଷ ତଳେ ରହୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ୩ହଜାର ଉପରେ ରହୁଛି । କିନ୍ତୁ ସୁସ୍ଥହାର କ୍ରମାଗତ ବଢ଼ି ଚାଲିଛି । ସପ୍ତାହେ ପୂର୍ବରୁ ୩୦ ଲକ୍ଷରୁ ଅଧିକ ଆକ୍ଟିଭ୍ କେସ୍ ଥିଲା । ଏବେ ଏହି ସଂଖ୍ୟା ୨୦ ଲକ୍ଷକୁ ଖସିଛି ।

Leave A Reply

Your email address will not be published.