ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆବେଗର ଡେଣା 
ଆଖି ବନ୍ଦ କଲେ ଉଜ୍ଜ୍ଵଳ ରଙ୍ଗର ଆଲୋକ ହିଁ ଭରି ରହିଥାଏ ସେହି ନିର୍ଜୀବ ଦୁନିଆଁରେ ଯେଉଁଠି ତୁମେ ଅଛ । ଆଖି ଖୋଲା ରଖିଲେ ସାମ୍ନାରେ ଥାଏ  ସଫେଦ ନୀଳରଙ୍ଗୀ ଆକାଶର ଆସ୍ତରଣ ଯେଉଁଠି ମୋ’  କଳ୍ପନାର  ବିଚରଣ । ଟିକେ ତଳକୁ  ଝୁଙ୍କେଇ ନେଲେ ଆଖି ଦେଖାଯାଏ ମୋର ପାଦତତଳର ମାଟି ଯାହାର  ଗାଢ଼ ବାଦାମୀ ରଙ୍ଗର ଦେହରେ  ଥାଏ କେମିତି ଗୋଟାଏ ସବୁଜରଙ୍ଗର ରହସ୍ୟମୟ ବେଢଣ ।  ଏସବୁ ବାଦ ଯାହା ବି ଦେଖାଯାଏ ତାହା କେବଳ ରାସ୍ତା – ଛୋଟ ବଡ ସାପ ଭଳି ମସୃଣ , ରଙ୍ଗବେରଙ୍ଗର । ଜୀବନ ଏତେ ଛନ୍ଦା ଛନ୍ଦି ହୋଇ ଉକୁଟେ କାହିଁକି ? ଆହାଃ ! ମୋ ଆବେଗମୟ ଜୀବନକୁ ନେଇ ଗୋଟେ ପପ ଆର୍ଟର ପ୍ରୋଟ୍ରେଟ ହେଲେ ବନେଇ ହୁଅନ୍ତା ! ଟାଙ୍ଗି ହୁଅନ୍ତା କି ଦେଖେଇ ହୁଅନ୍ତା କାହାକୁ ନା କାହାକୁ ଇଚ୍ଛା କଲେ । ତୁମେ କେବଳ ମେଞ୍ଚାଏ ଆଲୋକ ରଙ୍ଗ ହୋଇ ରାସ୍ତାରୁ ଆକାଶ ଯାଏଁ ଲେସି ହୋଇଥିବ । ଆଖିମାଡ଼ି ଦେଖିଲେ ଲାଗୁଥିବ ଯେମିତି ଜହ୍ନମୟ ହସଟିଏ ବିଛେଇ ହୋଇ ପଡିଛି ସର୍ପିଳ ରାସ୍ତାମାନଙ୍କ ଜ୍ବାଳାରୁ ବାହାରୁଥିବା ପାଦକୁ ଶୀତଳ ଦମ୍ଭ ଦେବାକୁ ।
ଏଇ କେଇଦିନ ହେଲା ଅଦ୍ଭୁତ ବିଷାଦରେ ଛନ୍ଦି ହୋଇଯାଇଛି ମୋର ଆବେଗ । ଆବେଗ ନଥିଲେ ତୁମ ସ୍ଥିତି ଚେତନାର କାନଭାସରେ ମେଞ୍ଚାଏ ଧୂଆଁରଙ୍ଗ । ମୁଁ ଲୁହରେ ଥାଏ ତ ତୁମେ ଅପହଞ୍ଚ ଥାଅ । ଯେବେ ଯେବେ ବାସ୍ତବତା  ତୁମକୁ ରୂପ ଦେଇ ମୋ ଯାଏଁ ଆକର୍ଷି ଆଣୁ ଭାବିଛି ସେବେ ସେବେ ହିଁ ତୁମେ ଖାଲି ହାତପାହାନ୍ତା ଠାରୁ ନୁହେଁ ଆଖିଠାରୁ କାହିଁ କେତେ ଦୂରରେ ଛାଇ ଭଳି  ନିଷ୍ପ୍ରଭ ଏବଂ କ୍ଷୀଣ ଦିଶୁଥାଅ । ନିଜକୁ ହଜେଇଦେବାର  ପ୍ରଚଣ୍ଡ ଚେଷ୍ଟା ଭିତରେ ଫାଟିଛି ଯଦି କେବଳ ଫୁଲଙ୍କ ଆକାଶ । ଫଟା କ୍ଷତରୁ ରକ୍ତ ଭଳି ବୋହି ଆସିଥିବା ନିରବତା ଆବେଗକୁ ରୁନ୍ଧି ଦେଉଥିଲାବେଳେ ତୁମକୁ କଷ୍ଟ ହୁଏନା ?
ସବୁ ଆବେଗ କଣ ଏମିତି ବାଷ୍ପୀଭୁତ ହୋଇଯାଏ ! ଚାହିଁଲେ ବି ନଈ ସହ ବହି ହୋଇଯାଏନା , ଫୁଲ ସହିତ  ନିଜ ଭିତରର ପାଖୁଡା ମେଲି ହୁଏନା , ସମୁଦ୍ର ସହ ତାଳ ଦେଇ ଆନ୍ଦୋଳିତ ହୋଇ ହୁଏନା ।ସତରେ କଣ ଆବେଗ ଟୋପାଏ କାକର ଭଳି ଉଭେଇଯାଏ ? ଆବେଗ ନଥିଲେ  ଆଗ୍ରହର ସ୍ଥିତି କେତେ ଦୟନୀୟ !  ତୁମ ପାଖକୁ  ହଜାର ହଜାର ଚିଠି ଏହି ଭିତରେ ଲେଖିସାରିଛି ଲୁହରେ । ପ୍ରାର୍ଥନା ଭଳି ଗୁଣୁଗୁଣେଇଛି ଏଣୁତେଣୁ ଅଭିଯୋଗସବୁକୁ କ୍ଷୋଭରେ ଓଦା ଓଦା କଣ୍ଠରେ ।   ଚାହିଁଛି ତୁରନ୍ତ ଆସି ପାଖରେ ଠିଆ ହୁଅ । ତୁମ କୁହୁକ ଛୁଆଁରେ ମୋତେ ପଲ୍ଲବିତ କର । ମୁକାଳି ନିଅ ସବୁ କିଶୋର କାହାଣୀର ଶକ୍ତିଶାଳୀ ରାଜକୁମାର ହୋଇ । ନେଇଯାଅ ସେହି ପରୀରାଜ୍ୟକୁ ଯେଉଁଠି ହସମାନଙ୍କର , ଆନନ୍ଦମାନଙ୍କର , ଉଡାଣମାନଙ୍କର ସ୍ଥାୟୀ ରାଜୁତି ଥିବ। ମୁଁ ଆଉ ମୁଁ ହୋଇ ରହୁ ନଥିବି । ମୁଁ ଯେମିତି ଆପଣାଛାଏଁ ନିଜକୁ ଭୁଲିଯାଉଥିବି । ହୁଏନି କିଛି । ହେବନି ବି କିଛି ଜାଣି ମୁଁ ଆହୁରି ଭାଙ୍ଗି ଭାଙ୍ଗି ଯାଉଥାଏ । ଭାଙ୍ଗି ପଡିବାର ବେଳ ଦେଖ କେମିତି ପ୍ରିୟଜନମାନଙ୍କ ଚଳପ୍ରଚଳ ଭିତରେ ଈଶ୍ବରଙ୍କ ସହ ସେମାନେ ବି ଲାଗୁଥିବେ ବଧୀର । ପହଞ୍ଚେନି ବା ପହଞ୍ଚି ପାରେନି ତାଙ୍କ ଯାଏଁ ଚିତ୍କାର । ସମ୍ପର୍କମାନଙ୍କୁ ନେଇ ମୁଁ ଏତେ ନିର୍ଭରଶୀଳ କାହିଁକି ?  କାହିଁକି ବି ମୁଁ ଏତେ ଆହତକ୍ଷମ  ? କାହିଁକି ବି ଚାହୁଁଚି ମୋ ମୁତାବକ ଘଟଣାମାନ ଘଟୁ ? ସତରେ ଯଦି ଘଟନ୍ତା ମୁଁ ଖୁସି ହୋଇ ପାରନ୍ତି କଣ ? ମୋ ଭିତରର ସମସ୍ତ ଅନ୍ୟମନସ୍କତା ସ୍ୱାର୍ଥପରତା ନୁହେଁ ତ ? ତୁମକୁ ମୋର ଏହି ଚିଠି ଲେଖିବାର ପ୍ରକ୍ରିୟାଟି ବିଳାସ ଗୋଟାଏ ଭଳି ତୁମକୁ ଲାଗେ କି ? ମୁଁ ନିଜକୁ ଯେତେବେଳେ ପ୍ରଶ୍ନ ପଚାରେ ତ ଲହୁଲୁହାଣ ହୁଏ ତାର ପ୍ରଭାବରେ । ପ୍ରତି ପ୍ରଶ୍ନରେ ମୁଁ ନିଜକୁ ଭେଟେ , ତାକୁ ପ୍ରଶ୍ନରେ ଅଟକ ରଖେ ,   ପ୍ରଶ୍ନ ପ୍ରତିପ୍ରଶ୍ନରେ ବିଦୀର୍ଣ୍ଣ କରେ ନିଜକୁ ହିଁ  । ନିଜକୁ ସାମ୍ନା କରିବାର ଆତଙ୍କରେ ଅନ୍ୟମନସ୍କତାରେ ଥାଏ ଏବଂ ଯେତେ ଶୀଘ୍ର ସମ୍ଭବ ବାହାରିବାକୁ ଚାହିଁ ନିଜମନସ୍କତାରେ ବତୁରୁଥାଏ । ଅଥଚ ଦେଖ ମୋ ଭିତରେ ପ୍ରଶ୍ନମାନ କେନା ମାରିଲେ ତୁମ ଆଖି ଉଜ୍ଜ୍ଵଳି ଉଠେ ସମ୍ଭାବନାରେ । ହୁଏତ ଭାବ ଏହାପରେ ମୁଁ ସାଧାରଣ ହୋଇଯିବି । ଖୁସି ରହିବି ।
ସାଧାରଣ ହେବାରେ ବି ଅସାଧାରଣ ଚେଷ୍ଟା ଦରକାର ତାକୁ ବି କେଉଁ ସ୍ପଷ୍ଟ କରି ତୁମକୁ ଜଣେଇ ପାରିଛି କୁହ।ତୁମେ ସାଧାରଣରୁ ଅଧିକ ସାଧାରଣ ତେଣୁ ଗଛ ଭଳି ଠିଆ ହୋଇଯାଇଥାଅ ରାସ୍ତାରେ ଆକାଶକୁ ହାତ ମେଲେଇ । ଗଛଟେ ଅଛି ତ ଆଶ୍ରାଟେ ଅଛିର ପ୍ରତ୍ୟୟରେ ଧୀରେ ହେଉ ପଛେ ପାଦଟେ ଥାପିପାରେ ସାପ ଭଳି ଲାଗୁଥିବା ରାସ୍ତାରେ । ଏଯାଏଁ ତୁମ ପାଖାପାଖି ଆସିଛି କେଉଁଠି ? ତୁମ ଯାଏଁ ପହଞ୍ଚିବାକୁ ମୋ ଭିତରେ ଠୁଳ କରିଥିବା ସମସ୍ତ କୌଶଳ ଅର୍ଜିଥିବା ସମ୍ପର୍କମାନଙ୍କ ଭଳି ଗୋଟିଏ ଗୋଟିଏ ଫ୍ରେମର ଅମୂର୍ତ୍ତ ଚିତ୍ର ।   ମୁଁ ଖୋଜୁଛି ନିଜକୁ ନା ଖୋଜିବା ନାଁରେ ନିଜକୁ ଆହୁରି ଛନ୍ଦି ପକାଉଛି ଅନ୍ୱେଷାର ଉହାଡ଼ରେ ବୁଝି ହେଉନି ବା ବୁଝିବାକୁ ଚାହୁଁନି ।
ବୁଝି ପାରୁନି ବୋଲି ଅସ୍ଥିର ହେଉଛି , ଧଇଁସଇଁ ହେଉଛି ।ଦେଖ ଯେଉଁ ପୁଲକକୁ ପାଥେୟ କରି ଆରମ୍ଭ କରିବାକୁ ଚାହିଁଥିଲି ଚିଠି କେତେ ଶୀଘ୍ର ଦିଗ ବଦଳେଇ ବିଷାଦମୁହାଁ ହେଲାଣି ।  ଲାଗୁଚି ମୋ ରକ୍ତରେ ଖୁସିରେ ଖେଳୁଛି ବିଷାଦ । ସୁବିଧା ଦେଖି ବାହାରେ ଏବଂ ବିଲେଇ ଭଳି ଆବେଗର ପାରାମାନଙ୍କୁ ଆକ୍ରମଣ କରେ । କେତେ ତୀବ୍ର ହୋଇପାରେ ଆବେଗର ଦୁଃଖ ଯାହା ଅତର୍କିତ , ଅପ୍ରତ୍ୟାଶିତ । ମୁଁ ନିସ୍ତେଜ ଥାଏ ଆଉ ଦେଖୁଥାଏ ଆବେଗ ସହ କିଭଳି  ଉଡି ଯାଉଥାନ୍ତି କୋମଳତା ଚତୁର ଭାବରେ । ତୁମେ ନିଶ୍ଚୟ କହିବ ଏଇ କୋମଳତା ଆଉ କେଉଁଠି ତିଆରି ହେବ ଭିନ୍ନ ରୂପରେ । ତୁମ  ସାରାଟା ଦେହରେ ଆଶା ହିଁ ଝଟକୁଥାଏ ସକାଳ ସୂର୍ଯ୍ୟର ଚମକ ନେଇ । କାରଣ ତୁମେ ରହିଲେ ବିଷାଦ ଯିବ ଅଥବା ବିଷାଦ ପ୍ରଭାବଶାଳୀ ହେଲେ ତୁମେ ରହିବନି ଏମିତି ଏକ ଅବବୋଧରୁ ତୁମର ଜନ୍ମ ବା ଆବିର୍ଭାବ । ତୁମ ଚେଷ୍ଟା ମୋତେ କେମିତି ମାଷ୍ଟ୍ରିଆ ମାଷ୍ଟ୍ରିଆ ଲାଗେ ଯେଉଁଠି ତତ୍ତ୍ୱର ଭାରରେ ମୁଁ ଛଟପଟେଇ ଯାଉଥାଏ । ଯାହା ଆପେ ହେଉନି ତାକୁ ବିନା ଆଗ୍ରହରେ ଅଭ୍ୟାସରେ ପକେଇବାକୁ ଶକ୍ତି କେଉଁଠୁ ପାଇବି ? ମୋର ତ ସବୁ ଶକ୍ତି ଆବେଗରୁ ତିଆରି ।  ତୁମେ କୁହ ଯେଉଁ କୋମଳତା କି ସୁକୁମାରତା ଆଜିରେ ଧ୍ୱଂସ ପାଇଗଲା କାହା ଅଯତ୍ନରେ , ସେହି ନିର୍ଦ୍ଦିଷ୍ଟ ବିଭଵ ଧରି ସେମାନେ ସେଇଭଳି  ଆସିବେକି  ଯେମିତି ଏବେ ଆସି କ୍ଷତ ଧରି ଲେଉଟିଗଲେ ମୁହଁ ଭାରି କରି  ?  ନିଜ ହିସାବୀ ମନର ନିଷ୍ଠୁରତାରେ  ଆଉ କାହା ଆବେଗରେ କ୍ଷତି ପହଞ୍ଚେଇବାକୁ ତଥାକଥିତ ସମ୍ପର୍କମାନେ ବ୍ୟାକୁଳ ହୁଅନ୍ତି କାହିଁକି ? କାହିଁକି ଜଣେ ଯନ୍ତ୍ରଣାରେ ଶିହରି ଯାଉଥିଲାବେଳେ ଆରଜଣଙ୍କ  ନିଜ ହିସାବର କଠୋର ସିଦ୍ଧାନ୍ତକୁ ଅଜାଡ଼ି ଦିଅନ୍ତି ଆକ୍ରୋଶରେ ?
ବହୁତ କାହିଁକିର କାନ୍ଦକୁ ପ୍ରତ୍ୟକ୍ଷ କରିବାକୁ ନୂଆ ନୂଆ ଅନୁଭବରେ ତିଆରି  କରିବାକୁ ପଡିବ ମୋତେ ହସ ବୋଲି ତୁମେ ଲେଖି ସାରିଚ ଗଛ କୋରଡ ବାହାରେ ଝୁଲେଇଥିବା ତୁମ ହୃଦୟ ଦେହରେ ।  ଆଙ୍କିବାକୁ ପଡିବ ସ୍ମିତଙ୍କ ଡେଣା । ହୁଏତ ସେହି ପ୍ରଚେଷ୍ଟାରେ  ଭଙ୍ଗାମନକୁ  ଓଳେଇ ଗଦେଇ ହେବ ଗଛ ତଳେ। ହୁଏତ ସନ୍ତୁଳନର ମନ୍ତ୍ର ଫୁଙ୍କି ଶକ୍ତ ଆକାରଟେ ଗଢିବାକୁ ଗଛ ହିଁ  ସମର୍ଥ ହେବ । ହୁଏତ ସେ ଆକାରରେ ମୁଁ ଆହୁରି ଉଜ୍ଜ୍ଵଳ ଦିଶୁଥିବି । ପ୍ରବଣତାର ରଙ୍ଗରେ ହସ ରଙ୍ଗେଇ ହେଲେ ସ୍ବପ୍ନମାନେ ଆତଯାତ ହେବେ ।  ହୁଏତ ସେସବୁ ସ୍ବପ୍ନମାନଙ୍କୁ ଚାଦର ଭଳି ସିନ୍ଦୁକ ଭିତରେ ସାଉତୁଥିଲାବେଳେ  ଆଉ କେଉଁଠି ଛାତ ଭଳି , ପାଲ ଭଳି ଠିଆ ହୋଇଥିବେ କାହା କାହାର ଭାଙ୍ଗିଲା ମନରେ  ଆସ୍ଥା ହୋଇ । ଏସବୁ ଆବେଗରେ ଜୁଡୁବୁଡୁ ହେଉଥିଲା ବେଳେ ତୁମେ ଅଛ ନା ମୋ ସହ ? ଜାଣିଛି – ଅଛ ହିଁ ।