Latest Odisha News

ଝାଡଖଣ୍ଡରେ ହେମନ୍ତ ହିରୋ

ନୂଆଦିଲ୍ଲୀ: ନା କାମ ଦେଲା ଅନୁପ୍ରବେଶ ପ୍ରସଙ୍ଗ ନା ଆଦିବାସୀ ନେତାଙ୍କ ଚକ୍ରବ୍ୟୂହ ନା ବିଜେପି ସପକ୍ଷରେ ଗଲା ଶାସନ ବିରୋଧୀ ଲହର । ପୁଣି ପ୍ରମାଣିତ ହେଲା, ଝାଡଖଣ୍ଡରେ ହେମନ୍ତ ହିଁ ହିରୋ। ବିଜେପିର ସବୁ ବିଜୟ ବ୍ଲୁପ୍ରିଣ୍ଟକୁ ଝାଡଖଣ୍ଡରୁ ଲାଗିଛି ବଡ ଝଟକା । ଏକଜିଟ୍ ପୋଲର ସବୁ ଅନୁମାନକୁ ଭୁଲ ଦେଖାଇଛି ଫଳାଫଳ । ବହୁମତଠାରୁ ଅନେକ ଆଗରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ । ପୁଣି ହେମନ୍ତ ସୋରେନ ସରକାରକୁ ଫେରିବା ପାଇଁ ଖୋଲିଛି ବାଟ । ଆଦିବାସୀ ଅସ୍ମିତା କାର୍ଡ ସାଙ୍ଗକୁ ହେମନ୍ତଙ୍କ ଗିରଫଦାରୀକୁ ନେଇ ଅସନ୍ତୋଷ ପୁଣି ଜେଏମଏମକୁ କରିଛି ବିଜେତା ।

ମ୍ୟାଜିକ୍ କଲା ଆଦିବାସୀ ଅସ୍ମିତା

ଜେଏମଏମର କୋର୍ ଭୋଟବ୍ୟାଙ୍କ ଆଦିବାସୀ ସମାଜ ଏଥର ବି ହେମନ୍ତଙ୍କ ସମର୍ଥନରେ ଭୋଟ୍ କରିଛନ୍ତି । ହେମନ୍ତଙ୍କ ଗିରଫଦାରୀକୁ ଆଦିବାସୀ ଅସ୍ମିତା ସହ ଯୋଡି ଲୋକସଭାରେ ଦଳ ଯେଉଁ ମ୍ୟାଜିକ କରିଥିଲା ବିଧାନସଭାରେ ବି ତାହା ରିପିଟ୍ ହୋଇଛି। ଝାଡଖଣ୍ଡରେ ଆଦିବାସୀ ଭୋଟର ୨୬ପ୍ରତିଶତରୁ ଅଧିକ । କିଛି ବିଧାନସଭା ସିଟରେ ଆଦିବାସୀ ୪୦ପ୍ରତିଶତରୁ ବି ଅଧିକ । ଏଥର ବି ହେମନ୍ତଙ୍କ ପ୍ରତି ବିଶ୍ବାସ ଦେଖାଇଛନ୍ତି ଆଦିବାସୀ । ହେମନ୍ତ ସୋରେନଙ୍କ ମୁକାବିଲାରେ ବିଜେପି ପାଖରେ ସେଭଳି ବଡ ଆଦିବାସୀ ନେତା ନାହାନ୍ତି । ଚମ୍ପାଇ ସୋରେନ୍ ଓ ସୀତା ସୋରେନ୍ ବିଜେପିକୁ ଯାଇଥିଲେ ବି ସେମାନଙ୍କ ଦଳବଦଳକୁ ପସନ୍ଦ କରିନାହାନ୍ତି ଆଦିବାସୀ ।

ମୁସଲିମ, ଯାଦବ ବହୁଳ ସିଟରେ ବିଜୟ

ଆଦିବାସୀଙ୍କ ସହ ଝାଡ଼ଖଣ୍ଡରେ ମୁସଲିମ ଓ ଯାଦବ ବହୁଳ ସିଟରେ ବି ଇଣ୍ଡିଆ ମେଣ୍ଟକୁ ସଫଳତା ମିଳିଛି । ୧୦ରୁ ଅଧିକ ସିଟରେ ଏମାନଙ୍କ ସଂଖ୍ୟା ୫୦ପ୍ରତିଶତରୁ ଅଧିକ ରହିଛି । ବିଜେପି ନେତାଙ୍କ ବଟେଙ୍ଗେ ତୋ କଟେଙ୍ଗେ ନାରା ଦେଇଥିଲେ ମଧ୍ୟ ଆଶା ଅନୁସାରେ ଭୋଟ୍ ଧ୍ରୁବିକରଣ ହୋଇନାହିଁ । ହିନ୍ଦୁ-ମୁସଲିମ ଅପେକ୍ଷା ଆଦିବାସୀ ଅସ୍ମିତା କାର୍ଡ ବେଶୀ ଚାଲିଛି । ବିଜେପି ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରସଙ୍ଗ ଉଠାଇଥିଲା । ହେଲେ ବିଭାଜନକାରୀ ରାଜନୀତି ନେଇ ହେମନ୍ତ ସୋରେନ୍ ବିଜେପିକୁ ଜୋରଦାର ଟାର୍ଗେଟ୍ କରିଥିଲେ ।

ଜେଲରୁ ଖୋଲିଲା ବିଜୟର ବାଟ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀକୁ ଜେଏମଏମ ଆଦିବାସୀ ଅସ୍ମିତା ସହ ଯୋଡିଥିଲା । ଗରିବଙ୍କ ନେତା ହେମନ୍ତ ସୋରେନଙ୍କୁ ବିଜେପି ଷଡ଼ଯନ୍ତ୍ର କରି ଜେଲରେ ପୂରାଇଥିବା ନେଇ ନାରେଟିଭ୍ ପ୍ରସ୍ତୁତ କରିଥିଲା ଜେଏମଏମ । କୌଣସି ଘୋଟାଲା ନୁହେଁ ବରଂ ବିଜେପିର ପ୍ରତିଶୋଧ ରାଜନୀତି ପାଇଁ ହେମନ୍ତ ଜେଲ୍ ଯାଇଥିବା ଲୋକଙ୍କ ପାଖରେ ପହଞ୍ଚାଇଥିଲା ଦଳ । ଆଉ ଏହାର ପ୍ରତିଶୋଧ ଭୋଟରେ ନେବାକୁ ଆହ୍ବାନ ଦେଇଥିଲା ଦଳ ।

ଝାଡ଼ଖଣ୍ଡରେ କଳ୍ପନା ଏକ୍ସ ଫ୍ୟାକ୍ଟର

ସ୍ବାମୀ ହେମନ୍ତ ସୋରେନ୍ ଜେଲ୍ ଯିବା ପରେ ରାଜନୀତିରେ ପାଦ ରଖିଥିବା କଳ୍ପନା ସୋରେନ୍ ଏଥର ଝାଡଖଣ୍ଡ ଲଢେଇରେ ଜେଏମଏମ ପାଇଁ ଏକ୍ସ ଫ୍ୟାକ୍ଟର ସାବ୍ୟସ୍ତ ହୋଇଛନ୍ତି । ମାତ୍ର କେଇଟା ମାସରେ ହିଁ ନିର୍ବାଚନ ରାଜନୀତିରେ ଛାଇ ରହିଥିଲେ କଳ୍ପନା । ଝାଡ଼ଖଣ୍ଡରେ ସେ ଶହେରୁ ଅଧିକ ରାଲି କରିଛନ୍ତି । ଗ୍ରାଉଣ୍ଡରେ ଦଳକୁ ଏକଜୁଟ୍ କରିବା ହେଉ କିମ୍ବା ଗାଁ ଗାଁ ବୁଲି ଭୋଟରଙ୍କ ସହ ସିଧାସଳଖ ଯୋଡିହେବା, ନିଜର ସ୍ବତନ୍ତ୍ର ଅନ୍ଦାଜରେ ପ୍ରଚାର କରିଥିଲେ କଳ୍ପନା । ବିଜେପି ପାଖରେ କଳ୍ପନାଙ୍କ ଭଳି ମହିଳା ନେତ୍ରୀଙ୍କ ଅଭାବ ଦଳକୁ ବ୍ୟାକଫୁଟରେ ରଖିଥିଲା ।

ମୈୟାଁ ସମ୍ମାନ ଯୋଜନା ସୁପରହିଟ୍

ମୈୟାଁ ସମ୍ମାନ ଯୋଜନାକୁ ଜେଏମଏମ ପାଇଁ ଗେମଚେଞ୍ଜର କୁହାଯାଉଛି । ଯୋଜନାରେ ଝାଡ଼ଖଣ୍ଡର ୫୧ଲକ୍ଷ ମହିଳାଙ୍କୁ ମାସକୁ ହଜାରେ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି । ବିଜେପି ମହିଳାଙ୍କୁ ପ୍ରତି ମାସ ୨୧ଶହ ଟଙ୍କା ଦେବାକୁ ଘୋଷଣା କରିଥିଲା । ତେବେ ଜନତା ହେମନ୍ତ ସୋରେନଙ୍କ ଉପରେ ହିଁ ଭରସା ଦେଖାଇଛନ୍ତି । କାରଣ ଯୋଜନାର କିସ୍ତି ପାଇ ସାରିଛନ୍ତି ମହିଳା । ବିଶେଷ କରି ଆଦିବାସୀ ମହିଳା ଜେଏମଏମକୁ ସମର୍ଥନ ଦେଇଛନ୍ତି ।

ପ୍ରଥମେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ୍ ପରେ ସିଏମ୍ ପଦରୁ ହଟାଯିବାରୁ ଦଳ ଛାଡି ବିଜେପିରେ ମିଶିଥିଲେ ଚମ୍ପାଇ ସୋରେନ । ଏହାକୁ ନେଇ ପରିବାର ଭାଙ୍ଗିବା, ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଷଡ଼ଯନ୍ତ୍ର ଭଳି ନାରେଟିଭ୍ ପ୍ରସ୍ତୁତ କରିଥିଲା ଜେଏମଏମ । ଯାହାକୁ ଝାଡଖଣ୍ଡ ଜନତାଙ୍କ ମନଖୋଲା ସମର୍ଥନ ମିଳିଛି ।

Leave A Reply

Your email address will not be published.