Latest Odisha News

BREAKING NEWS

ପାକିସ୍ତାନ ଏଫ-୧୬ ଜେଟ୍ ଯୁଦ୍ଧବିମାନକୁ ମାରି ଖସାଇଦେଲା ଭାରତ

ନୂଆଦିଲ୍ଲୀ: ବୁଧବାର ଦିନ ସକାଳେ ପାକିସ୍ତାନର ଏଫ-୧୬ ଜେଟ୍ ଯୁଦ୍ଧବିମାନ ଭାରତୀୟ ସୀମା ଉଲଂଘନ କରି ପଶି ଆସିଥିବା ବେଳେ ବାୟୁସେନା ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି ବୋଲି ଏଏନଆଇ ସୂତ୍ରରୁ ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ରାଜୌରୀ ସେକ୍ଟରରେ ୩ଟି ପାକିସ୍ତାନୀ ଜେଟ୍ ଯୁଦ୍ଧବିମାନ ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିଥିଲେ । ଏହି ପାକିସ୍ତାନୀ ଏଫ-୧୬ ଯୁଦ୍ଧବିମାନକୁ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଠାବ କରିବା ପରେ ଗୁଳି ଚଳାଇଥିଲେ । ଏହି ଗୁଳିଗୋଳା ଚାଲିଥିବା ସମୟରେ ଏକ ପାକିସ୍ତାନୀ ଏଫ-୧୬ ଯୁଦ୍ଧବିମାନକୁ ମାରି ଖସାଇ ଦେଇଛି ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ । କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଏଫ-୧୬ ଯୁଦ୍ଧବିମାନ ପାକିସ୍ତାନ ସୀମା ମଧ୍ୟରେ ଖସି ପଡ଼ି ଜଳିଯାଇଥିଲା ।

ଏସମ୍ପର୍କରେ ଏଯାଏଁ ଉଭୟ ପକ୍ଷର ସରକାରୀ ବିବୃତ୍ତି ଦିଆଯାଇନାହିଁ ।

ସତ୍ୟାସତ୍ୟ ଜଣାପଡ଼ିନଥିଲେ ମଧ୍ୟ କେତେକ ଦ୍ୱଦ୍ୱାତ୍ମକ ରିପୋର୍ଟ ଅନୁଯାୟୀ ୨ଟି ଭାରତୀୟ ଜେଟକୁ ପାକିସ୍ତାନ ଖସାଇ ଦେବାର ଦାବି କରୁଛି, ଏଥି ସହିତ ଭାରତୀୟ ପାଇଲଟଙ୍କୁ ଜୀବିତ ରଖିଥିବା ଜଣାଇଛନ୍ତି ।

“ଆଜି ପାକିସ୍ତାନୀ ଏୟାର ଫୋର୍ସ ଦ୍ୱାରା ସୀମା ନିକଟରେ ଆକ୍ରମଣ କରାଯାଇଛି,” ବୋଲି କହିଛି ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ।

ପୂର୍ବରୁ ପାକିସ୍ତାନୀ ସେନା ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର କହିଛନ୍ତି, ପାକିସ୍ତାନ ମଧ୍ୟକୁ ୨ଟି ଭାରତୀୟ ଜେଟ୍ ପ୍ରବେଶ କରିଥିଲା । ସେହି ୨ଟି ଜେଟକୁ ମାରି ଖସାଇଦିଆଯାଇଛି ଏବଂ ଜଣେ ପାଇଲଟଙ୍କୁ ଜୀବନ୍ତ ଧରାଯାଇଛି ବୋଲି ପାକିସ୍ତାନୀ ସେନା ମୁଖପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଭୋର ସମୟରେ ଭାରତୀୟ ବାୟୁସେନାର ୧୨ଟି ମିରେଜ-୨୦୦୦ ଯୁଦ୍ଧ ବିମାନ ପାକିସ୍ତାନ ସୀମା ଅତିକ୍ରମ କରି ଜୈସ-ଇ-ମହମ୍ମଦ ଆତଙ୍କବାଦୀ କ୍ୟାମ୍ପ ଉପରେ ଆକ୍ରମଣ କରି ସମସ୍ତ ୩୦୦ରୁ ଅଧିକ ଉଗ୍ରପନ୍ଥୀଙ୍କୁ ନିପାତ କରିଥିଲେ ।

Leave A Reply

Your email address will not be published.