Latest Odisha News

BREAKING NEWS

ହକି ବିଶ୍ୱକପ ୨୦୨୬: ଇଂଲଣ୍ଡ ନିକଟରୁ ୨-୪ ଗୋଲରେ ପରାଜିତ ହେଲା ଭାରତ

ଆମ୍ସଟରଡାମ୍ : ପୁରୁଷ ହକି ବିଶ୍ୱକପ ୨୦୨୬ର ପୁଲ୍-ଡିର ରୋମାଞ୍ଚକର ମ୍ୟାଚରେ ଭାରତୀୟ ହକି ଟିମ୍ ଇଂଲଣ୍ଡ ନିକଟରୁ ୨-୪ ଗୋଲରେ ପରାଜିତ ହୋଇଛି । ପ୍ରଥମାର୍ଦ୍ଧରେ ୨-୧ ଗୋଲରେ ଆଗୁଆ ଥାଇ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ଭାରତୀୟ ଦଳ ନିଜର ନିୟନ୍ତ୍ରଣ ହରାଇ ଏହି ପରାଜୟ ବରଣ କରିଛି  । ମ୍ୟାଚର ୧୩ଶ ମିନିଟରେ ଇଂଲଣ୍ଡର ନିକୋଲାସ ବାଣ୍ଡୁରାକ୍ ପ୍ରଥମ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ । ଏହାପରେ ଭାରତୀୟ ଦଳ ଜୋରଦାର ପ୍ରତ୍ୟାବର୍ତ୍ତନ କରି ୧୭ଶ ମିନିଟରେ ଅଧିନାୟକ ହରମନପ୍ରୀତ ସିଂହଙ୍କ ପେନାଲ୍ଟି କୋର୍ନର ଗୋଲ ଏବଂ ୨୫ଶ ମିନିଟରେ ଦିଲପ୍ରୀତ ସିଂହଙ୍କ ଶାଣିତ ଗୋଲ ବଳରେ ୨-୧ରେ ଆଗୁଆ ରହିଥିଲା  ।

ଦ୍ୱିତୀୟାର୍ଦ୍ଧରେ ଇଂଲଣ୍ଡ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ୩୯ଶ ମିନିଟରେ ସ୍ଟୁଆର୍ଟ ରସମେୟର ସମାନତା ଆଣିଥିବା ବେଳେ ହେନରୀ କ୍ରଫ୍ଟ ଇଂଲଣ୍ଡକୁ ୩-୨ ଗୋଲରେ ଆଗୁଆ କରିଥିଲେ । ମ୍ୟାଚର ଶେଷ କ୍ୱାଟରରେ ବାଣ୍ଡୁରାକ୍ ନିଜର ଦ୍ୱିତୀୟ ଗୋଲ ସ୍କୋର କରି ଇଂଲଣ୍ଡର ୪-୨ ବିଜୟ ସୁନିଶ୍ଚିତ କରିଥିଲେ । ଏହି ପରାଜୟ ସହ ବିଶ୍ୱକପ୍ ମଞ୍ଚରେ ଇଂଲଣ୍ଡ ବିପକ୍ଷରେ ଭାରତର ୩୨ ବର୍ଷର ବିଜୟ ପ୍ରତୀକ୍ଷା ଆହୁରି ବଢ଼ିଯାଇଛି । ୧୯୯୪ ପରଠାରୁ ଇଂଲଣ୍ଡକୁ ଭାରତ ପରାଜିତ କରିପାରି ନାହିଁ । ଏବେ ଏହି ପ୍ରତୀକ୍ଷା ଆହୁରି ବୃଦ୍ଧି ପାଇଛି । ପୁଲ୍-ଡି ର ପଏଣ୍ଟ ଟେବୁଲରେ ଇଂଲଣ୍ଡ କ୍ରମାଗତ ଦୁଇଟି ବିଜୟ ସହ ଶୀର୍ଷରେ ପହଞ୍ଚିଥିବା ବେଳେ ଭାରତୀୟ ଦଳକୁ ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପକ୍କା କରିବା ପାଇଁ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଜିତିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ।

 

Leave A Reply

Your email address will not be published.