Latest Odisha News

ଖଲିସ୍ତାନ ବିଚ୍ଛିନ୍ନତାବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କାନାଡା ରାଷ୍ଟ୍ରଦୂତଙ୍କୁ ସମନ କଲେ ଭାରତର ସରକାର

ନୂଆଦିଲ୍ଲୀ:  କାନାଡ଼ାରେ ଥିବା ଭାରତୀୟ ବାଣିଜ୍ୟିକ ଦୁତାବାସ ଉପରେ ଖଲିସ୍ତାନୀ ଆକ୍ରମଣକାରୀ ଉପଦ୍ରବ ନେଇ ଦିଲ୍ଲୀ ସ୍ଥିତ କାନାଡ଼ା ରାଷ୍ଟ୍ରଦୂତଙ୍କୁ ସମନ କଲେ ଭାରତ ସରକାର। ପୁଲିସ ଫୋର୍ସ ଉପସ୍ଥିତିରେ ବିଚ୍ଛିନ୍ନତାବାଦୀମାନେ କେମିତି ଏଭଳି ଆକ୍ରମଣ କଲେ ତାହାର ଉତ୍ତର ରଖିବାକୁ କାନାଡ଼ା ରାଷ୍ଟ୍ରଦୂତଙ୍କୁ ସମନ କରାଯାଇଛି।

ଏନେଇ ଏକ ବୟାନ ଜାରି କରି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭିଏନା ସମ୍ମିଳନୀ ଅନୁସାରେ, କାନାଡ଼ାକୁ ଏହାର ଉତ୍ତରଦାୟିତ୍ୱ ବିଷୟରେ ଅବଗତ କରାଯାଇଛି। ଯେଉଁ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଛି ତାର ଚିହ୍ନଟ କରାଯାଇଛି। ତୁରନ୍ତ ତାକୁ ଗିରଫ କରିବା ପାଇଁ ଭାରତ କାନାଡ଼ାକୁ କହିଛି।

ସମନ ପରେ କାନାଡ଼ା ସରକାର କାର୍ଯ୍ୟାନୁଷ୍ଠାନ ନେବେ। ଭାରତର ରାଷ୍ଟ୍ରଦୂତ ଓ ଏହାର କାର୍ଯ୍ୟାଳୟ ପରିସରର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଭାରତ ସରକାର ଆଶା ପୋଷଣ କରିଛନ୍ତି।

ଗତ ରବିବାର ବ୍ରିଟେନ୍‌ରେ ମଧ୍ୟ ଭାରତୀୟ ବାଣିଜ୍ୟିକ ଦୂତାବାସ ଉପରେ ଖଲିସ୍ତାନୀ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେ ଆନ୍ଦୋଳନ କରି କାର୍ଯ୍ୟାଳୟରୁ ତ୍ରିରଙ୍ଗା ପତାକା ଖୋଲି ଦେଇଥିଲେ। ଏହାପରେ ଭାରତ ୟୁକେକୁ ମଧ୍ୟ ସମନ କରି ଉତ୍ତର ମାଗିଥିଲା। ଏହି ଘଟଣାରେ ବ୍ରିଟିଶ ପୁଲିସ କିଛି ଅପରାଧିଙ୍କୁ ଗିରଫ ବି କରିଛି।

ଭାରତରେ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏଥିପାଇଁ ଦେଶେ ବିଦେଶରେ ଖଲିସ୍ତାନୀ ସମର୍ଥକମାନେ ଭାରତ ବିରୋଧୀ କାର୍ଯ୍ୟକଳାପ ଘଟାଉଛନ୍ତି ବୋଲି କୁହାଯାଉଛି।

Comments are closed.