ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ନିଜର ଶକ୍ତିକୁ ଆହୁରି ବୃଦ୍ଧି କରିବା ପାଇଁ ଲାଗିପଡିଛି ଭାରତ । ସେନା କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ସହିତ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ୧୬ ଏବଂ ୧୭ ଜୁଲାଇରେ ପ୍ରତିରକ୍ଷା କ୍ଷେତ୍ରରେ ଦେଶ ତିନୋଟି ବଡ଼ ସଫଳତା ହାସଲ କରିଛି । ଭାରତ ୨୪ ଘଣ୍ଟାରେ ଅର୍ଥାତ୍ ଗୋଟିଏ ଦିନରେ ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ରର ସଫଳତାର ସହିତ ପରୀକ୍ଷଣ କରିଛି । ଯାହା ଶତ୍ରୁ ଦେଶ ପାଇଁ ମାରାତ୍ମକ ସାବ୍ୟସ୍ତ ହେବ । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଭାରତ ପୃଥ୍ୱୀ-୨ ଏବଂ ଅଗ୍ନି-୧ ପ୍ରାଇମ କ୍ଷୁଦ୍ର ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି, ଉଭୟ କ୍ଷେପଣାସ୍ତ୍ରର ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହୋଇଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରରେ ଅବସ୍ଥିତ ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରୁ କରାଯାଇଥିଲା। ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (SFC) ର ତତ୍ତ୍ୱାବଧାନରେ ଉଭୟ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥିଲା । ଏହାପୂର୍ବରୁ ଭାରତୀୟ ସେନା ଲଦାଖ ସେକ୍ଟରରେ ପ୍ରାୟ ୧୫ ହଜାର ଫୁଟ ଉଚ୍ଚତାରେ ‘ଆକାଶ ପ୍ରାଇମ୍’ ବାୟୁ ପ୍ରତିରକ୍ଷା ପ୍ରଣାଳୀର ସଫଳତାର ସହିତ ପରୀକ୍ଷଣ କରିଥିଲା। ଏହି ବାୟୁ ପ୍ରତିରକ୍ଷା ପ୍ରଣାଳୀ ଡିଆରଡିଓ ଦ୍ୱାରା ସ୍ୱଦେଶୀ ଭାବରେ ବିକଶିତ ହୋଇଛି।
ଅଗ୍ନି-୧ ଏବଂ ପୃଥ୍ୱୀ-୨ର ବିଶେଷତ୍ୱ କ’ଣ?
ଅଗ୍ନି-୧ ପ୍ରାଇମ ୧୨୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହାର ଗତି ଘଣ୍ଟା ପ୍ରତି ପ୍ରାୟ ୯୦୦୦ କିଲୋମିଟର । ସେହିପରି ପୃଥ୍ୱୀ-୨ ବିଷୟରେ କହିବାକୁ ଗଲେ, ଏହା ୩୫୦ କିଲୋମିଟର ପର୍ଯ୍ୟନ୍ତ ସଠିକ୍ ଭାବରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଏହା ତରଳ ଇନ୍ଧନରେ ଚାଲିଥାଏ । ଏହି ଦୁଇଟି କ୍ଷେପଣାସ୍ତ୍ର ପାକିସ୍ତାନ ପାଇଁ ନିର୍ଦ୍ଦିଷ୍ଟ କରାଯାଇଥିବା ବେଳେ ଅଗ୍ନି-୨୨,୦୦୦ କିମି ପର୍ଯ୍ୟନ୍ତ, ଅଗ୍ନି-୩ ୩,୦୦୦ କିମି ଏବଂ ନିକଟବର୍ତ୍ତୀ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆଇସିବିଏମ ଅଗ୍ନି-୫ ମୁଖ୍ୟତଃ ଚୀନ୍ ଆଡ଼କୁ ଲକ୍ଷ୍ୟଭେଦ କରିଥାଏ। ଯାହା ୫,୦୦୦ କିମିରୁ ଅଧିକ ଲକ୍ଷ୍ୟଭେବ କରିପାରିବ । ଏଥିସହିତ ଡିଆରଡିଓ ଏବଂ ଏସଏଫସି ନୂତନ ପିଢ଼ିର ଅଗ୍ନି-ପ୍ରାଇମ୍ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର “ପ୍ରି-ଇଣ୍ଡକ୍ସନ୍ ନାଇଟ୍ ଟ୍ରାଏଲ୍ସ” ମଧ୍ୟ ପ୍ରସ୍ତୁତ କରୁଛନ୍ତି, ଯାହାର ଷ୍ଟ୍ରାଇକ୍ ରେଞ୍ଜ ୧,୦୦୦ ରୁ ୨୦୦୦ କିମି ପର୍ଯ୍ୟନ୍ତ ହୋଇଥିବା ବେଳେ ଏହା ଧୀରେ ଧୀରେ ଦେଶର ପରମାଣୁ ଅସ୍ତ୍ରାଗାରରେ ଅଗ୍ନି-୧ ଏବଂ ଅଗ୍ନି-୨ କ୍ଷେପଣାସ୍ତ୍ରକୁ ସ୍ଥାନିତ କରିବ ।
ଆକାଶ ପ୍ରାଇମର ବିଶେଷତ୍ୱ କ’ଣ?
ଆକାଶ ପ୍ରାଇମ ହେଉଛି ଆକାଶ ପ୍ରଣାଳୀର ଏକ ଅପଗ୍ରେଡେଡ୍ ସଂସ୍କରଣ, ଯାହାକୁ ଭାରତୀୟ ସେନାର ଆବଶ୍ୟକତାକୁ ଧ୍ୟାନରେ ରଖି ତିଆରି କରାଯାଇଛି। ଏହା ୩୦ ରୁ ୩୫ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ଏବଂ ୧୮ ରୁ ୨୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ପ୍ରଭାବଶାଳୀ । ଏହା ଯୁଦ୍ଧ ବିମାନ ଏବଂ କ୍ରୁଜ୍ ମିସାଇଲ ସହିତ ଡ୍ରୋନକୁ ଖସାଇବାରେ ସକ୍ଷମ । ଯାହା ଖୁବଶୀଘ୍ର ସେନାରେ ସାମିଲ ହେବାକୁ ଯାଉଛି । ଆକାଶ ପ୍ରାଇମ୍ ପ୍ରଣାଳୀକୁ ଭାରତୀୟ ସେନାର ତୃତୀୟ ଏବଂ ଚତୁର୍ଥ ‘ଆକାଶ ରେଜିମେଣ୍ଟ’ରେ ଅନ୍ତର୍ଭୁକ୍ତ କରାଯିବ। ‘ଅପରେସନ୍ ସିନ୍ଦୂର’ ସମୟରେ, ଭାରତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ପାକିସ୍ତାନୀ ସେନାର ଚୀନ୍ ଯୁଦ୍ଧ ବିମାନ ଏବଂ ତୁର୍କୀ ଡ୍ରୋନ୍ ଦ୍ୱାରା କରାଯାଇଥିବା ବାୟୁ ଆକ୍ରମଣକୁ ବିଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଆଉ ଆକାଶ ପ୍ରାଇମ ଏବେ ଏହାକୁ ଆହୁରି ଶକ୍ତିଶାଳୀ କରିବ ।
Comments are closed.