ଜାକାର୍ତା: ଏଠାରେ ଅନୁଷ୍ଠିତ ଏସିଆ କପ ହକିରେ ଗୁରୁବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି । ଶେଷ ପୁଲ ମ୍ୟାଚରେ ଇଣ୍ଡୋନେସିଆକୁ ୧୬-୦ ବୃହତ ବ୍ୟବଧାନରେ ହରାଇ ଭାରତ ସୁପର ୪ରେ ପ୍ରବେଶ କରିଛି । ଭାରତକୁ ଏହି ମ୍ୟାଚରେ ପାକିସ୍ତାନଠାରୁ ଅଧିକ ଗୋଲ ବ୍ୟବଧାନରେ ଜିତିବା ଜରୁରୀ ଥିଲା । ଏଥିସହ ପାକିସ୍ତାନ ୨୦୨୩ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି । ଚଳିତ ଟୁର୍ଣ୍ଣାମେଂଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ତେବେ ଜାପାନ ୩-୨ରେ ପାକିସ୍ତାନକୁ ହରାଇବା ଫଳରେ ଭାରତ ନିକଟରେ ସୁଯୋଗ ରହିଥିଲା ।
ଦୀପସାନଙ୍କ କମାଲ: ଓଡିଶାର ଦୀପସାନ ତିର୍କୀ ଜବରଦସ୍ତ ପ୍ରଦର୍ଶନ କରି ୫ଟି ଗୋଲ ସ୍କୋର କରିଥିଲେ । ସେହିପରି ନୀଲମ ସଞ୍ଜୀବ ଖେସ ଗୋଟିଏ ଗୋଲ ଦେଇଥିଲେ ।ପୁଲ ଏରେ ଜାପାନ ୯ ପଂଏଟ ସହ ପ୍ରଥମ ଦଳ ଭାବେ କ୍ୱାଲିଫାଇ କରିଥିଲା । ଭାରତ ଓ ପାକିସ୍ତାନ ସମାନ ୪ ପଂଏଟ ହାସଲ କରିଥିଲେ ମଧ୍ୟ ଗୋଲ ବ୍ୟବଧାନରେ ଭାରତ ଆଗରେ ରହିଥିଲା । ଏସିଆ କପ ହକିରେ ଭାରତ ସର୍ବାଧିକ ୮ଥର ଫାଇନାଲରେ ପ୍ରବେଶ କରିଛି । ସୂଚନାଯୋଗ୍ୟ, ୧୯୩୨ ଅଲିମ୍ପିକ୍ସରେ ଭାରତ ୨୪-୧ରେ ଆମେରିକାକୁ ସର୍ବ ବୃହତ ବ୍ୟବଧାନରେ ପରାସ୍ତ କରିଥିଲା ।
Comments are closed.