Latest Odisha News

ଜନସଂଖ୍ୟାରେ ଚୀନକୁ ଟପିଲା ଭାରତ : ତୃତୀୟ ସ୍ଥାନରେ ଆମେରିକା

ନୂଆଦିଲ୍ଲୀ: ଏବେ ବିଶ୍ୱର ସର୍ବବୃହତ ଜନବହୁଳ ରାଷ୍ଟ୍ର ଚୀନ ନୁହେଁ ଭାରତଜନସଂଖ୍ୟା ତୁଳନାରେ ଭାରତ ଚୀନକୁ ପଛରେ ପକାଇ ଦେଇଛି। ବୁଧବାର ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି(ୟୁଏନ୍‌ଏଫ୍‌ପିଏ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ୟୁଏନ୍‌ଏଫ୍‌ପିଏ ଜନସଂଖ୍ୟା ଡାଟା ‘ଷ୍ଟେଟ୍‌ ଅଫ୍ ୱାର୍ଲ୍ଡ ପପୁଲେସନ ରିପୋର୍ଟ ୨୦୨୩’ ରେ ଅନୁସାରେ ଚୀନ ଅପେକ୍ଷା ଭାରତରେ ୨୯ ଲକ୍ଷ ଅଧିକ ଲୋକ ରହିଛନ୍ତି। ବର୍ତ୍ତମାନ ଭାରତରେ ଜନସଂଖ୍ୟା ବଢ଼ି ବଢ଼ି ୧୪୦ କୋଟି ପାର୍ ହୋଇଯାଇଛି। ଅନ୍ୟପଟେ ପୂର୍ବରୁ ଚୀନ ସରକାର ପ୍ରଜନନ ପାଇଁ ଲାଗୁ କରିଥିବା କଡ଼ା ନିୟମ ଦେଶରେ ଜନସଂଖ୍ୟା ହ୍ରାସରେ ମୁଖ୍ୟ ଭୂମିକା ନିଭାଇଛି। ଏହି ବର୍ଗରେ ଚୀନ ମାଇନସ୍‌ ଲାଇନ୍‌ରେ ରହିଛି।

ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଜନସଂଖ୍ୟା ବର୍ତ୍ତମାନ ୧,୪୨୮.୬ ମିଲିୟନ ହୋଇଯାଇଛି। ସେହିପରି ଚୀନର ଜନସଂଖ୍ୟା ୧,୪୨୮.୬ ମିଲିୟନ ରହିଛି। ଅର୍ଥାତ୍ ଦୁଇ ଦେଶ ମଧ୍ୟରେ ୨.୯ ମିଲିୟନ ଫରକ ଆସିଯାଇଛି। ଚୀନ ଠାରୁ ଭାରତର ଜନସଂଖ୍ୟା ୨.୯ ମିଲିୟନ ଅଧିକ ରହିଛି।

ପ୍ରଥମ ଥର ଜନସଂଖ୍ୟାରେ ଚୀନକୁ ଟପିଲା ଭାରତ

୧୯୫୦ ଠାରୁ ଜାତିସଂଘ ଜନସଂଖ୍ୟା ଗଣନା କରିଆସୁଛି। ପ୍ରଥମ ଥର ପାଇଁ ମିଳିତ ଜାତିସଂଘର ଜନସଂଖ୍ୟା ଦେଶ ତାଲିକାରେ ଭାରତ ଚୀନକୁ ଟପି ଯାଇଛି। ୧୯୪୫ରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସରିବା ପରେ ମିଳିତ ଜାତିସଂଘର ସ୍ଥାପନା ହୋଇଥିଲା। ସେବେଠାରୁ ସଂସ୍ଥା ବିଭିନ୍ନ ବିଭାଗରେ ଉପରେ ନଜର ରଖି ଆସିଛି। ୧୯୫୦ରୁ ଜନଗଣନା ଉପରେ ବି ରେକର୍ଡ ରଖୁଛି। ରିପୋର୍ଟରେ ୨୦୨୩ରେ ଭାରତର ଜନସଂଖ୍ୟା ୧,୪୨୮,୬୨୭,୬୬୩ ରହିଛି। ଯାହା ୨୦୨୨ ତୁଳନାରେ ୦.୮୧ ପ୍ରତିଶତ ଅଧିକ। ୨୦୨୨ରେ ଭାରତର ଜନସଂଖ୍ୟା ୧,୪୦୭୫୬୩,୮୪୨ ଥିଲା। ଯାହା ୨୦୨୦ ତୁଳନାରେ ୦.୮ ପ୍ରତିଶତ ବୃଦ୍ଧି ହୋଇଥିଲା। ସେହିପରି ୨୦୧୯ ଠାରୁ ୨୦୨୦ରେ ଭାରତର ଜସଂଖ୍ୟାରେ ୦.୯୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା।

ଭାରତ ପାଖରେ ବିଶ୍ୱର ସର୍ବାଧିକ ଯୁବପିଢ଼ି-

ୟୁଏନ୍‌ଏଫ୍‌ପିଏ ରିପୋର୍ଟରେ କୁହାଯାଇଛି ଯେ ଭାରତରେ ୨୫ ପ୍ରତିଶତ ଜନସଂଖ୍ୟା ୦.୧୪ ବର୍ଷ ବୟସ ଭିତରେ ରହିଛନ୍ତି। ସେହିପରି ୧୮ ପ୍ରତିଶତ ୧୦-୧୯ ବର୍ଷ ବୟସ ଭିତରେ ହୋଇଥିବା ବେଳେ ୨୬ ପ୍ରତିଶତ ଜନସଂଖ୍ୟାର ବୟସ ସୀମା ୧୦-୨୪ ବର୍ଷ ବୟସ ଭିତରେ ରହିଛି। ୧୫ରୁ ୬୪ ବର୍ଷ ବୟସ ଭିତରେ ୬୮ ପ୍ରତିଶତ ଲୋକ ଓ ୬୫ ବର୍ଷରୁ ଅଧିକ ବୟସ୍କ ସଂଖ୍ୟା ୭ ପ୍ରତିଶତ ରହିଛି।

ଚୀନର ବୟସ୍କଙ୍କ ସଂଖ୍ୟା ଅଧିକ

ସେହିପରି ଚୀନର ଜନ୍ମହାର ହ୍ରାସ ପାଇଥିବା ବେଳେ ଏଠାରେ କିନ୍ତୁ ବୟସ୍କ ସଂଖ୍ୟା ବଢ଼ିଯାଇଛି। ଭାରତୀୟ ଆୟୁ ବର୍ଗ ସହ ତୁଳନା କଲେ ଚୀନ ଜନସଂଖ୍ୟାରେ ଯଥାକ୍ରମେ ୧୭%, ୧୨%, ୧୮%, ୬୯%, ୧୪% ରହିଥିବା ବେଳେ  ୬୫ ବର୍ଷର ଅଧିକ ଲୋକ ସଂଖ୍ୟା ୨୦ କୋଟି ହୋଇଯାଇଛି।

ଭାରତ ଠାରୁ ଚୀନର ଅଧିକ ଦିନ ବଞ୍ଚୁଛନ୍ତି ଲୋକେ

ରିପୋର୍ଟରେ ଆହୁରି କୁହାଯାଇଛି ଭାରତ ଠାରୁ ଚୀନର ଲୋକେ ଅଧିକ ଦିନ ବଞ୍ଚି ରହୁଛନ୍ତି। ଚୀନରେ ମହିଳାଙ୍କ ସର୍ବାଧିକ ଜୀବନ ଧାରଣ ବୟସ ୮୨ ରହିଥିବା ବେଳେ ପୁରୁଷଙ୍କର ୭୬ ବର୍ଷ ରହିଛି। ସେହି ତୁଳନାରେ ଭାରତରେ ମହିଳାଙ୍କ ସର୍ବାଧିକ ଆୟୁ କାଳ ୭୪ ବର୍ଷ ରହିଥିବା ବେଳେ ପୁରୁଷଙ୍କ ଆୟୁ କାଳ ୭୧ ବର୍ଷ ରହିଛି।  

ସେହିପରି ଆମେରିକା ୩୪୦ ମିଲିୟନ ଜନସଂଖ୍ୟା ସହ ବୃହତ ଜନବହୁଳ ରାଷ୍ଟ୍ର ତାଲିକାରେ ତୃତୀୟ ସ୍ଥାନରେ ରହିଛି। ୨୦୨୩ ଫେବ୍ରୁଆରୀ ମାସରେ ସଂଗୃହିତ ହୋଇ ଏହି ତଥ୍ୟା ପ୍ରଦାନ କରାଯାଇଛି ବୋଲି ୟୁଏନ୍‌ଏଫ୍‌ପିଏ କହିଛିରିପୋର୍ଟ ଅନୁସାରେ ବିଶ୍ୱରେ ଜନସଂଖ୍ୟା ଏବେ ୮ ଅରବ ଠାରୁ ଅଧିକ ରହିଛି। ତେବେ ଭାରତ ଜନସଂଖ୍ୟାରେ କେବେ ଚୀନକୁ ଟପିଲା ସେ ନେଇ ସଂସ୍ଥା କୌଣସି ସ୍ପଷ୍ଟୀକରଣ ଦେଇ ନାହିଁ। ଭାରତ ଓ ଚୀନରୁ ଆସୁଥିବା ଅସ୍ଥିର ରିପୋର୍ଟରୁ ଏହା କହିବା ସମ୍ଭବ ହୋଇ ନାହିଁ ବୋଲି ୟୁଏନ୍‌ଏଫ୍‌ପିଏ କହିଛି। ଭାରତରେ ଶେଷ ଥର ପାଇଁ ୨୦୧୧ରେ ଜନଗଣନା ହୋଇଥିଲା। ପରବର୍ତ୍ତୀ ଜନଗଣନା ୨୦୨୧ରେ ହେବାକୁ ଥିବା ବେଳେ କୋଭିଡ୍ ସମସ୍ୟା ପାଇଁ ଏହା ସ୍ଥଗିତ ରଖାଯାଇଛି।

 

Leave A Reply

Your email address will not be published.