ନୂଆଦିଲ୍ଲୀ: ଭାରତ ଆସନ୍ତା ମାସ ପ୍ରାରମ୍ଭରେ ରୁଷଠାରୁ S-400 ଟ୍ରାୟମ୍ଫ ଭୂପୃଷ୍ଠରୁ ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀର ୪ର୍ଥ ୟୁନିଟ୍ ପାଇବାର ସମ୍ଭାବନା ଅଛି । ଏହା ଭାରତୀୟ ବାୟୁସେନାର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ଅକ୍ଟୋବର ୨୦୧୮ରେ, ଭାରତ ଉନ୍ନତ କ୍ଷେପଣାସ୍ତ୍ର ପ୍ରଣାଳୀର ୫ଟି ୟୁନିଟ୍ କ୍ରୟ କରିବା ପାଇଁ ରୁଷ ସହିତ ୫ ବିଲିୟନ ଆମେରିକୀୟ ଡଲାରର ଚୁକ୍ତି ସ୍ୱାକ୍ଷର କରିଥିଲା । ଏପର୍ଯ୍ୟନ୍ତ ଏଥିମଧ୍ୟରୁ ୩ଟି ପ୍ରଦାନ କରାଯାଇଛି ।
ସୂତ୍ରଗୁଡ଼ିକ ଆହୁରି କହିଛନ୍ତି ଯେ, ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଯୋଗାଣ ପାଇଁ ସଂଶୋଧିତ ସମୟସୀମା ଅନୁଯାୟୀ ୫ମ ଏବଂ ଶେଷ ୟୁନିଟ୍ ନଭେମ୍ବର ସୁଦ୍ଧା ପ୍ରଦାନ କରାଯିବାର ଆଶା କରାଯାଉଛି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଭାରତୀୟ ବାୟୁସେନା (IAF)ର ଅଧିକାରୀମାନେ ଚତୁର୍ଥ ସିଷ୍ଟମର ପ୍ରି- ଡିସପ୍ୟାଚ୍ (ଭାରତ ପଠାଇବା ପ୍ରକ୍ରିୟା) ନିରୀକ୍ଷଣ କରିବା ପରେ ଏହା ପଠାଯାଇଥିଲା । ପାକିସ୍ତାନ ବିରୁଦ୍ଧରେ ଏହାକୁ ରାଜସ୍ଥାନ ସେକ୍ଟରରେ ନିୟୋଜିତ କରାଯାଇପାରେ ।
‘ଅପରେସନ ସିନ୍ଦୂର’ ସମୟରେ ରୁଷ S-400 ପ୍ରଣାଳୀ ଏହାର ଘାତକ କ୍ଷମତାର ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲ। ଅପରେସନ ସମୟରେ ଏହି ସିଷ୍ଟମ ପାକିସ୍ତାନ ବିରୋଧରେ ୧୧ଟି ଅଧିକ ଦୂରଗାମୀ S-400 ମିସାଇଲ ମାଡ଼ କରିଥିଲା। ଏହି ମିସାଇଲ ଶତ୍ରୁ ଦେଶର ଲଢ଼ୁଆ ବିମାନ, ଏୟାରବର୍ନ ଅର୍ଲି ଓ୍ବାର୍ଣ୍ଣିଂ ସିଷ୍ଟମ (AWACS) ଏବଂ ପରିବହନ ବିମାନକୁ ଟାର୍ଗେଟ କରି ଖସାଇଥିଲା । ଏହା ସହିତ ପାକିସ୍ତାନ ପଞ୍ଜାବ ଏବଂ ଗୁଜରାଟରେ ନିୟୋଜିତ ଭାରତର ୨ଟି S-400 ସିଷ୍ଟମକୁ ଟାର୍ଗେଟ କରିବାକୁ ମଧ୍ୟ ଚେଷ୍ଟା କରି ବିଫଳ ହୋଇଥିଲା ।
ଭାରତ ରୁଷଠାରୁ ୫ଟି S-400 କ୍ଷେପଣାସ୍ତ୍ର ପ୍ରଣାଳୀର ଏକ ନୂତନ ବ୍ୟାଚ୍ କ୍ରୟକୁ ଅନୁମୋଦନ କରିଛି, ଯାହା ଦ୍ୱାରା ମୋଟ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, କ୍ଷେପଣାସ୍ତ୍ର ପ୍ରଣାଳୀର ୪ର୍ଥ ୟୁନିଟ୍ ପୂର୍ବରୁ ପଠାଯାଇଛି ଏବଂ ଆଗାମୀ କିଛି ଦିନ ମଧ୍ୟରେ ଏହା ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଆମେରିକା ଚେତାବନୀ ଦେଇଥିଲେ ଯେ ଚୁକ୍ତି ଅନୁସରଣ କରିବା ଦ୍ୱାରା କାଉଣ୍ଟରିଂ ଆମେରିକାଜ୍ ଆଡଭର୍ସାରିଜ୍ ଥ୍ରୁ ସାଙ୍କସନ୍ସ ଆକ୍ଟ (CAATSA) ର ବ୍ୟବସ୍ଥା ଅନୁଯାୟୀ ଆମେରିକାର ପ୍ରତିବନ୍ଧକ ଲାଗିପାରେ, ତଥାପି ଭାରତ ସାତ ବର୍ଷରୁ ଅଧିକ ସମୟ ପୂର୍ବେ S-400 କ୍ଷେପଣାସ୍ତ୍ର କ୍ରୟ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲା । ସୂତ୍ର ଅନୁଯାୟୀ ଭାରତ ଆମେରିକାର ପ୍ରତିବନ୍ଧକରୁ କୌଣସି ପ୍ରତିବନ୍ଧକ ଆଶା କରେ ନାହିଁ କାରଣ ଏହି ନୂତନ କ୍ରୟ ପୂର୍ବ କ୍ରୟର “ଅନୁସରଣ” ହେବ ।