ନୂଆଦିଲ୍ଲୀ: ଏବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଚଳିତ ବର୍ଷ ଭାରତରେ ସ୍ୱାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବା ସହିତ ସ୍ବାଭାବିକ ୮୭ ସେମି ତୁଳନାରେ ପ୍ରାୟ ୧୦୫ ପ୍ରତିଶତ ଅଧିକ ବର୍ଷା ସମ୍ଭବାନା ରହିଛି ।
ଏନେଇ ଆଇଏମଡି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭାରତରେ ଚାରି ମାସର ମୌସୁମୀ ଋତୁ, ତଥା ଜୁନ୍ ରୁ ସେପ୍ଟେମ୍ବରରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଦୀର୍ଘକାଳୀନ ହାରାହାରି ୮୭ ସେମି ତୁଳନାରେ ୧୦୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ଏଥିସହିତ ଏଲ୍ ନିନୋ, ଯାହା ଭାରତୀୟ ଉପମହାଦେଶରେ ସ୍ୱାଭାବିକ ଠାରୁ କମ୍ ମୌସୁମୀ ବର୍ଷା ପାଇଁ ଦାୟୀ ହୋଇଥାଏ, ସେଥିରେ ମଧ୍ୟ ଏ ବର୍ଷ ବିଶେଷ ଉନ୍ନତି ପରିଲକ୍ଷିତ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର । ଯାହା କୃଷି ଏବଂ ଅର୍ଥନୀତି ପାଇଁ ବେଶ୍ ଫଳପ୍ରଦ । ଏହି କ୍ଷେତ୍ର ଭାରତର ମୋଟ ଘରୋଇ ଉତ୍ପାଦର ୧୮ ପ୍ରତିଶତ ହୋଇଥିବା ବେଳେ ଜନସଂଖ୍ୟାର ୪୨ ପ୍ରତିଶତରୁ ଅଧିକ ଲୋକଙ୍କ ଜୀବିକା ମଧ୍ୟ କୃଷି ଉପରେ ନିର୍ଭର କରେ । ଏଥିସହିତ ଦେଶର ଅଧିକାଂଶ ଚାଷ ଜମି ମଧ୍ୟରୁ ୫୨ ପ୍ରତିଶତ ମୌସୁମୀ ବର୍ଷା ଉପରେ ନିର୍ଭର କରନ୍ତି ଏବଂ ପାନୀୟ ଜଳ ଯୋଗାଣ ସହିତ ବିଦ୍ୟୁତ୍ ଉତ୍ପାଦନ ପାଇଁ ମଧ୍ୟ ବର୍ଷା ଗୁରୁତ୍ୱପୂର୍ଣ୍ଣ । ତେଣୁ ଅଧିକ ବର୍ଷା ଏଥର ଆଶ୍ବସ୍ତି ଆଣିବ ।
ଜଳବାୟୁ ବୈଜ୍ଞାନିକମାନଙ୍କ କହିବାନୁଯାୟୀ, ଭାରତରେ ମୌସୁମୀ ସାଧାରଣତଃ ଜୁନ୍ ୧ରେ କେରଳରେ ଲ୍ୟାଣ୍ଡଫଲ୍ କରେ ଏବଂ ସେପ୍ଟେମ୍ବର ମଧ୍ୟଭାଗରେ ପ୍ରତ୍ୟାବର୍ତ୍ତନ କରେ । କିନ୍ତୁ ବର୍ତ୍ତମାନ, ବର୍ଷା ଦିନର ସଂଖ୍ୟା ହ୍ରାସ ପାଉଛି, ଯେତେବେଳେ କି ବର୍ଷା ପ୍ରବଳ ହେଉଛି, ଅର୍ଥାତ୍ କମ୍ ସମୟ ମଧ୍ୟରେ ବେଶି ବର୍ଷୁଛି । କିନ୍ତୁ ମୌସୁମୀ ବର୍ଷା ଅଧିକ ହେବାର ଅର୍ଥ ଏହା ନୁହେଁ ଯେ ଏହା ଦେଶର ବିଭିନ୍ନ ସ୍ଥାନକୁ ସମାନ ଭାବେ ବର୍ଷିବ, ଯାହା ଫଳରେ ବାରମ୍ବାର ମରୁଡ଼ି ଏବଂ ବନ୍ୟା ହେଉଛି ।
Comments are closed.