ନୂଆଦିଲ୍ଲୀ: ଫିଫା ର୍ୟାଙ୍କିଙ୍ଗରେ ସୁନୀଲ ଛେତ୍ରୀ ନେତୃତ୍ୱାଧୀନ ଭାରତୀୟ ଦଳ ୯୯ତମ ସ୍ଥାନରେ ରହିଛି । ୨୦୧୮ ପରଠାରୁ ପ୍ରଥମ ଥର ଭାରତ ୧୦୦ ର୍ୟାଙ୍କରୁ ଉପରକୁ ଉଠିଛି । କ୍ରୋଏସିଆର କୋଚ ଆଇଗର ଷ୍ଟିମାକଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳର ପ୍ରଦର୍ଶନରେ ସୁଧାର ଘଟିଛି । ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ଇଂଟରକଂଟିନେଟାଂଲ କପ ଏବଂ ବାଙ୍ଗାଲୋରରେ ଭାରତ ସାଫ ଚାମ୍ପିୟନଶିପ ଟାଇଟଲ ହାସଲ କରିଛି । ଏହା ପୂର୍ବରୁ ଭାରତ ୧୦୬ତମ ସ୍ଥାନରେ ରହିଥିଲା । ତେବେ ଏସିଆନ ଗେମ୍ସରେ ଭାରତର ଅଂଶଗ୍ରହଣ ନେଇ ଏବେ ବି ଦ୍ୱନ୍ଦ୍ୱ ରହିଛି ।
ଏସୀୟ ଟିମ ମଧ୍ୟରେ ଭାରତ ପ୍ରଥମ ୮ଜଣଙ୍କ ମଧ୍ୟରେ ସ୍ଥାନ ପାଇ ନ ଥିବାରୁ ସରକାରଙ୍କ ପକ୍ଷରୁ ଏ ନେଇ ଅନୁମତି ପ୍ରଦାନ କରାଯାଇ ନାହିଁ । ଅପରପକ୍ଷରେ ୩୮ ବର୍ଷୀୟ ଛେତ୍ରୀଙ୍କ ପ୍ରଦର୍ଶନ ଦିନକୁ ଦିନ ଭଲ ହେବାରେ ଲାଗିଛି । ସେ ୧୩୩ ଆନ୍ତର୍ଜାତୀୟ ମ୍ୟାଚ ଖେଳି ୮୫ ଗୋଲ ସ୍କୋର କରି ସାରିଛନ୍ତି । ଇଂଟରକଂଟିନେଟାଂଲ କପର ଫାଇନାଲରେ ସେ ଲେବାନନ ବିପକ୍ଷରେ ଗୋଲ ସ୍କୋର କରିଥିବା ବେଳେ ସାଫରେ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ ଗୋଲ ଦେଇଥିଲେ ।
Comments are closed.