India Warns Japan: ‘ଯେମିତି ପାକିସ୍ତାନ ହାତରେ ନ ଲାଗୁ…’, ଜାପାନ ସହ ମିଟିଂ ମଝିରେ କାହିଁକି ଏମିତି କହିଦେଲେ ରାଜନାଥ?
ନୂଆଦିଲ୍ଲୀ: କାହିଁକି ଡରୁଛି ନୂଆଦିଲ୍ଲୀ?
ଜାପାନକୁ ଆଗୁଆ ଚେତାଇ ଦେଲା
କୌଣସି ପରିସ୍ଥିତିରେ ଯେମିତି ପାକିସ୍ତାନ ହାତରେ ନ ଲାଗୁ…
ଭାରତ-ଜାପାନ ପ୍ରତିରକ୍ଷା ସମ୍ପର୍କ ଆହୁରି ମଜବୁତ ହେଉଥିବା ବେଳେ ପାକିସ୍ତାନକୁ ନେଇ ଟୋକିଓକୁ ଏକ ବଡ଼ ସତର୍କତା ଦେଇଛି ନୂଆଦିଲ୍ଲୀ। ଭାରତ ସ୍ପଷ୍ଟ କରିଛି ଯେ, ଜାପାନର ଉନ୍ନତ ଏବଂ ସମ୍ବେଦନଶୀଳ ପ୍ରତିରକ୍ଷା ପ୍ରଯୁକ୍ତି କୌଣସି ପରିସ୍ଥିତିରେ ପାକିସ୍ତାନ ପର୍ଯ୍ୟନ୍ତ ପହଞ୍ଚିବା ଉଚିତ ନୁହେଁ।
ଜାପାନୀ ପ୍ରତିରକ୍ଷା ମନ୍ତ୍ରୀ ସିଞ୍ଜିରୋ କୋଇଜୁମିଙ୍କ ଭାରତ ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନାରେ ଏହି ପ୍ରସଙ୍ଗ ଉଠିଥିଲା। ଦୁଇ ଦେଶ ପ୍ରତିରକ୍ଷା ସହଯୋଗ ବଢ଼ାଇବା ସହ ନୌସେନା ପାଇଁ ଯୁଦ୍ଧଜାହାଜ ନିର୍ମାଣରେ ମିଳିତ ଭାବେ କାମ କରିବା ନେଇ ଆଗକୁ ବଢ଼ିଛନ୍ତି। ଏହା ଦୁଇ ଦେଶର ପ୍ରତିରକ୍ଷା ସହଯୋଗରେ ଏକ ନୂଆ ଅଧ୍ୟାୟ ବୋଲି ମନେ କରାଯାଉଛି।
ତେବେ ଏହି ଆଲୋଚନା ମଧ୍ୟରେ ପାକିସ୍ତାନ ପ୍ରସଙ୍ଗ କାହିଁକି ଆସିଲା? ଭାରତର ଚିନ୍ତା ପଛରେ କ’ଣ ରହିଛି କାରଣ? ତେବେ ପାକିସ୍ତାନର ପରମାଣୁ ପ୍ରଯୁକ୍ତି ଚୋରାଚାଲାଣର ପୁରୁଣା ଇତିହାସ ରହିଛି। ଭାରତ ଆଲୋଚନା ବେଳେ ପାକିସ୍ତାନୀ ପରମାଣୁ ବୈଜ୍ଞାନିକ ଏକ୍ୟୁ ଖାନଙ୍କ ନେଟୱାର୍କର ଉଦାହରଣ ଦେଇଛି। ଏକ୍ୟୁ ଖାନ୍ଙ୍କ ନେଟୱାର୍କ ମାଧ୍ୟମରେ ପରମାଣୁ ପ୍ରଯୁକ୍ତି, ଉପକରଣ ଓ ୟୁରାନିୟମ୍ ସମୃଦ୍ଧି ସମ୍ପର୍କିତ ଜ୍ଞାନ ଅନ୍ୟ ଦେଶକୁ ପହଞ୍ଚିଥିବା ଅଭିଯୋଗ ରହିଛି। ବିଶେଷକରି ଉତ୍ତର କୋରିଆକୁ ପରମାଣୁ ପ୍ରଯୁକ୍ତି ଓ ସେଣ୍ଟ୍ରିଫ୍ୟୁଜ୍ ସମ୍ପର୍କିତ ସହାୟତା ଦିଆଯାଇଥିବା ଘଟଣାକୁ ଭାରତ ଗୁରୁତ୍ୱ ଦେଇଛି।
୧୯୮୦ ଓ ୧୯୯୦ ଦଶକରେ ଏକ୍ୟୁ ଖାନ୍ଙ୍କ ନେଟୱାର୍କ ବିଭିନ୍ନ ଦେଶରୁ ପରମାଣୁ ପ୍ରଯୁକ୍ତି ଓ ଉପକରଣ ହାସଲ କରିଥିବା ନେଇ ଆନ୍ତର୍ଜାତୀୟ ତଦନ୍ତରେ ତଥ୍ୟ ସାମ୍ନାକୁ ଆସିଥିଲା। ଏହି ଅତୀତକୁ ଦୃଷ୍ଟିରେ ରଖି ଜାପାନର ସମ୍ବେଦନଶୀଳ ପ୍ରତିରକ୍ଷା ପ୍ରଯୁକ୍ତି ଅନ୍ୟ ମାଧ୍ୟମରେ ପାକିସ୍ତାନ କିମ୍ବା ଅନ୍ୟ ଦେଶକୁ ପହଞ୍ଚିବା ନେଇ ଭାରତ ସତର୍କ ରହିଛି।
ଖାଲି ସେତିକି ନୁହେଁ, ଭାରତର ଚିନ୍ତାର ଆଉ ଏକ ଦିଗ ରହିଛି। ରାଜନାଥ ସିଂହ ଓ କୋଇଜୁମି ଦିଲ୍ଲୀରେ ପ୍ରତିରକ୍ଷା ସମ୍ପର୍କିତ ଆଲୋଚନା କରୁଥିବା ସମୟରେ ଦକ୍ଷିଣ କୋରିଆ ସେନା ଉତ୍ତର କୋରିଆ ପକ୍ଷରୁ ସମୁଦ୍ର ଆଡ଼କୁ ଆଉ ଏକ ଅଜଣା ପ୍ରକ୍ଷେପଣ କରାଯାଇଥିବା ରିପୋର୍ଟ କରିଥିଲା। ଏହି ପରିସ୍ଥିତି ଭାରତର ଆଶଙ୍କାକୁ ଆହୁରି ଗୁରୁତ୍ୱ ଦେଇଛି। ଭାରତର ଯୁକ୍ତି ହେଉଛି, ଯଦି ସମ୍ବେଦନଶୀଳ ପ୍ରତିରକ୍ଷା ପ୍ରଯୁକ୍ତି ପାକିସ୍ତାନ ହାତକୁ ଯାଏ, ତେବେ ଭବିଷ୍ୟତରେ ତାହା ଅନ୍ୟ ଦେଶକୁ ଚୋରାଚାଲାଣ ହେବାର ଆଶଙ୍କାକୁ ଅଣଦେଖା କରାଯାଇପାରିବ ନାହିଁ। ବିଶେଷକରି ଉତ୍ତର କୋରିଆ ସହ ପାକିସ୍ତାନର ପୁରୁଣା ପ୍ରଯୁକ୍ତିଗତ ସମ୍ପର୍କକୁ ନେଇ ନୂଆଦିଲ୍ଲୀ ଚିନ୍ତିତ। ଏପରି ସମ୍ବେଦନଶୀଳ ପ୍ରଯୁକ୍ତି ଉତ୍ତର କୋରିଆ ପର୍ଯ୍ୟନ୍ତ ପହଞ୍ଚିଲେ, ଜାପାନର ନିଜସ୍ୱ ସୁରକ୍ଷା ପାଇଁ ମଧ୍ୟ ଏହା ବଡ଼ ଚ୍ୟାଲେଞ୍ଜ ହୋଇପାରେ। କାରଣ ଉତ୍ତର କୋରିଆ ପୂର୍ବରୁ ମଧ୍ୟ ଜାପାନ ନିକଟ ସମୁଦ୍ର ଅଞ୍ଚଳକୁ କ୍ଷେପଣାସ୍ତ୍ର ପ୍ରକ୍ଷେପଣ କରିଆସୁଛି।
ଏହି ବୈଠକରେ ଭାରତ-ଜାପାନ ଇଣ୍ଡୋ-ପ୍ୟାସିଫିକ୍ ସୁରକ୍ଷା ସହଯୋଗ ବଢ଼ାଇବା, ତୃତୀୟ ଦେଶଗୁଡ଼ିକ ସହ ସାମୁଦ୍ରିକ ସହଯୋଗ ବୃଦ୍ଧି ଏବଂ ଇଣ୍ଡୋ-ପ୍ୟାସିଫିକ୍ ଲଜିଷ୍ଟିକ୍ସ ନେଟୱାର୍କକୁ ବିସ୍ତାର କରିବା ନେଇ ମଧ୍ୟ ଆଲୋଚନା ହୋଇଛି। ସେପ୍ଟେମ୍ବରରେ ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ନେଟୱାର୍କକୁ ନେଇ ଦ୍ୱିତୀୟ ଅଭ୍ୟାସ ଆୟୋଜନ କରିବ।

