ଅନୁଗୁଳ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବକୁ ନେଇ ଚଳଚଞ୍ଚଳ ହୋଇଛି ତାଳଚେରର ଗୁରୁଜାଙ୍ଗ। ଆଜିଠାରୁ ଏହି ଶତବାର୍ଷିକୀ ମହୋତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ଆଗାମୀ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ସେହିପରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମମାଟି ଗୁରୁଜାଙ୍ଗରେ ମୁଖ୍ୟମନ୍ତ୍ରୀ ପହଞ୍ଚିଛି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସମେତ ସାମିଲ ହେଲେ ହଜାର ହଜାର ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତିବିଶେଷ। ଏହି ବିଶାଳ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀଙ୍କ ସମେତ ଅନେକ ମନ୍ତ୍ରୀ ଓ ବିଧାୟକ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଗୁରୁଜାଙ୍ଗରେ ପହଞ୍ଚିବା ପରେ ଶତବାର୍ଷିକୀ ମହୋତ୍ସବର ଉଦ୍ଘାଟନ କରିଛନ୍ତି। ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିଛନ୍ତି। ସେପଟେ ବଡ଼ ଧରଣର ଜନସମାଗମକୁ ଆଖି ଆଗରେ ରଖି ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭିଭିଆଇପି ଗସ୍ତ ସହ ହଜାର ହଜାର ଲୋକଙ୍କ ସମାଗମ ହେବାକୁ ଥିବାରୁ ଟ୍ରାଫିକ୍ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ମଧ୍ୟ ପୋଲିସର ନଜର ରହିଛି ।
ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଜନଜାତିର ଲୋକଙ୍କ ସେବା ପାଇଁ ଜୀବନକୁ ଉତ୍ସର୍ଗ କରିଥିଲେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ। ଧର୍ମାନ୍ତରୀକରଣକୁ ବିରୋଧ କରି ସାରା ଜୀବନ କାର୍ଯ୍ୟ କରିଥିଲେ। ସ୍ବାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି ହଜାର ହଜାର ଯୁବକ। ମାତ୍ର ଏପରି ଜଣେ ସାଧୁଙ୍କୁ ୨୦୦୮ରେ ବୀଭତ୍ସ ଭାବେ ହତ୍ୟା କରାଗଲା। ତତ୍କାଳୀନ ସରକାର ସ୍ବାମୀଜୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିଲେ। ଏପରିକି ହତ୍ୟାକାଣ୍ଡ ପରେ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିପାରି ନଥିଲେ। ସବୁଠୁ ଲଜ୍ଜାଜନକ କଥା ହେଲା ତଦନ୍ତ କମିଶନ ରିପୋର୍ଟକୁ ମଧ୍ୟ ଗାୟବ କରିଦେଲେ।’

