ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ଉପରେ ୨୫ପ୍ରତିଶତ ଟାରିଫ ଲଗାଇଛନ୍ତି । ଅଗଷ୍ଟ ୧ରୁ ଲାଗୁ ହେବାକୁ ଥିବା ଟ୍ରମ୍ପଙ୍କ ପ୍ରସ୍ତାବିତ ଶୁଳ୍କ ସପ୍ତାହେ ପାଇଁ ସ୍ଥଗିତ ରଖାଯାଇଛି । ତେବେ ଟାରିଫ ନିଷ୍ପତ୍ତି ଭାରତ ଓ ଆମେରିକା ସଂପର୍କ ଉପରେ ବଡ଼଼ ପ୍ରଭାବ ପକାଇପାରେ। ଦୁଇ ଦେଶ ମଧ୍ୟରେ ବିଶ୍ବାସ କମିଥିବା ବେଳେ, ବର୍ଷ ବର୍ଷ ଧରି ସୃଷ୍ଟି ହୋଇଥିବା ସହଭାଗିତାକୁ କ୍ଷତି ହୋଇପାରେ । ରାଜନୈତିକ ଭାବେ ୧୯୯୦ ଦଶକ ପରଠାରୁ ଏହା ଭାରତ ଓ ଆମେରିକା ସଂପର୍କର ସବୁଠୁ କଠିନ ସମୟ ବୋଲି କୁହାଯାଉଛି । ଭାରତକୁ ଟାରିଫ ଓ ପାକିସ୍ତାନକୁ ତେଲ ଡିଲ୍ ଉପହାର ଦେଇ ସ୍ଥିତିକୁ ଅଧିକ ଜଟିଳ କରିଛି ଆମେରିକା । ତେବେ ପ୍ରଶ୍ନ ଉଠୁଛି, କାହିଁକି ଭାରତ ଉପରେ ନାରାଜ ଟ୍ରମ୍ପ?
ଅଧିକ ଟାରିଫ, ବାଣିଜ୍ୟରେ ବାଧା
ଭାରତ ଓ ଆମେରିକା ବାଣିଜ୍ୟ ଆଲୋଚନାକୁ ନେଇ ଟ୍ରମ୍ପ ଅସନ୍ତୁଷ୍ଟ ଥିବା କୁହାଯାଉଛି । ବିଭିନ୍ନ ପ୍ରସଙ୍ଗ ନେଇ ଅନେକ ପର୍ଯ୍ୟାୟରେ ଆଲୋଚନା ହୋଇଛି । ବିଶେଷ କରି ଭାରତରେ କୃଷି ଓ ଦୁଗ୍ଧ ଉତ୍ପାଦର ପ୍ରବେଶକୁ ନେଇ ଚର୍ଚ୍ଚା ହୋଇଥିଲେ ବି ବି ସମାଧାନ ବାହାରି ପାରିନି। କାରଣ ଭାରତ ଦେଶର ଚାଷୀ, ଉଦ୍ୟୋଗୀ ଓ ଛୋଟ ବ୍ୟବସାୟୀଙ୍କ ସ୍ବାର୍ଥ ରକ୍ଷାକୁ ଗୁରୁତ୍ବ ଦେଉଛି । ଏହାସହ ଭାରତକୁ ଅନେକ ଥର ଅଧିକ ଟାରିଫ ଲଗାଉଥିବା ଦେଶ କହିଛନ୍ତି ଟ୍ରମ୍ପ । ପ୍ରଧାନମନ୍ତ୍ରୀଙ୍କୁ ବନ୍ଧୁ କହିଲେ ମଧ୍ୟ ଟ୍ରମ୍ପ ପ୍ରଶାସନ ଆମେରିକୀୟ ସାମଗ୍ରୀ ଉପରେ ଭାରତ ଅତ୍ୟଧିକ ଟାରିଫ ଲଗାଉଥିବା କହି ସମାଲୋଚନା କରିଛନ୍ତି । ଭାରତ ଅଧିକ ଶୁଳ୍କ ଲଗାଉଥିବାରୁ ଭାରତ ବଜାରରେ ଆମେରିକୀୟ ଉତ୍ପାଦ ପ୍ରତିଦ୍ବନ୍ଦ୍ବିତା କରିବାରେ ସମସ୍ୟା ହେଉଛି ।
ଋଷ ସହ ଭାରତର ସଂପର୍କ…ଟ୍ରମ୍ପ ନାରାଜ
ଋଷ ସହ ଭାରତର ଦୀର୍ଘକାଳୀନ ସଂପର୍କକୁ ନେଇ ମଧ୍ୟ ଟ୍ରମ୍ପ ଅସନ୍ତୁଷ୍ଟ ରହିଛନ୍ତି । ଚୀନ୍ ଓ ଭାରତ ଋଷଠାରୁ ଅଧିକ ପରିମାଣର ତେଲ କିଣୁଥିବା ନେଇ ସେ ପୂର୍ବରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀ ପାଖରେ ତେଳ କିଣିବାକୁ ଅନ୍ୟ ବିକଳ୍ପ ଥିଲେ ମଧ୍ୟ ଭାରତ ଋଷଠାରୁ ତେଲ କିଣୁଛି । ଫଳରେ ୟୁକ୍ରେନ୍ ବିରୋଧରେ ଋଷର ଯୁଦ୍ଧ ଉଦ୍ୟମକୁ ପରୋକ୍ଷରେ ଭାରତ ସହଯୋଗ କରୁଥିବା ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି । ତେଲ ସହ ସାମରିକ ସାମଗ୍ରୀ କିଣିବା ପାଇଁ ମଧ୍ୟ ଋଷ ଉପରେ ଭାରତର ନିର୍ଭରଶୀଳତାକୁ ନେଇ ମଧ୍ୟ ଅସନ୍ତୁଷ୍ଟ ଟ୍ରମ୍ପ । ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତ ଓ ଋଷର ଦ୍ବିପାକ୍ଷିକ ବାଣିଜ୍ୟ ରେକର୍ଡ ୬୮.୭ବିଲିୟନରେ ପହଞ୍ଚିଥିଲା । ମହାମାରୀ ପୂର୍ବ ଅପେକ୍ଷା ଏହା ୬ଗୁଣା ଅଧିକ ।
ବ୍ରିକ୍ସକୁ ନେଇ ଖପ୍ପା ଟ୍ରମ୍ପ
କେବଳ ଋଷ ନୁହେଁ ବ୍ରିକ୍ସକୁ ଆମେରିକା ବିରୋଧୀ ମନେ କରନ୍ତି ଟ୍ରମ୍ପ । ଆମେରିକା ବିରୋଧୀ ଦେଶଙ୍କ ଗୋଷ୍ଠୀ ବ୍ରିକ୍ସରେ ସେ ଭାରତର ସଦସ୍ୟତାକୁ ନେଇ ପ୍ରଶ୍ନ କରିଛନ୍ତି । ବ୍ରିକ୍ସକୁ ଡଲାର ଉପରେ ଆକ୍ରମଣ ବୋଲି କହିବା ସହ ଏପରି କରିବାକୁ ଦିଆଯିବନି ବୋଲି ସେ କହିଥିଲେ । ଭାରତ ଗୋଟେପଟେ ଆମେରିକା ସହ ରଣନୈତିକ ସଂପର୍କ ସ୍ଥାପନ କରୁଥିବା ବେଳେ ଅନ୍ୟପଟେ ବ୍ରିକ୍ସ ଏବଂ ଋଷ ସହ ସଂପର୍କ ମଜବୁତ କରୁଛି । ଏଭଳି ଦୋମୁହାଁ ନୀତି ଗ୍ରହଣନୀୟ ନୁହେଁ ବୋଲି ଟ୍ରମ୍ପ କହିଛନ୍ତି । ଆମେରିକାର ଅର୍ଥନୈତିକ ସ୍ବାର୍ଥ ପ୍ରତି ପ୍ରତିକୂଳ ଭାବେ ବିବେଚିତ ବ୍ରିକ୍ସ ନୀତି ଭାରତ ଜାରି ରଖିଲେ ତାର କଡା ଜବାବ ଦେବାକୁ କହିଥିଲେ ।
ପାକିସ୍ତାନରେ ନାହିଁ ତେଲ ଭଣ୍ଡାର !
ଭାରତ ଉପରେ ଟାରିଫ ଲଗାଇବା ସହ ତେଲ ଡିଲ୍ କରି ପାକିସ୍ତାନ ପ୍ରୀତି ଦେଖାଇଛନ୍ତି ଟ୍ରମ୍ପ । ତେବେ ସବୁଠୁ ବଡ଼ ପ୍ରଶ୍ନ, ପାକିସ୍ତାନ ପାଖରେ ପ୍ରକୃତରେ ବିଶାଳ ତୈଳ ଭଣ୍ଡାର ଅଛି କି? କାରଣ ପାକିସ୍ତାନର ଘରୋଇ ତେଲ ଉତ୍ପାଦନ କମିବାରେ ଲାଗିଛି। ୨୦୧୯ରେ ଦେଶ ପ୍ରତିଦିନ ୮୯ହଜାର୩୦ ବ୍ୟାରେଲ କ୍ରୁଡ ଅଏଲ ଉତ୍ପାଦନ କରୁଥିବା ବେଳେ ୨୦୨୫ରେ ଏହା ଦୈନିକ ୬୪ହଜାର ୨୬୨ବ୍ୟାରେଲରେ ପହଞ୍ଚିଛି । ପେଟ୍ରୋଲିୟମ ଉଦ୍ୟୋଗର ପ୍ରତିନିଧିତ୍ବ କରୁଥିବା ପାକିସ୍ତାନ ପେଟ୍ରୋଲିୟମ ସଂସ୍ଥାନ ପକ୍ଷରୁ ତୈଳ ଓ ଗ୍ୟାସ ଭଣ୍ଡାର ହ୍ରାସ ନେଇ ଚିନ୍ତା ପ୍ରକାଶ କରାଯାଇଛି । ୨୦୨୧ରୁ ୨୦୨୪ ମଧ୍ୟରେ ୪ଟି ପ୍ରମୁଖ ତେଲ ଓ ଗ୍ୟାସ କମ୍ପାନୀ ପାକିସ୍ତାନ ଛାଡିବା ନେଇ ଘୋଷଣା କରିଥିଲେ । ଏଭଳି ସ୍ଥିତିରେ ପାକିସ୍ତାନରେ ବିଶାଳ ତୈଳଭଣ୍ଡାରର ବିକାଶ ନେଇ ଟ୍ରମ୍ପଙ୍କ ପ୍ଲାନ ନେଇ ପ୍ରଶ୍ନ ଉଠୁଛି ।
Comments are closed.